ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ପୁସ୍ତକ ଲୋକାର୍ପଣ ଉତ୍ସବ: ‘ଗଳ୍ପ ଜରିଆରେ ଭାରତ ବିଶ୍ୱକୁ ଜ୍ଞାନ ବିତରଣ କରି ଆସିଛି’

ଭୁବନେଶ୍ବର : ଗଳ୍ପ ଜରିଆରେ ଭାରତ ବିଶ୍ୱକୁ ଯୁଗେ ଯୁଗେ ଜ୍ଞାନ ବିତରଣ କରିଆସିଛି। ଆମର ମହାକାବ୍ୟ, ପୁରାଣ ଓ ଉପନିଷଦ ଆଦି କାହାଣୀ ଆଧାରରେ ଗଢ଼ି ଉଠିଛନ୍ତି। ନିଜ ଅଭିଜ୍ଞତାକୁ ସତ୍ୟଶୀଳ ଭାବରେ ପରିବେଷଣ କରିବାରେ ହିଁ ଗଳ୍ପର ସାର୍ଥକତା। ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ସାରସ୍ୱତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର ତଥା ସ୍ତମ୍ଭକାର ଦାଶ ବେନହୁର ଏହା କହିଛନ୍ତି। ସାହିତ୍ୟ ପାରସ୍ପରିକ ସହୃଦୟତାର କଥା କହେ ବୋଲି ସେ କହିଥିଲେ।

ଅନୁଷ୍ଠାନର ଉପସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତରୁଣ କଥାକାର ଶୈଳେନ୍ଦ୍ର ଜେନାଙ୍କ ଗଳ୍ପ ପୁସ୍ତକ ‘ଛତା’ ଲୋକାର୍ପିତ ହୋଇଥିଲା। କଥାଶିଳ୍ପୀ ହିରଣ୍ମୟୀ ମିଶ୍ର କହିଥିଲେ ଯେ କଥାକାର ନିଜ ଚାରିପାଖର ଚରିତ୍ର ଓ ଚିତ୍ରକୁ ଉପଯୋଗ କରି ପାଠକଙ୍କୁ ଗଳ୍ପ ସହ ଏକାତ୍ମ କରିପା‌ରେ। ଅଧ୍ୟାପକ ନେତାଜୀ ଅଭିନନ୍ଦନ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ। ଗାଳ୍ପିକ ଶ୍ରୀ ଜେନା ମଧ୍ୟ ବକ୍ତବ୍ୟ ରଖିଥିଲେ।

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତରୁଣ କବି ଶକ୍ତି ମହାନ୍ତି ‘ଏ ମାସର କବି’ ଭାବରେ ନିଜର ତିନୋଟି କବିତା ଆବୃତ୍ତି କରିଥିଲେ। ବିଜନବାଳା ପାଟ୍ଟଯୋଶୀଙ୍କ ସଂଯୋଜନାରେ ଅଭୟ ନାରାୟଣ ନାୟକ, ମିହିରକାନ୍ତି ଦାଶ, ପ୍ରମୋଦ କୁମାର ପଣ୍ଡା, ବିଜୟଲକ୍ଷ୍ମୀ ସାହୁ, ସୁନନ୍ଦା ମିଶ୍ର, ରଶ୍ମି ଦାସ, ରମେଶ ପ୍ରସାଦ ମହାନ୍ତି, ପବିତ୍ର ମୋହନ କର, ଉମାକାନ୍ତ ରାଉତ (ଅରୂପ), ପୀତାମ୍ବର ଭୋଇ, ସଂଜୁଲତା ମହାନ୍ତି ପଟ୍ଟନାୟକ, ପ୍ରିୟରଂଜନ ସାହୁ, ସୁଧୀର ମଉଡ଼ମଣି ଓ ଶାକ୍ୟସିଂହ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ। ମିନତି ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର