‘ଭୁବନେଶ୍ବର ସାହିତ୍ୟ ପର୍ବ’ ଉଦ୍‌ଘା‌ଟିତ: ‘ମାନବଜାତି ସହ ସାହିତ୍ୟର ସଂପର୍କ ନିବିଡ଼’

ଭୁବନେଶ୍ବର: ସାହିତ୍ୟର ମୂଳ ଉଦ୍ଦେଶ୍ୟ ହିତ ସାଧନ ନୁହେଁ ବରଂ ଏହା ଆମ ସହିତ ରହି ବିବର୍ତ୍ତିତ ହୋଇ ଚାଲିଥାଏ। ମାନବଜାତି ସହିତ ସାହିତ୍ୟର ସଂପର୍କ ନିବିଡ଼। ସାମାଜିକ-ସାଂସ୍କୃତିକ ବ୍ୟବସ୍ଥାର ଅବବୋଧ ଓ ଅନୁଭୂତିକୁ ନେଇ ସାହିତ୍ୟିକ ଲେଖନୀ ଚାଳନା କରିଥାଏ। ତାହା ହିଁ ମଣିଷ ସହିତ ସାହିତ୍ୟର ସଂପର୍କକୁ ପ୍ରମାଣିତ କରି ଆସିଛି। ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିବା‘ଭୁବନେଶ୍ୱର ସାହିତ୍ୟ ପର୍ବ’ର ଉଦ୍‌ଘାଟନୀ ଅଧିବେଶନରେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ହରପ୍ରସାଦ ଦାସ ଉଦ୍‌ଘାଟକ ଭାବେ ଯୋଗଦେଇ ଏହା କହିଛନ୍ତି।

ଅନୁଷ୍ଠାନର ଉପସଭାପତି ତଥା କବି ରକ୍ଷକ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ବିଶିଷ୍ଟ କବୀ ଅପର୍ଣ୍ଣା ମହାନ୍ତି କହିଲେ, ସାହିତ୍ୟ ସବୁବେଳେ ପରିବର୍ତ୍ତନକୁ ସ୍ୱାଗତ କରିଆସିଛି ଓ ସମାଜ ବ୍ୟବସ୍ଥାରେ ସୁଧାର ଓ ସଂଶୋଧନ ପାଇଁ ମାର୍ଗ ଦର୍ଶାଇ ଆସିଛି। ଆଜି ଗ୍ରହଣୀୟ ଲାଗୁ ନଥିବା ସାହିତ୍ୟ କୃତୀ ଆସନ୍ତାକାଲିକୁ ଅଧିକ ମାତ୍ରାରେ ଆଦୃତ ହେବାର ସମ୍ଭାବନା ରହିଛି। ବିଶିଷ୍ଟ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଲେ, ସାଧାରଣତଃ ସାହିତ୍ୟିକମାନେ ସିନେମାକୁ ଭଲ ପାଆନ୍ତି ନାହିଁ। ଆଜି ଏଭଳି ଏକ ସୁନ୍ଦର ପର୍ବରେ ସାହିତ୍ୟ ଓ ସିନେମାକୁ ଯୋଡ଼ାଯାଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ବର୍ତ୍ତମାନ ସମୟରେ ସାହିତ୍ୟରେ ପାଠକ ଓ ସିନେମାରେ ଦର୍ଶକଙ୍କ ସଂଖ୍ୟାରେ ହ୍ରାସ ଘଟୁଛି।

ଏ ଦିଗରେ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଉତ୍ସବ ନିର୍ଦ୍ଦେଶକ ଅଶୋକ ସିଂହ ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ଉପସଭାପତି କବୀ ମାନି ଦାଶ ଧନ୍ୟବାଦ ଦେଇଥିଲେ। ପରେ ପରେ ‘ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନାର ଦିଗ’ ପ୍ରସଙ୍ଗ ଉପରେ ପ୍ରଫେସର ବସନ୍ତ ପଣ୍ଡା, ଦିଲ୍ଲୀପ ସ୍ୱାଇଁ, ଜ୍ଞାନୀ ଦେବାଶିଷ ମିଶ୍ର, ମମତା ପ୍ରିୟଦର୍ଶନୀ ସାହୁ ଆଲୋଚନା କରିଥିଲେ। ‘ଓଡ଼ିଆ ପତ୍ର ପତ୍ରିକାର ପ୍ରସାର ସଂକଟ’ ଶୀର୍ଷକ ଆଲୋଚନାଚକ୍ରରେ ଉପେନ୍ଦ୍ର ପ୍ରସାଦ ନାୟକ, ରମାକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଓ ଶୁଭ୍ରାଂଶୁ ପଣ୍ଡା ଅଂଶଗ୍ରହଣ କରିଥିଲେ। ସେହିପରି ‘ଆମ ଗପ: ଅନ୍ୟଠୁ ଭିନ୍ନ ଓ ଅନନ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ଆର୍ଯ୍ୟ ଯଜ୍ଞଦତ୍ତ, ବିୟତ୍‌ପ୍ରଜ୍ଞା ତ୍ରିପାଠୀ, ଅନିଲ ପାଢ଼ୀ, ରମେଶ ପଟ୍ଟନାୟକ ଅଂଶଗ୍ରହଣ କରିଥିବାବେଳେ ସରୋଜ ବଳ ସଂଯୋଜନା କରିଥିଲେ।‘ଅନୁବାଦକ ପାଇଁ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ଚିତ୍ତରଞ୍ଜନ ମିଶ୍ର, ପ୍ରଶାନ୍ତ ମହାନ୍ତି, ବଙ୍ଗାଳୀ ନନ୍ଦ, ସୋମେଶ ମହାପାତ୍ର ଅଂଶଗ୍ରହଣ କରିଥିଲେ ଓ ପ୍ରଦୀପ ରାୟ ସଂଯୋଜନା କରିଥିଲେ।

ସନ୍ଧ୍ୟାରେ ଗାୟିକା ଅନିନ୍ଦିତା ଦାସ ସଂଗୀତ ପରିବେଷଣ କରିଥିଲେ। ଏହାପରେ ହିମାଂଶୁ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବୃତ୍ତଚିତ୍ର ‘ଧୀର ପାଣି’ ପ୍ରଦର୍ଶିତ ହୋଇଥିଲା। ନନ୍ଦକିଶୋର ବିଶ୍ୱାଳ, ପ୍ରଦୀପ୍ତ ବାରିକ, ଆଭାସ ବରାଳ, ବିଧୁଭୂଷଣ ତ୍ରିପାଠୀ, ସଂଜୟ ମହାନ୍ତି, ଶାକ୍ୟସିଂହ ମହାପାତ୍ର ଓ ରାଜାରାମ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର