ଭୁବନେଶ୍ୱର : ତାତିରେ ଜଳୁଛି ରାଜଧାନୀ। ଦୁଇ ଦିନ ହେଲା ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସାଧାରଣ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଥିବା ବେଳେ ସ୍କୁଲ ପିଲା ଛଟପଟ ହେଉଛନ୍ତି। ପୂର୍ବାହ୍ନ ୧୧ଟାରୁ ତାତିର ମାତ୍ରା ଏତେ ବଢ଼ିଯାଉଛି ଯେ, ଘରକୁ ଫେରିବା ବେଳେ ପିଲାମାନେ ଡହଳବିକଳ ହୋଇପଡ଼ୁଛନ୍ତି। ଚଳିତବର୍ଷ ଭୁବନେଶ୍ୱରର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି। ମାର୍ଚ ମାସରେ ତାପମାତ୍ରା ବଢ଼ିଥିଲେ ମଧ୍ୟ ଆଜି ଭଳି ତାତି କେବେ ବି ଅନୁଭୂତ ହୋଇ ନ ଥିଲା।

Advertisment

ସବୁଠାରୁ ବଡ଼ କଥା ହେଉଛି ଗତ ୭ ଦିନ ମଧ୍ୟରେ ତାପମତ୍ରା ଯେଉଁଭଳି ଭାବେ ବୃଦ୍ଧି ପାଇଛି ଆଗରୁ କେବେ ବି ଏଭଳି ହୋଇ ନ ଥିଲା। ୪ ଦିନ ତଳେ ରାଜଧାନୀର ସର୍ବାଚ୍ଚ ତାପମାତ୍ରା ୩୩ ଡିଗ୍ରି ଭିତରେ ରହିଥିଲା। ଆଜି ତାହା ୪୧.୨ ଡିଗ୍ରିରେ ପହଞ୍ଚିଛି। ତାପମାତ୍ରା ଏଭଳି ବୃଦ୍ଧି ପାଇବା ଚଳିତବର୍ଷର ପ୍ରଥମ ଘଟଣା। ଆଗରୁ କେବେ ବି ରାଜଧାନୀରେ ଏଭଳି ତାତି ବଢ଼ି ନ ଥିଲା। ଗତକାଲି ୩୯.୯ ଡିଗ୍ରି ରହିଥିଲା। ୨୪ ଘଣ୍ଟା ମଧ୍ୟରେ ତାହା ୧.୩ ଡିଗ୍ରି ବଢ଼ି ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ ପହଞ୍ଚିଛି।

ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ତାତି ପ୍ରବଳ ରହିଥିଲା। ଅପରାହ୍ଣ ପ୍ରାୟ ୧ଟା ୧୫ ବେଳକୁ ତାପମାତ୍ରା ୪୦ ଡିଗ୍ରି ପାର ହୋଇଯାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ସମୟରେ ତାପମାତ୍ରା ୩୯ ଡିଗ୍ରି ତଳକୁ ଖସି ନ ଥିଲା। ଯେଉଁମାନେ ଶୀତତାପ ନିୟନ୍ତ୍ରିତ କାର୍‌ରେ ଯାତ୍ରା କରୁଥିଲେ ସେମାନେ ଆଶ୍ୱସ୍ତି ଅନୁଭବ କରୁଥିଲେ। ବାଇକ୍‌ ଓ ପାଦରେ ଚାଲିଚାଲି ଯାଉଥିବା ଲୋକେ ତାତିରେ ଛଟପଟ ହେବା ଛଡ଼ା କୌଣସି ଉପାୟ ନ ଥିଲା। ଯାତ୍ରୀବାହୀ ବସ୍‌ରେ ମଧ୍ୟ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରୁ କଟକ ଯାଉଥିବା ସାଧାରଣ ବସ୍‌ରେ ଯାତ୍ରୀ ଚଢ଼ୁ ନ ଥିଲେ। ଏସି ବସ୍‌ରେ ଯିବା ଲାଗି ଯାତ୍ରୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅନ୍ୟପକ୍ଷରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କୁ ତାତିରୁ ନିସ୍ତାର ମିଳିବ ନାହିଁ। ୧୯ ତାରିଖ ବେଳକୁ ତାପମାତ୍ରା ୪୨ ଡିଗ୍ରି ଛୁଇଁପାରେ। ୧୭ ତାରିଖରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପାଣିପାଗ ବିଜ୍ଞାନୀଙ୍କ ମତରେ ପୂର୍ବାହ୍ନ ସମୟରେ ରାଜଧାନୀ ଆକାଶ ମେଘମୁକ୍ତ ରହୁଥିବାରୁ ତାପମାତ୍ରା ବଢ଼ିଯାଉଛି। ଗଛପତ୍ର ବି ହଲୁନି। ଗାଡ଼ି ଧୂଆଁ ସାଙ୍ଗକୁ ପରିବେଶର ପ୍ରଦୂଷଣ ପ୍ରଭାବ ବାୟୁମଣ୍ଡଳ ଉପରେ ପଡ଼ୁଛି। ତେଣୁ ତାତି ଅସହ୍ୟ ହେଉଛି ବୋଲି ଆଲୋଚନା ହେଉଛି।