ରାଣୀ ମହୁମାଛି ଓ ପତି ଇବ୍ରାହିମ୍ ଗିରଫ
ପିପିଲିରେ କୋଟି କୋଟି ଟଙ୍କାର ସ୍ଥାବର ସଂପତ୍ତି!
୪ଦଲାଲଙ୍କୁ ଉଠାଇ ଆଣିଲା କମିସନରେଟ୍ ପୁଲିସ
ଭୁବନେଶ୍ବର : କ୍ରାଇମବ୍ରାଞ୍ଚର ଏସଟିଏଫ୍ ରାଜଧାନୀରେ ଚାଲୁଥିବା ହାଇପ୍ରୋଫାଇଲ ସେକ୍ସ ରୢାକେଟ୍ର ରାଣୀ ମହୁମାଛି ଓ ତାଙ୍କ ଦଲାଲ ପତି ଇବ୍ରାହିମ୍ ଖାନକୁ ଆଜି କୋର୍ଟଚାଲାଣ କରିଛି। ଦୁହିଁଙ୍କ ଘର ପିପିଲି ଥାନା ଅଧୀନ ଧାନଗୋହିରରେ। ଏମାନଙ୍କ ନିକଟରୁ ୫ଟି ନକଲି ଆଧାରକାର୍ଡ ଜବତ କରାଯାଇଛି। ଦୁହିଁଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରିଛି ଏସ୍ଟିଏଫ୍। କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ଯାହା ସୂଚନା ମିଳିଛି, ସେକ୍ସ ରୢାକେଟ୍ ଠାବ କରିବା ଉଦ୍ଦେଶ୍ୟ ନେଇ ଏସ୍ଟିଏଫ୍ ଗତକାଲି ଚଢ଼ଉ କରି ନ ଥିଲା। ଏସଟିଏଫ୍ର ଲକ୍ଷ୍ୟ ହେଉଛି, ରାଣୀ ମହୁମାଛି ଓ ରୂପଜୀବୀମାନେ ବାଂଲାଦେଶରୁ ସୀମା ପାର୍ ହୋଇ ଦେଶ ଭିତରକୁ ବେଆଇନ ଭାବେ ପ୍ରବେଶ କରିବା, ଏଠାରେ ବେଆଇନ ଭାବେ ନକଲି ଆଧାରକାର୍ଡ ପ୍ରସ୍ତୁତ କରି ରହିବା ଘଟଣାର ତଦନ୍ତକୁ ଅଧିକ ଗୁରୁତ୍ବ ଦିଆଯାଇଛି। ବିଶେଷକରି ଏନ୍ଆରସି ଲାଗୁ ହେବା ପରେ ରାଜ୍ୟରେ ବାଂଲାଦେଶୀମାନଙ୍କ ଉପରେ ନଜର ରଖିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଖୁବ୍ଶୀଘ୍ର ବାଂଲାଦେଶ ଦୂତାବାସ ସହ ଆଲୋଚନା କରାଯାଇ ଅଞ୍ଜଳି ସମେତ ୭ ଜଣ ରୂପଜୀବୀଙ୍କୁ ବାଂଲାଦେଶ ପଠାଇ ଦିଆଯିବ ବୋଲି ଏସଟିଏଫ୍ର ଉକ୍ତ ଅଧିକାରୀଜଣକ କହିଛନ୍ତି।
କିନ୍ତୁ ଏସଟିଏଫ ଏହା ପୂର୍ବରୁ ବାଂଲାଦେଶରୁ ଓଡ଼ିଶାକୁ ହେଉଥିବା ମାନବ ଚାଲାଣ ରୢାକେଟ୍ର ସନ୍ଧାନ ଆରମ୍ଭ କରିଛି। କେମିତି ସୀମା ଡେଇଁ ଭାରତରେ ପ୍ରବେଶ କରୁଛନ୍ତି? କେଉଁ ଉପାୟରେ ଜାଲ ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର ହାସଲ କରୁଛନ୍ତି? ବାଂଲାଦେଶରୁ କେତେ ଯୁବତୀ ଭୁବନେଶ୍ବର ଆସିଛନ୍ତି? କାହା ସହଯୋଗରେ ଏଠାରେ ରହୁଛନ୍ତି, କିଏ ଏମାନଙ୍କୁ ଆଶ୍ରୟ ଦେଉଛି। ଏସବୁର