ନଗର ପ୍ରଶାସନରେ ଭୁବନେଶ୍ୱର ଦେଶରେ ଚତୁର୍ଥ

ପ୍ରକାଶ ପାଇଲା ଜନାଗ୍ରହ ସର୍ଭେ ରିପୋର୍ଟ

ମଧ୍ୟମ ଆକାରର ସହରରେ ପ୍ରଥମ

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଆଉ ଏକ ସଫଳତା ମିଳିଛି। ନଗର ପ୍ରଶାସନରେ ଭୁବନେଶ୍ୱର ସାରା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି। ପୁଣେ ଏହି ତାଲିକାରେ ୫.୧ମାର୍କ ରଖି ପ୍ରଥମ ସ୍ଥାନରେ ଥିବାବେଳେ ଭୁବନେଶ୍ୱର ୪.୬ମାର୍କ ରଖି ଚତୁର୍ଥ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା କୋଲକାତା, ତୃତୀୟରେ ଥିବା ତିରୁଅନନ୍ତପୁରମ୍‌ ସମାନ ୪.୬ମାର୍କ ରଖିଥିଲେ ହେଁ ର‍୍ୟାଙ୍କିଙ୍ଗ୍‌ରେ ଭୁବନେଶ୍ୱରଠାରୁ ଉପରେ ରହିଛନ୍ତି। ମାତ୍ର କିଛି ଦଶମିକ ମାର୍କ ପାଇଁ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରୁ ବଞ୍ଚିତ ହୋଇଛି। କିନ୍ତୁ ୧୦ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ (ମଧ୍ୟମ ଆକାରର)ସହରରେ ଭୁବନେଶ୍ୱର ପ୍ରଥମ ସ୍ଥାନରେ ରହିଛି। ତିରୁଅନନ୍ତପୁରମ୍‌ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ହାସଲ କରିଛି।

ବେଙ୍ଗାଲୁରୁସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଜନାଗ୍ରହ ସେଣ୍ଟର ଫର୍‌ ସିଟିଜେନସିପ୍‌ ଆଣ୍ଡ୍‌ ଡେମୋକ୍ରାସି ପକ୍ଷରୁ କରାଯାଇଥିବା ପଞ୍ଚମ ବାର୍ଷିକ ସର୍ଭେରେ ଏହି ର‍୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯାଇଛି। ଏହି ସର୍ଭେରେ ଭୁବନେଶ୍ୱର ୨୦୧୫ରେ ୧୮ତମ ସ୍ଥାନରେ ଥିବାବେଳେ ୨୦୧୬ରେ ୧୦ମ ସ୍ଥାନରେ ଥିଲା। ୨୦୧୭ ପାଇଁ ପ୍ରକାଶ ପାଇଥିବା ଏହି ତାଲିକାରେ ସୁରତ, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ମୁମ୍ବାଇ ଓ ରାଞ୍ଚି ଭଳି ସହରକୁ ପଛରେ ଭୁବନେଶ୍ୱର ପକାଇ ଆଗରେ ରହିବା ବିଏମ୍‌ସି ଓ ବିଡିଏର ପ୍ରଶାସନିକ ଦକ୍ଷତାକୁ ପ୍ରତିପାଦିତ କରିଛି। ର‍୍ୟାଙ୍କିଙ୍ଗ୍‌ର ଅଭିବୃଦ୍ଧି ହାର ହିସାବରେ ଭୁବନେଶ୍ୱର ଦ୍ୱିତୀୟ ସର୍ବାଧିକ ୧.୧ ମାର୍କ ହାସଲ କରିଥିବାବେଳେ ସୁରତ ୧.୩ମାର୍କ ହାସଲ କରିଛି।

ଏହି ସର୍ଭେରେ ୨୦ଟି ରାଜ୍ୟର ୨୩ଟି ପ୍ରମୁଖ ସହରକୁ ସାମିଲ୍‌ କରାଯାଇଥିଲା। ଏଥିରେ ନଗର ପ୍ରଶାସନ ବ୍ୟବସ୍ଥାର ମାନକୁ ନେଇ ୮୯ଟି ପ୍ରଶ୍ନ ପଚରାଯାଇଥିଲା। ବିଭିନ୍ନ ପ୍ରଶାସନିକ ସଂସ୍କାର ଯଥା କ୍ରେଡିଟ୍‌ ରେଟିଂ, ଡବଲ ଏଣ୍ଟ୍ରି ଆକାଉଣ୍ଟିଂ ବ୍ୟବସ୍ଥାର ପ୍ରଚଳନ, ଡିମାଣ୍ଡ କଲେକ୍ସନ ପୁସ୍ତକ ଆଦି ପ୍ରକାଶନ କ୍ଷେତ୍ରରେ ଭୁବନେଶ୍ୱର ଭଲ ପ୍ରଦର୍ଶନ କରିଛି। ଏହାସହିତ ଅଡିଟେଡ୍‌ ଆର୍ଥିକ ବିବରଣୀ, ପୌର କର୍ମଚାରୀଙ୍କ ସମ୍ପର୍କିତ ତଥ୍ୟାବଳୀ ଏବଂ ଆଭ୍ୟନ୍ତରୀଣ ଅଡିଟ୍‌ ରିପୋର୍ଟ ଇତ୍ୟାଦି ଅନଲାଇନ୍‌ରେ ଉପଲବ୍ଧ ଥିବାରୁ ଭୁବନେଶ୍ୱରକୁ ଏହି ସଫଳତା ମିଳିଛି।

ସମ୍ବନ୍ଧିତ ଖବର