ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ବାର୍ଷିକ ସାରସ୍ୱତ ସମାଗମ : ସାହିତ୍ୟ ସମାଜର ଉତ୍ତରଣରେ ପ୍ରମୁଖ ସାରଥି: ରାଜ୍ୟପାଳ

ଭୁବନେଶ୍ୱର : ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ। କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ। ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ। କୌଣସି ପ୍ରତ୍ୟାଶା ନ ରଖି ସେ ସମାଜର ହିତସାଧନ କରୁଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ‘ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ’ର ବାର୍ଷିକ ସାରସ୍ୱତ ସମାଗମ ‘ଶୀତ ଉତ୍ସବ’ରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ କହିଲେ, ସାହିତ୍ୟ କେବଳ ସମାଜର ପ୍ରକୃତ ଛବି ଦେଖାଏନି, ସମାଜର ଗତି ଓ ପ୍ରକୃତିକୁ ନିୟନ୍ତ୍ରିତ କରେ। ଭବିଷ୍ୟତକୁ ମାର୍ଗଦର୍ଶନ କରାଏ। ସାହିତ୍ୟ ହେଉଛି ସମାଜର ଉତ୍ତରଣରେ ପ୍ରମୁଖ ସାରଥି। ଏହ‌ା ହେଉଛି ଆନନ୍ଦମୟ କୋଷର କଥା ଏବଂ ସାହିତ୍ୟିମାନେ ହେଉଛନ୍ତି ଆନନ୍ଦମୟ କୋଷର ମାଲିକ। ମଣିଷ ଆନନ୍ଦରୁ ଆସିଛି, ଆନନ୍ଦରେ ରହିବ ଏବଂ ଆନନ୍ଦକୁ ଚାଲିଯିବ। ସେ ନିଜେ ହିଁ ନିଜର ଆଲୋକ। ବାହାରର ଦିଗ୍‌ଦର୍ଶନକୁ ଅପେକ୍ଷା ନକରି ନିଜ ଭିତରର ସ୍ୱରକୁ ଶୁଣିବାକୁ ରାଜ୍ୟପାଳ ସମବେତ ସାହିତ୍ୟିକ ଓ ଶିଳ୍ପୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ପ୍ରତିଭା ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ, ସାହିତ୍ୟ ସବୁବେଳେ ସଂକଟର ସମାଧାନ ପାଇଁ ବାଟ ଦେଖାଇଥାଏ। ସମାଜ ମଣିଷ ପାଇଁ ଅପରିହାର୍ଯ୍ୟ। ସେହିପରି ସାହିତ୍ୟ ସମାଜ ପାଇଁ ମଧ୍ୟ ଏକାନ୍ତ ଆବଶ୍ୟକ ବୋଲି ଡ. ରାୟ ପ୍ରକାଶ କରିଥିଲେ। ପଦ୍ମବିଭୂଷଣ ସୁଦର୍ଶନ ସାହୁ ସାହିତ୍ୟକୁ ଏକ ମହାସାଗର ସହ ତୁଳନା କରି ସାହିତ୍ୟ ହିଁ ତାଙ୍କ ସୃଜନକଳାର ପ୍ରମୁଖ ଉତ୍ସ ବୋଲି ସ୍ୱୀକାର କରିଥିଲେ। ଲେଖିକା ତଥା ଅର୍ଥନୀତିଜ୍ଞ ମନିକା ଦାସ ସାହିତ୍ୟରେ ନାରୀମାନଙ୍କର ସ୍ଥିତି ସଂପର୍କରେ ଆଲୋଚନା କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ବ୍ୟାପକ ଉନ୍ନତି ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଭୁବନେଶ୍ୱର ସାହିତ୍ୟ ସମାଜର ଉପଦେଷ୍ଟା ଗୁରୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଟ୍ରଷ୍ଟର ସଭାପତି କବି ସୂର୍ଯ୍ୟ ମିଶ୍ର ଭାରତୀୟ ସାହିତ୍ୟକୁ ଏକ ହିରଣ୍ମୟ ପାତ୍ର ଭାବରେ ଅଭିହିତ କରିଥିଲେ। ସଂପାଦିକା ସୋନାଲି ମହାପାତ୍ର ଅନୁଷ୍ଠାନର ବିବରଣୀ ପାଠ କରିଥିଲେ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ ବିଶିଷ୍ଟ କବି ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ’ ଓ ଶିଳ୍ପୀ ରମାକାନ୍ତ ସାମନ୍ତରାୟଙ୍କୁ ‘ଦିନନାଥ ପାଠୀ ସ୍ମୃତି ଶିଳ୍ପୀ ସମ୍ମାନ’ ପ୍ରଦାନ କରିଥିଲେ। ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘କବିତା ୨୦୨୦’, ଗୁରୁ ମହାନ୍ତି ‘ଅଫେରା’, ସ୍ୱପ୍ନାରାଣୀ ସିଂହଙ୍କ ‘ପାଶ୍ଚାତ୍ୟ ସାହିତ୍ୟିକ ଆନ୍ଦୋଳନ ଓ ତତ୍ତ୍ୱ’, ଡ. ଅଭୟ ନାରାୟଣ ନାୟକଙ୍କ ‘ଅସୀମ ଆକାଶ’, ସୂର୍ଯ୍ୟ ମିଶ୍ରଙ୍କ ଅନୂଦିତ ଉପନ୍ୟାସ ‘ଅର୍ଦ୍ଧନାରୀଶ୍ୱର’, କବିତା ପୁସ୍ତକ ‘ଅନେକ ନିଦ୍ରିତ ଛାଇ’, କବି ସୁଧା ପଟ୍ଟନାୟକଙ୍କ ‘ମୁକ୍ତିପଥ’, ପ୍ରଜ୍ଞା ପ୍ରବର୍ତ୍ତିକା ଦାସଙ୍କ ରଚିତ ଉପନ୍ୟାସ ‘ନିଖୋଜ’ ଆଦି ଏହି ଅବସରରେ ଉନ୍ମୋଚିତ ହୋଇଥିଲା।

ବିଶିଷ୍ଟ ଉପସ୍ଥାପିକା ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଉପସ୍ଥିତ ଥିଲେ। ଉତ୍ସବର ଦ୍ୱିତୀୟ ଅଧିବେଶନରେ ହୃଷୀକେଶ ମେହେର ଓ ଅନୁଷ୍ଠାନର ଉପସଭାପତି ମିନତି ଦାଶଙ୍କ ଯୁଗ୍ମ ସଭାପତିତ୍ୱରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ନୀଳଲୋହିତ ମହାପାତ୍ର ଓ ଅଧ୍ୟାପିକା ସୌଦାମିନୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ରୁ ଊର୍ଧ୍ବ କବି ସ୍ୱରଚିତ କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର