ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ପରେ ଜାଗା ଅଭାବ କାରଣରୁ ସହର ବାହାରେ ରାଜ୍ୟ ସରକାର ଭୁବନେଶ୍ବର ଭଳି ଅତ୍ୟାଧୁନିକ ସେବା ଉପଲବ୍ଧ ହୋଇପାରୁଥିବା ନୂଆ ସହର ଗଢ଼ୁଛନ୍ତି। ଟାଉନ୍ ପ୍ଲାନିଂ ଯୋଜନାରେ ନୂଆ ସହର ଗଢ଼ି ଜନବସତି ସ୍ଥାପନର ଲକ୍ଷ୍ୟ ରଖିଛନ୍ତି। ଉଭୟ ପୁରୁଣା ସହର ଓ ନୂଆ ସହର ଭିତରେ ଗମନାଗମନକୁ ସୁଦୃଢ଼ କରିବା ପାଇଁ ବିସ୍ତୃତ ରିଂ ରୋଡ୍କୁ ମଞ୍ଜୁର କରିଛନ୍ତି। ପ୍ରାୟ ୬୫ କିଲୋମିଟରର ୨୦୦ ଫୁଟର ଓସାରିଆ ରିଂ ରୋଡ୍ ତିଆରି ହେବ। ଏହି ରିଂ ରୋଡ୍ ରାଜଧାନୀର ଟ୍ରାଫିକ୍ ଚାପକୁ ବି କମାଇବ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରିଂ ରୋଡ୍ର ଟେଣ୍ଡର ସରିଛି। କିନ୍ତୁ ଆନ୍ତରିକତା ଅଭାବରୁ ୧୦ ବର୍ଷରେ ରିଂ ରୋଡ୍ର ୧୦ ପ୍ରତିଶତ କାମ ବି ସରିନି। ଯଦ୍ବାରା ରାଜଧାନୀର ଭିଡ଼ ଚାପ ତ ବଢ଼ୁଛି, ଏହାସହ ଟାଉନ୍ ପ୍ଲାନିଂ ଯୋଜନା ଗୁରୁତର ଭାବେ ପ୍ରଭାବିତ ହେଉଛି। ଟାଉନ୍ ପ୍ଲାନିଂ ଯୋଜନା ଅଞ୍ଚଳକୁ ପାଣି, ବିଜୁଳି ଆଦି ଭିତ୍ତିଭୂମି ପଡ଼ିପାରୁନି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଟାଉନ୍ ପ୍ଲାନିଂ ଅଞ୍ଚଳରେ ରାସ୍ତା, ନାଳ ନିର୍ମାଣ ସରିଥିଲେ ବି ରିଂ ରୋଡ୍ରେ ମାଟି ମୁଠେ ପଡ଼ିନି। ଫଳସ୍ବରୂପ ଟିପିସିଓଡିଏଲ୍, ୱାଟ୍କୋ ବିଜୁଳି, ପାଣି ସଂଯୋଗ ଦେବାକୁ ମନା କରିଦେଇଛନ୍ତି। ଏଥିରୁ କାହାରି ଭିତରେ ସମନ୍ବୟ ନ ଥିବା ଜଳଜଳ ଦିଶୁଛି। ଚଳିତ ମାସରେ ଏକ ଉଚ୍ଚସ୍ତରୀୟ ବୈଠକରେ ରିଂ ରୋଡ୍ କାମର ମନ୍ଥରତାକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ପୂର୍ତ୍ତ ବିଭାଗ କାମରେ ତତ୍ପରତା ଦେଖାଇବାକୁ କୁହାଯାଇଛି।
ତିଆରି ହେବ ୬୫ କିମିର ୨୦୦ ଫୁଟିଆ ଚଉଡ଼ା ରାସ୍ତା
ରିଂ ରୋଡ୍ କାମ ପାଇଁ ଆଗେଇ ପାରୁନି ଟିପି ଯୋଜନା
ପୂର୍ତ୍ତ ବିଭାଗ ନେଇଛି କାମ, ସମନ୍ବୟର ଘୋର ଅଭାବ
୨୦୧୪-୧୫ ମସିହାରେ ଭୁବନେଶ୍ବର ରିଂ ରୋଡ୍ ଓ ଟାଉନ୍ ପ୍ଲାନିଂ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ ମିଳିଥିଲା। ରିଂ ରୋଡ୍ ଓ ୪୫ଟି ଟାଉନ୍ ପ୍ଲାନିଂ ଯୋଜନାକୁ ମିଶାଇ ୯୮୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କେବଳ ରିଂ ରୋଡ୍ ପାଇଁ ପୂର୍ତ୍ତ ବିଭାଗକୁ ୧୪୦୦ କୋଟି ଟଙ୍କା ଦିଆଯାଇଛି। ବାକି ୮୪୮୦ କୋଟି ଟଙ୍କା ବିଡିଏର ଟାଉନ୍ ପ୍ଲାନିଂ ଯୋଜନା ଅନ୍ତର୍ଭୁକ୍ତ ରାସ୍ତା, ଡ୍ରେନ୍ ଆଦି ବିକାଶରେ ଖର୍ଚ୍ଚ ହେଉଛି। ରିଂ ରୋଡ୍ ଭୁବନେଶ୍ବର ସହର ବାହାରେ ଚାରିଦିଗରୁ ଜାତୀୟ ରାଜପଥକୁ ଯୋଡ଼ିବ। ଧଉଳି, ବିଜିପୁର, ଚନ୍ଦକା ଓ ପାହାଳ ରିଂ ରୋଡ୍ର ମୁଖ୍ୟ ଛକ ହେବ। ଯଦ୍ବାରା ଲୋକେ ଭିଡ଼ରେ ନ ଫସି କମ୍ ସମୟରେ ଜାତୀୟ ରାଜପଥକୁ ବାହାରି ପାରିବେ। ୪୫ଟି ଟାଉନ୍ ପ୍ଲାନିଂ ପ୍ରକଳ୍ପ ସହ ଏହି ରିଂ ରୋଡ୍ ଯୋଡ଼ି ହେଉଥିବାରୁ ନୂଆ କରି ଗଢ଼ିଉଠୁଥିବା ଏହି ସହରର ଲୋକେ ବି ସୁବିଧାରେ ଯା’ଆସ କରିପାରିବେ। କିନ୍ତୁ ରିଂ ରୋଡ୍ କାମ ଇଞ୍ଚେ ବି ଆଗେଇନି। ରିଂ ରୋଡ୍ କାମର ତଦାରଖ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ରହିଛି। ଯେଉଁଥିରେ ନିର୍ମାଣ ବିଭାଗ, ବିଡିଏ, ଟିପିସିଓଡିଏଲ୍, ୱାଟ୍କୋର ଅଧିକାରୀ ରହିଛନ୍ତି। କିନ୍ତୁ ଏହି କମିଟି ସ୍ଥାଣୁ ପାଲଟିଛି। ଏଣୁ ଏ ଉପରେ ମନ୍ତ୍ରୀ ଅବା ମୁଖ୍ୟ ସଚିବଙ୍କ ସ୍ତରରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/30/dghsfhxvb-2025-08-30-04-22-59.jpg)