ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର କାୟାବୃଦ୍ଧି ସହ ଟ୍ରାଫିକ୍ ସମସ୍ୟା ବି ଜଟିଳ ହେବାରେ ଲାଗିଛି। ଏହି ଭିଡ଼ ଚାପକୁ କମାଇବାକୁ ରିଂ ରୋଡ୍ର ପରିକଳ୍ପନା କରାଯାଇଛି। ୬୦ ମିଟର ଓସାର ଓ ୬୫ କିଲୋମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତା ପୂର୍ତ୍ତ ବିଭାଗ କରୁଛି। କିନ୍ତୁ ପୂର୍ତ୍ତ ବିଭାଗର ଆନ୍ତରିକତାର ଅଭାବ ପ୍ରକଳ୍ପର ଅଗ୍ରଗତିରେ ପ୍ରତିବନ୍ଧକ ସାଜିଛି। ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ଭାବେ ଜମି ଅଧିଗ୍ରହଣ ସହ ୯.୫ କିଲୋମିଟର ରାସ୍ତା କାମ ନେଇଛି। କିନ୍ତୁ ଗତ ୧୦ ବର୍ଷ ଭିତରେ ପୂର୍ତ୍ତ ବିଭାଗ ମାତ୍ର ୩୦୦ ମିଟର ଜମି ଅଧିଗ୍ରହଣ କରିଛି । ସେପଟେ ପୂର୍ତ୍ତ ବିଭାଗ ବିଡିଏ ଟାଉନ୍ ପ୍ଲାନିଂ ଯୋଜନା ଅନ୍ତର୍ଭୁକ୍ତ ଯେଉଁ ରିଂ ରୋଡ୍ କାମ ନେଇଛି, ସେଥିରେ ବି ମନ୍ଥରତା ଦେଖାଦେଇଛି। ଯେଉଁଥିପାଇଁ ବିଜୁଳି, ପାଣି ଆଦି କାମ ବି ଆଗେଇ ପାରୁନି କି ରାଜ୍ୟ ସରକାର ଯେଉଁ ନୂଆ ଟାଉନ୍ ପ୍ଲାନିଂ ଯୋଜନାର ପରିକଳ୍ପନା କରିଛନ୍ତି, ତାହା ପୂର୍ଣ୍ଣରୂପ ନେଇ ପାରୁନି। ରିଂ ରୋଡ୍ କାମର ତଦାରଖ ପାଇଁ ଏକ ଉଚ୍ଚସ୍ତରୀୟ ତଦାରଖ କମିଟି ରହିଛି। କିନ୍ତୁ ଏହି କମିଟି ସ୍ଥାଣୁ ପାଲଟିଛି।
୬୫ କିମିର ୬୦ ଫୁଟିଆ ଚଉଡ଼ା ରାସ୍ତା
ରିଂ ରୋଡ୍ ଭୁବନେଶ୍ବର ସହର କଡ଼େ କଡ଼େ ଚାରିଦିଗରୁ ପ୍ରମୁଖ ରାସ୍ତାକୁ ଯୋଡ଼ିବ। ଧଉଳି, ବିଜିପୁର, ଚନ୍ଦକା ଓ ପାହାଳ ଏହି ରାସ୍ତାର ମୁଖ୍ୟ ଜଙ୍କସନ୍(ଛକ) ହେବ। ପୁରୀ ପାର୍ଶ୍ବରୁ ଧଉଳି, ଖୋର୍ଦ୍ଧା ପାର୍ଶ୍ବରୁ ବିଜିପୁର, କଟକ ପାର୍ଶ୍ବରୁ ପାହାଳ ଓ ଚନ୍ଦକାଠାରେ ଏହା ଜାତୀୟ ରାଜପଥ ସହ ମିଶିବ। ଯଦ୍ବାରା ଲୋକେ ଭିଡ଼ ଭିତରେ ନ ପଶି ବହୁ କମ ସମୟ ଭିତରେ ଓ ସହଜରେ ଜାତୀୟ ରାଜପଥକୁ ବାହାରି ପାରିବେ। ଅପରପକ୍ଷେ ଭୁବନେଶ୍ବର ମହାନଗର ନିଗମ ପାଇଁ ଯେଉଁ ୪୫ଟି ଟାଉନ୍ ପ୍ଲାନିଂ ଯୋଜନା କରାଯାଇଛି, ତାହା ବି ଏହି ରିଂ ରୋଡ୍ ସହ ଯୋଡ଼ି ହେବ। ରିଂ ରୋଡ୍କୁ ଜୋନ୍-୧, ଜୋନ୍-୨, ଜୋନ୍-୩ ଓ ଜୋନ୍-୪ରେ ବିଭକ୍ତ କରାଯାଇଛି। ଜୋନ୍-୧ରେ ତମାଣ୍ଡୋରୁ ଚନ୍ଦକା ପର୍ଯ୍ୟନ୍ତ ୧୪.