ବାଂଲା ରୂପଜୀବୀ ଧରାପଡ଼ିବା ଘଟଣା : ଅଞ୍ଜଳିକୁ ମାରାଥନ୍‌ ଜେରା

ଗିରଫ ରୂପଜୀବୀଙ୍କ ସହ ବି ମୁହାଁମୁହିଁ ଜେରା କରାଯିବ, ଆଉ ଜଣେ ଦଲାଲ ସମ୍ପର୍କରେ ସୂଚନା ଦେଲା

ଭୁବନେଶ୍ବର : କ୍ରାଇମ ବ୍ରାଞ୍ଚ ଏସ୍‌ଟିଏଫ୍‌ର ଦୁଇ ଦିନିଆ ରିମାଣ୍ଡରେ ଥିବା ରାଣୀ ମହୁମାଛି ଅଞ୍ଜଳି ଓ ସେକ୍ ଇବ୍ରାହିମଙ୍କୁ ମାରାଥନ ଜେରା କରାଯାଉଛି। ବି‌ଶେଷକରି ଅଞ୍ଜଳିଙ୍କୁ ଏକ ସ୍ବତନ୍ତ୍ର ମହିଳା ପୁଲିସ ଅଧିକାରୀ ଗୁଡ଼ାଇ ତୁଡ଼ାଇ ଜେରା‌ କରିଛନ୍ତି। ସେ ବାଂଲାଦେଶରୁ ଯୁବତୀମାନଙ୍କୁ କେମିତି ଓଡ଼ିଶା ଆଣୁଥିଲା, ସେ ନେଇ ଜୋରଦାର ପଚରା ଉଚରା କରାଯାଉଛି। ଏହି ଜେରା ବେଳେ ଅଞ୍ଜଳିଙ୍କଠାରୁ ଜଣେ ଦଲାଲ ସମ୍ପର୍କରେ ସୂଚନା ମିଳିଛି। ତାକୁ ଗିରଫ କରିବାକୁ ଏସ୍‌ଟିଏଫ୍‌ ଏବେ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ତାରି ମାଧ୍ୟମରେ ଅଞ୍ଜଳି ରୂପଜୀବୀମାନଙ୍କୁ ଭୁବନେଶ୍ବର ଆଣୁଥିଲା। ସେହିପରି ଏସ୍‌ଟିଏଫ୍‌ ଯୋଜନା କରିଛି ଯେ ଅଞ୍ଜଳିକୁ ସୁଧାର ଗୃହକୁ ନିଆଯାଇ ରୂପଜୀବୀମାନଙ୍କ ସମ୍ମୁଖରେ ମୁହାଁମୁହିଁ ଜେରା କରାଯିବ। ଏହାଦ୍ବାରା ଅନେକ ତଥ୍ୟ ମିଳିପାରିବ। ସେହିପରି ଅଞ୍ଜଳିଙ୍କୁ ରିମାଣ୍ଡରେ ଆଣିବା ପରେ ରାଜଧାନୀରେ ଥିବା କେତେକ ବାଂଲାଦେଶୀ ରୂପଜୀବୀ କୋଲାକାତା ଚାଲି ଯାଇଛନ୍ତି। ସେମାନଙ୍କ ସମ୍ପର୍କରେ ପୁଲିସ ଏସ୍‌ଟିଏଫ୍‌ ଖୋଳତାଡ଼ କରୁଛି। ସେମାନଙ୍କୁ କୋଲକାତାରୁ ବି ଉଠାଇ ଆଣିବାକୁ ଯୋଜନା ହୋଇଛି।

ସେହିପରି କିଛି ଦିନ ତଳେ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିବା ୩ ଦଲାଲଙ୍କୁ ମଧ୍ୟ ରିମାଣ୍ଡରେ ନେଇପାରେ। କାରଣ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ଉତ୍ତମ ଜେନା ଓ ବିଜୟ ବାଂଲା ରୂପଜୀବୀମାନଙ୍କୁ କୋଲକାତାରୁ ଆଣି ଭୁବନେଶ୍ବରରେ ଅନୈତିକ କାର୍ଯ୍ୟରେ ଲଗାଇଥିଲେ। ତେଣୁ ସେମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି ଏସଟିଏଫ୍ ସୂଚନା ଦେଇଛି।

ସମ୍ବନ୍ଧିତ ଖବର