ଭୁବନେଶ୍ବର: ବିଶ୍ବକପ୍ ହକି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାସ୍ତାଘାଟ ମରାମତି ସହ ସୌନ୍ଦର୍ଯ୍ୟୀକରଣ କାମ ଜୋର୍ସୋର୍ରେ ଚାଲିଥିବା ବେଳେ ମନୋରଞ୍ଜନ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ‘ଡଟ୍ଫେଷ୍ଟ’ ପାଇଁ ମଧ୍ୟ ଉତ୍ସାହ ବଢ଼ିବାରେ ଲାଗିଛି। ନିକଟ ଅତୀତରେ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ପାଇଁ ହୋଇଥିବା ଟେଣ୍ଡର୍ ଖୋଲିଛି। ସୋମବାର ସଂସ୍ଥା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ତା’ ପୂର୍ବରୁ ଏହି ଫେଷ୍ଟ୍ରେ କେଉଁ କଳାକାର ଯୋଗଦେବେ, ସେନେଇ ବିଚାରବିମର୍ଶ ଚାଲିଛି। ବଲିଉଡ୍ର ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସମେତ ହାସ୍ୟ ଅଭିନେତା, ନୃତ୍ୟଶିଳ୍ପୀଙ୍କୁ ଆମନ୍ତ୍ରଣ କରିବାକୁ ଯୋଜନା ହୋଇଛି। ତେବେ ବଲିଉଡ୍ର ପ୍ରଚ୍ଛଦପଟ ଗାୟିକା ନେହା କକ୍କର ଆସିବା ଏକପ୍ରକାର ନିଷ୍ପତ୍ତି ହୋଇଛି। ସେହିଭଳି ଓଡ଼ିଆ ଷ୍ଟାଣ୍ଡଅପ୍ କମେଡିଆନ୍ ବିଶ୍ବଜିତ ରଥ ମଧ୍ୟ ଏଠାରେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ଯାଉଥିବା ଜଣାପଡ଼ିଛି। ତେବେ ଚର୍ଚ୍ଚିତ ଟିଭି-ସୋ’ କପିଲ ଶର୍ମା ସୋ’ର ପ୍ରମୁଖ ନାୟକ କପିଲ ଶର୍ମାଙ୍କୁ ଆଣିବା ପାଇଁ ପ୍ରସ୍ତାବ ରହିଛି। ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ଏଜେନ୍ସି ସ୍ଥିର ହେବା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଝୁମିବ ଭୁବନେଶ୍ବର। ୧୩ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ଏହାର ଟେଣ୍ଡର୍ ଫାଇନାଲ ହୋଇଛି। କି’ ପ୍ରକାରର ଖାଦ୍ୟ ରହିବ, କେତେ ପରିମାଣର ରହିବ, ସେନେଇ ସମ୍ପୃକ୍ତ ଏଜେନ୍ସି ତାଲିକା ପ୍ରସ୍ତୁତ କରୁଛି। ତେବେ ଦେଶୀ ବିଦେଶୀ ସହ ସମସ୍ତ ପ୍ରକାରର ଖାଦ୍ୟ ସୁଲଭ ଦରରେ ଉପଲବ୍ଧ ହେବ। ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ ଏଠାରେ ପୂରା ଓଡ଼ିଶାର ଅନୁଭବ ଦେବ। ସେହିଭଳି ଡଟ୍ଫେଷ୍ଟ ୧୫ରୁ ୨୪ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ପଡ଼ିଆରେ ଅନୁଷ୍ଠିତ ହେବ।
ଏଥିରେ ପ୍ରସିଦ୍ଧ ଦେଶ ତଥା ବିଦେଶୀ କଳାକାର ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୧୪ରୁ ୧୭ ପର୍ଯ୍ୟନ୍ତ ୪ଟି ପାର୍କରେ ଭୂଫେଷ୍ଟ ଆୟୋଜିତ ହେବ। ଓଡ଼ିଆ ସହ ବିଭିନ୍ନ ଭାଷାରେ ପ୍ରସିଦ୍ଧ କଥାକାର ପିଲାମାନଙ୍କୁ ଗପ କହିବେ। ଏଥରର ଆକର୍ଷଣ ହେବ ନାଇଟ୍ ବଜାର। ଏକାମ୍ର ହାଟରେ ଏହା ୧୫ରୁ ୨୯ ପର୍ଯ୍ୟନ୍ତ ୧୫ଦିନ ଧରି ଚାଲିବ। ରାଜ୍ୟ ତଥା ରାଜ୍ୟ ବାହାରର ସାମଗ୍ରୀ ସହ ସମସ୍ତ ଘରକରଣା ସାମଗ୍ରୀ ଉପଲବ୍ନେ ହେବ। ଅନେକ ପ୍ରସିଦ୍ଧ ବୁଣାକାର ଏଠାରେ ଗ୍ରାହକଙ୍କ ପସନ୍ଦର ଜିନିଷ ବୁଣି ବିକ୍ରି କରିବା ଭଳି ବ୍ୟବସ୍ଥା ରହିବ। ସାରା ରାତି ଲୋକମାନେ ଏହି ବଜାରର ମଜା ନେବେ। ବଡ଼କଥା ହେଉଛି ଏଥର ଏହି ନାଇଟ୍ ବଜାରରେ ବା ଏକାମ୍ର ହାଟରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶାର ସ୍ବନାମଧନ୍ୟ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଗୀତ, ନାଚ ସହ ୟୁଟ୍ୟୁବ୍ରେ କମେଡି କରି ଚର୍ଚ୍ଚାରେ ଥିବା କିଛି କଳାକାର ମଧ୍ୟ ହାସ୍ୟରସ ପରିବେଷଣ କରିବେ।
ଏହାବ୍ୟତୀତ ‘ସିଟି ଟ୍ରେଲ୍’ ମଧ୍ୟ ଏଥର ଅନ୍ୟତମ ଆକର୍ଷଣ ହେବ। ନେଚର ୱାକ୍, ବାର୍ଡ ୱାଚିଙ୍ଗ୍, ସଫାରି ଯାତ୍ରା, ଔଷଧୀୟ ବଗିଚା ବୁଲା, ବନ୍ୟପ୍ରାଣୀ ଫଟୋଗ୍ରାଫି ସହ ପୂର୍ବରୁ କେହି ଦେଖି ନଥିବା ଭୁବନେଶ୍ବରର କେତେକ ଫଟୋ ସହ ଭିଡିଓ ଦେଖିବାକୁ ମିଳିବ। ଏଥିପାଇଁ ପ୍ରସ୍ତୁତି ଜୋର୍ସୋର୍ରେ ଚାଲିଛି। ଅନ୍ୟପଟେ ବିଏମ୍ସି ୧୫ ତାରିଖରୁ ଜନପଥରେ ପଥୋତ୍ସବ ଆୟୋଜନ କରିବ। ଏଥିରେ ସକାଳୁ ସକାଳୁ ରାଜଧାନୀବାସୀ ଗୀତ, ନାଚ ସହ ବିଭିନ୍ନ ଖେଳର ମଜା ନେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।