୯୮୪ କିମି, ଜୋନ୍-୨ରେ ଚନ୍ଦକାରୁ ପାହାଳ ପର୍ଯ୍ୟନ୍ତ ୧୯.୮୧୫ କିମି, ଜୋନ୍-୩ରେ ଏନ୍ଏଚ୍-୧୬ରୁ ଏନ୍ଏଚ୍-୩୧୬ ପର୍ଯ୍ୟନ୍ତ ୧୫.୮୪୪ କିମି ଓ ଜୋନ୍-୪ରେ ଧଉଳିରୁ ତମାଣ୍ଡୋ ପର୍ଯ୍ୟନ୍ତ ୧୪.୨୯୧ କିମିର ରିଂ ରୋଡ୍ ହେବ।
୨୦୧୪-୧୫ ଆର୍ଥିକ ବର୍ଷରେ ଭୁବନେଶ୍ବର ରିଂ ରୋଡ୍ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଅନୁମୋଦିତ ଡିପିଆର୍ ଅନୁଯାୟୀ, ରିଂ ରୋଡ୍ ଓ ୪୫ଟି ଟାଉନ୍ ପ୍ଲାନିଂ ଯୋଜନାକୁ ମିଶାଇ ୯୮୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ ରିଂ ରୋଡ୍ ପାଇଁ କେବଳ ପୂର୍ତ୍ତ ବିଭାଗ ୧୪୦୦ କୋଟି ଟଙ୍କା ଖର୍ଚ୍ଚ କରିବ, ଯେଉଁଥିରୁ ଜମି ଅଧିଗ୍ରହଣରେ ପ୍ରାୟ ୧୨୦୦ କୋଟି ଓ ରାସ୍ତା କାମ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାକି ୮୪୮୦ କୋଟି ଟଙ୍କା ବିଡିଏର ଟାଉନ୍ ପ୍ଲାନିଂ ଯୋଜନା ଓ ଏହା ଅନ୍ତର୍ଭୁକ୍ତ ରିଂ ରୋଡ୍ କାମର ବିକାଶରେ ଖର୍ଚ୍ଚ ହେବ। ରିଂ ରୋଡ୍ରେ ପୂର୍ତ୍ତ ବିଭାଗ କରୁଥିବା ୯.୫ କିମି ରାସ୍ତାରେ ସର୍ବାଧିକ ଜମି ଅଧିଗ୍ରହଣ ହେବ। ଏଥିରେ ଟାଉନ୍ ପ୍ଲାନିଂ ଯୋଜନା ବାହାରେ ୫.୬ କିମିର ନୂଆ ରାସ୍ତା ନିର୍ମାଣ ହେବ, ଯାହା ପାଇଁ ସଂପୂର୍ଣ୍ଣ ଜମି ଅଧିଗ୍ରହଣ ହେବ ଓ ୮୦୫ କୋଟି ଟଙ୍କା ଖର୍ଚ୍ଚ ହେବ। ୧.୫ କିମି ରାସ୍ତା ୩୦ ମିଟରରୁ ୬୦ ମିଟରକୁ ଚଉଡ଼ା ହେବ। ଏଥିରେ ୧୯୫ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଜମି ଅଧିଗ୍ରହଣ ହେବ। ୨.୩ କିମି ରାସ୍ତା ୧୮ ମିଟରରୁ ୬୦ ମିଟର ହେବ ଓ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ବି ଜମି ଅଧିଗ୍ରହଣ ଆବଶ୍ୟକ। ବାକି ୧୫.୮ କିମିର ରାସ୍ତା ପୂର୍ବରୁ ୬୦ ମିଟର ଚଉଡ଼ା ରହିଛି ଓ ଏହାକୁ କେବଳ ରିଂ ରୋଡ୍ ସହ ଯୋଡ଼ାଯିବ।