ମୂଳରେ ପହଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଏସଟିଏଫ୍। ସେହିପରି ଅଞ୍ଜଳି-ଇବ୍ରାହିମ୍ର ପିପିଲି ଅଞ୍ଚଳରେ ଦେଢ଼ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଘର, ଏକାଧିକ ମୂଲ୍ୟବାନ୍ ପ୍ଲଟ୍ ଓ ଫାର୍ସ ହାଉସ୍ ଥିବା ସୂଚନା ମିଳିଛି। ଇବ୍ରାହିମ୍ ପୂର୍ବରୁ ଚୋରା ବନ୍ଧୁକ କାରବାର ମାମଲାରେ ଗିରଫ ହୋଇଥିଲା। ଏ ନେଇ ଏସଟିଏଫ ଅନୁସନ୍ଧାନ ଆରମ୍ଭ କରିଛି।
ଏସ୍ଟିଏଫ୍ ପରେ କମିସନରେଟ ପୁଲିସ ନିଦ ଭାଙ୍ଗିଲା
ଗତକାଲି ଏସ୍ଟିଏଫ୍ ରାଣୀ ମହୁମାଛି ଅଞ୍ଜଳି ଓ ସେକ୍ ଇବ୍ରାହିମକୁ ଗିରଫ କରିବା ପରେ କମିସନରେଟ ପୁଲିସ ହଠାତ୍ ତତ୍ପର ହୋଇଉଠିଛି। ଆଜି ଅଞ୍ଜଳି ଦିଦିଙ୍କୁ ସେକ୍ସ ରୢାକେଟ୍ କାରବାରରେ ସହଯୋଗ କରୁଥିବା ୪ଜଣ ଦଲାଲଙ୍କୁ ଉଠାଇ ଆଣିଛି। ସମସ୍ତଙ୍କୁ ଲକ୍ଷ୍ମୀସାଗର ଓ ସ୍ପେସାଲ ସ୍କ୍ବାଡ୍ରେ ରଖାଯାଇ ଜେରା କରାଯାଉଛି।
ଯାହା ସୂଚନା ମିଳିଛି, ପୂର୍ବରୁ ଅଞ୍ଜଳି ସେକ୍ସ ରୢାକେଟ କିଙ୍ଗପିନ୍ ସୁନୀଲ ମେହେର ପାଇଁ କାମ କରୁଥିଲା। ଏହି ସମୟରେ ଇବ୍ରାହିମ୍ ଥିଲା ଅଟୋ ଚାଳକ। ସେ ହିଁ ଝିଅମାନଙ୍କୁ ଅଟୋରେ ନେଇ ଗ୍ରାହକମାନଙ୍କୁ ଯୋଗାଉଥିଲା। ଏହାରି ମଧ୍ୟରେ ଇବ୍ରାହିମ୍ ସହ ଅଞ୍ଜଳି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଅଞ୍ଜଳି ସୁନୀଲ ମେହେରଠାରୁ ଅଲଗା ହୋଇ ନିଜେ ରୢାକେଟ ଚଳାଇଥିଲା। ଏଥିରେ ସେ ବାଂଲାଦେଶରୁ ଯୁବତୀମାନଙ୍କୁ ଆଣି ଅନୈତିକ କାର୍ଯ୍ୟରେ ଲିପ୍ତ କରାଇଥିଲା। ଏଥିରେ ତାକୁ ଅଭି, ପ୍ରଶାନ୍ତ, ଉତ୍ତମ, ରାଜୁ ନାମକ କେତେକ ଯୁବକ ସହଯୋଗ ମଧ୍ୟ କରୁଥିଲେ। ଏମାନଙ୍କୁ କମିସନେରଟ ପୁଲିସ ଅଟକ ରଖିଛି।
ପୁଲିସ କହିବା ଅନୁଯାୟୀ, ଲକ୍ଷ୍ମୀସାଗର ଥାନାରେ ପୂର୍ବରୁ ଡିସେମ୍ବର ୨୫ତାରିଖରେ ଏକ ମାମଲା ହୋଇଥିଲା। ଯେଉଁଥିରେ ଜଣେ ବାଲାଂଦେଶୀ ରୂପଜୀବୀଙ୍କ ନାଁରେ ମାମଲା ହୋଇଥିଲା। ସେହି ମାମଲାରେ ଫେରାର ଥିବା କେତେକ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି।