ଭୁବନେଶ୍ବର ରାମ ମନ୍ଦିର ପରିଚାଳନା ମାମଲା : ଟ୍ରଷ୍ଟ ବୋର୍ଡ ଗଠନ ପ୍ରସଂଗରେ ପୁନର୍ବିଚାର ପାଇଁ ଦେବୋତ୍ତର କମିସନରଙ୍କୁ ନିର୍ଦ୍ଦେଶ

କଟକ : ଭୁବ‌େନଶ୍ବର ଶ୍ରୀରାମନ୍ଦିର ପରିଚାଳନା ବିବାଦ ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ଟ୍ରଷ୍ଟ ବୋର୍ଡ ଗଠନ ପ୍ରସଙ୍ଗରେ ପୁନର୍ବିଚାର କରିବା ପାଇଁ ଦେବୋତ୍ତର କମିସନର୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ଜାନୁଆରି ୯ ତାରିଖ ସୁଦ୍ଧା କମିସନର୍‌ ଏହି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆଜି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ଦୋବୋତ୍ତର କମିସନର୍‌ଙ୍କ ଦ୍ବାରା ନିଯୁକ୍ତ ନିର୍ବାହୀ ଅଧିକାରୀ ଭୁବନେଶ୍ବର ରାମ ମନ୍ଦିର ପରିଚାଳନା ଦାୟିତ୍ବରେ ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବରର ଶ୍ରୀରାମ ମନ୍ଦିରର ପରିଚାଳନା ଦାୟିତ୍ବ ମୂଳରୁ ଶ୍ରୀରାମ ମନ୍ଦିର ସେବା ସମିତି ହାତରେ ରହିଥିଲା। ସମିତି ମନ୍ଦିରର ପୂଜା, ନୀତିକାନ୍ତି ଓ ସଂପତ୍ତିର ପରିଚାଳନା କରୁଥିବା‌ ବେଳେ ପରବର୍ତ୍ତୀ ସମୟରେ ଦେବୋତ୍ତର କମିସନରଙ୍କ ନିକଟରେ ଏହି ମନ୍ଦିରକୁ ସର୍ବସାଧାରଣଙ୍କ ଠାକୁର ଭାବେ ଘୋଷଣା ପାଇଁ ଆବେଦନ କରାଯାଇଥିଲା। ଏହି ଆବେଦନ ବିଚାରାଧୀନ ଥିବା ବେଳେ ଗତ ବର୍ଷ ଅକ୍ଟୋବରରେ ଦୋବୋତ୍ତର କମିସନର୍‌ ଶ୍ରୀରାମ ମନ୍ଦିରର ପରିଚାଳନା ପାଇଁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ। ନିର୍ବାହୀ ଅଧିକାରୀଙ୍କୁ ମନ୍ଦିର ପରିଚାଳନା ଦାୟିତ୍ବ ହସ୍ତାନ୍ତର ପାଇଁ ଦେବୋତ୍ତର କମିସନର ନିର୍ଦ୍ଦେଶ ଦେଇଥିଲେ। ଦେବୋତ୍ତର କମିସନର୍‌ଙ୍କ ଏପରି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀରାମ ମନ୍ଦିର ସେବା ସମିତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥି‌ଲା।

ସମ୍ବନ୍ଧିତ ଖବର