ପ୍ରସ୍ତୁତ ହେଉଛି ରେଳ‌ଷ୍ଟେସନ୍‌ : ଚାଲିଛି ବିଶୋଧନ, ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ବର : କରୋନା ମୁକାବିଲା ଲାଗି ଲକ୍‌ଡାଉନ୍ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ରେଳ ଚଳାଚଳ। ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଯାତ୍ରୀଙ୍କ ମନରେ ଉତ୍ସାହ। ଭୁବନେଶ୍ବରରୁ ନୂଆଦିଲ୍ଲୀ ଚାଲିବାକୁ ଥିବା ସ୍ବତନ୍ତ୍ର ଟ୍ରେନ୍ ଟିକଟ ଘଣ୍ଟାଏରୁ କମ୍ ସମୟ ଭିତରେ ବିକ୍ରି ହୋଇ ଯାଇଛି। ୧୩ ତାରିଖ ଠାରୁ ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଟ୍ରେନ ଚାଲିବ। ଏହା ପୂର୍ବରୁ ଭୁବନେଶ୍ବର ରେଳ ଷ୍ଟେସନରେ ଚାଲିଛି ଜୋରଦାର ପ୍ରସ୍ତୁତି। ଭୁବନେଶ୍ବରରୁ ନୂଆଦିଲ୍ଲୀ ଗୋଟିଏ ସ୍ବତନ୍ତ୍ର ଟ୍ରେନ୍ ଯାତ୍ରା କରିବ। ସେହି ସ୍ବତନ୍ତ୍ର ଟ୍ରେନ୍ ନୂଆଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ପରଦିନ ଭୁବନେଶ୍ବର ଫେରିବ। ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛି ପୂର୍ବତଟ ରେଳବାଇ। ପୂରା ଷ୍ଟେସନକୁ ବିଶୋଧନ କରାଯାଉଛି। ଏହା ସହ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆଯାଇଛି। ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ସହ ବାରିକେଡିଂ କରାଯାଇଛି। କେବଳ ରେଳଯାତ୍ରାକୁ ଅପେକ୍ଷା।

ବାରିକେଡ୍ ଭିତରେ ଯିବେ ଯାତ୍ରୀ
ପ୍ଲାଟଫର୍ମକୁ ପ୍ରବେଶ କରିବା ପୂର୍ବରୁ ପୁରୁଣା ଟିକଟ ବୁକିଂ କାଉଣ୍ଟର ନିକଟରୁ ବାରିକେଡିଂ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏହି ବାରିକେଡିଂ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ଏକାଠି ନ ଯାଇ ସାମାଜିକ ଦୂରତ୍ବ ରକ୍ଷା କରି ଜଣକ ପରେ ଜଣେ ଯିବେ। ଯେଉଁ ଯାତ୍ରୀଙ୍କ ପାଖରେ ବୈଧ ଟିକଟ ଥିବ କେବଳ ସେମାନଙ୍କୁ ହିଁ ଷ୍ଟେସନ ଭିତରକୁ ଛଡ଼ାଯିବ। ଯାତ୍ରୀମାନଙ୍କୁ ନେଇ ଯେଉଁ ଗାଡ଼ି ଆସିବ ସେହି ଗାଡ଼ି ଅଟୋ ଷ୍ଟାଣ୍ଡ ନିକଟରେ ଅଟକିବ। ଯାତ୍ରୀ ସେଠାରୁ ଚାଲି ଚାଲି ଷ୍ଟେସନ ଭିତରକୁ ଯିବେ। ଭିତରକୁ ଯିବା ସମୟରେ ଲଗେଜ୍ ସ୍କାନିଂ କରାଯିବ। ଏହାପରେ ପ୍ରବେଶ ପଥ ନିକଟରେ ଥିବା ଡେସ୍କରେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ଛଡ଼ାଯିବ।

ସୁରକ୍ଷା କଡ଼ାକଡ଼ି, ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ
କରୋନା ସମୟରେ ଟ୍ରେନ ଯାତ୍ରା ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା ଓ ସାମାଜିକ ଦୂରତାକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ବାରିକେଡିଂରେ ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ବ ରକ୍ଷା କରି ଜଣକ ପରେ ଜଣେ ଯିବେ ତାହା ଉପରେ ସ୍ବତନ୍ତ୍ର ନଜର ରଖାଯିବ। ଏଥି ଲାଗି ବାରିକେଡ୍‌ ନିକଟରେ ଆରପିଏଫ୍ କର୍ମଚାରୀ ମୁତୟନ ରହିବେ। ସେହିପରି ଲଗେଜ୍ ସ୍କାନର, ପ୍ରବେଶ ପଥ ନିକଟରେ ମଧ୍ୟ ଆରପିଏଫ୍ କର୍ମଚାରୀ ରହିବେ। ପ୍ଲାଟଫର୍ମରେ ଚେୟାରରେ ବସିବା ଠାରୁ ଆରମ୍ଭ କରି ଯାତ୍ରୀ ଛିଡ଼ା ହେବା, ଟ୍ରେନ ଭିତରକୁ ଯିବା ସମୟରେ ସାମାଜିକ ଗୁରୁତ୍ବ ରଖିବା ଉପରେ ନଜର ରଖିବ ଆରପିଏଫ୍। ପ୍ଲାଟଫର୍ମରେ ଯାତ୍ରୀ ଛିଡ଼ା ହେବା ଲାଗି ବୃତ୍ତ ଚିହ୍ନିତ ମଧ୍ୟ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଉପରେ ଆରପିଏଫ୍ ଧ୍ୟାନ ଦେବ ବୋଲି କହିଛନ୍ତି ଜିଆରପି ଥାନା ଆଇଆଇସି ଭରତ ଚନ୍ଦ୍ର ସାହୁ।

ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ଲକ୍ଷଣ ଥିଲେ ଯାତ୍ରା ମନା
ଭୁବନେଶ୍ବର ରେଳଷ୍ଟେସନ ପ୍ରବେଶ ପଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ଗୋଟିଏ ଟିମ୍ ସେଠାରେ ଉପସ୍ଥିତ ରହିବେ। ଜଣ ଜଣ କରି ଥର୍ମାଲ ସ୍କ୍ରିନଂ କରାଯିବ। ଏଥିଲାଗି ଯାତ୍ରୀଙ୍କୁ ପ୍ରାୟ ଘଣ୍ଟାଏ ପୂର୍ବରୁ ରେଳ ଷ୍ଟେସନରେ ପହଞ୍ଚିବା ପାଇଁ କୁହାଯାଇଛି। ସ୍କ୍ରିନିଂ ସମୟରେ ଯଦି କୌଣସି ଯାତ୍ରୀଙ୍କର ଥଣ୍ଡା, ଜ୍ବର ଭଳି ଲକ୍ଷଣ ଦେଖିବାକୁ ମିଳେ ତାହାଲେ ତାଙ୍କୁ ଟ୍ରେନରେ ଯାତ୍ରା ଲାଗି ଅନୁମତି ଦିଆଯିବ ନାହିଁ। ଯେଉଁମାନଙ୍କର କୌଣସି ଲକ୍ଷଣ ନ ବାହାରେ କେବଳ ସେହିମାନେ ହିଁ ଯାତ୍ରା କରିପାରିବେ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ପୂରା ଷ୍ଟେସନ୍‌ ବିଶୋଧନ
ଟ୍ରେନ ଚଳାଚଳକୁ ଆଖି ଆଗରେ ରଖି ପୂରା ରେଳଷ୍ଟେସନକୁ ବିଶୋଧନ କରାଯାଇଛି। ପ୍ରବେଶ ପଥ ସହ ୧ ନମ୍ବର ପ୍ଲାଟଫର୍ମକୁ ବିଶୋଧନ କରାଯାଇଛି। ପ୍ରବେଶ ପଥରେ ଥିବା ଲଗେଜ୍ ସ୍କାନର୍ ପ୍ଲାଟଫର୍ମରେ ଥିବା ଚେୟାର, ବସିବା ପାଇଁ ଥିବା ସ୍ଥାନ, ପିଇବା ପାଣି ଷ୍ଟାଣ୍ଡ ପୋଷ୍ଟ ଆଦି ଅଞ୍ଚଳକୁ ଦିନ ତମାମ୍ ବିଶୋଧନ କରାଯାଇଛି।

କେବଳ ଏକ ନମ୍ବର ଫ୍ଲାଟଫର୍ମରେ ଏଣ୍ଟ୍ରି
ଭୁବନେଶ୍ବରକୁ ନୂଆଦିଲ୍ଲୀରୁ କେବଳ ଏକ ନମ୍ବର ପ୍ଲାଟଫର୍ମରୁ ଟ୍ରେନ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ନୂଆଦିଲ୍ଲୀରୁ ଭୁବନେଶ୍ବରକୁ ଆସୁଥିବା ଟ୍ରେନ ଏକ ନମ୍ବର ପ୍ଲାଟଫର୍ମରେ ଲାଗିବ ବୋଲି ଜଣାପଡ଼ିଛି। ସେଥିଲାଗି ଏକ ନମ୍ବର ପ୍ଲାଟଫର୍ମରେ ଲୋକଙ୍କ ଚଳପ୍ରଚଳ ରହିବ। ୬ ନମ୍ବର ପ୍ଲାଟଫର୍ମ ପଟ ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ। ଯଦି ନୂଆଦିଲ୍ଲୀରୁ ଆସୁଥିବା ଟ୍ରେନ୍ ୬ ନମ୍ବର ପ୍ଲାଟଫର୍ମରେ ଲାଗେ ତାହାଲେ ସେପଟେ ବି ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର