ଭୁବନେଶ୍ବର : କାମ ଦେଲା ବାଧ୍ୟତାମୂଳକ କ୍ବାରାଣ୍ଟିନ୍ ଦଣ୍ଡ। ସଟ୍ଡାଉନ୍ ଉଲ୍ଲଙ୍ଘନ କରି ପ୍ରଥମ ଦିନ ୪୬ଜଣଙ୍କୁ ବାଧ୍ୟତାମୂଳକ କ୍ବାରାଣ୍ଟିନ୍ କେନ୍ଦ୍ରରେ ରଖାଯିବା ପରେ ଅମାନିଆ ଲୋକଙ୍କ ମଧ୍ୟରେ ଛନକା ପଶିଥିଲା। ତେଣୁ ଆଜି କେହି ଜଣେ ବି ନିୟମ ଉଲ୍ଲଙ୍ଘନ କରି ବାହାରକୁ ବାହାରି ନଥିଲେ। କମିସନ୍ରେଟ୍ ପୁଲିସ ସୂଚନା ଅନୁଯାୟୀ, ୪୮ ଘଣ୍ଟିଆ ସଟ୍ଡାଉନ୍ର ଦ୍ବିତୀୟ ତଥା ଅନ୍ତିମ ଦିନରେ ଆଜି ଜଣେ କେହି ବି ନିୟମ ଉଲ୍ଲଙ୍ଘନ କରି ଧରା ପଡ଼ିନାହାନ୍ତି। ଯେଉଁ ଅଳ୍ପ କେତେକଙ୍କୁ ପୁଲିସ୍ ଧରିଥିଲା, ସେମାନେ ବିଭିନ୍ନ ଜରୁରୀ କାମରେ ଆସିଥିବାରୁ ପିଆର୍ ବଣ୍ଡ୍ରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଅପରପକ୍ଷେ ଲୋକଙ୍କ ସହଯୋଗ ପାଇଁ ସଟ୍ଡାଉନ୍ ସଫଳ ହୋଇଥିବାରୁ ଅତିରିକ୍ତ ପୁଲିସ କମିସନର୍ ରାଜଧାନୀବାସୀଙ୍କୁ ସାଧୁବାଦ ଜଣାଇଛନ୍ତି। କୋଭିଡ୍-୧୯ର ମୁକାବିଲା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଏକମାତ୍ର ପନ୍ଥା ହୋଇଥିବାରୁ ନିଜ ସହ ସମାଜର ମଙ୍ଗଳ ପାଇଁ ବାକିଥିବା ଲକ୍ଡାଉନ୍ ଅବଧିରେ ସେ ଲୋକମାନଙ୍କଠାରୁ ଏଭଳି ସହଯୋଗ କାମନା କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।
ଗତକାଲି ଭଳି ଆଜିର ଏନ୍ଫୋର୍ସମେଣ୍ଟରେ ବାଟାଲିୟନ୍ର ୫୧ ପ୍ଲାଟୁନ୍ ଓ ରିଜର୍ଭ ପୁଲିସର ୨ପ୍ଲାଟୁନ୍, ଏଭଳି ୫୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ରହିଥିଲେ। ୧୫୦ ଅଫିସର୍ ଏହି କାମରେ ନିୟୋଜିତ ଥିଲେ।
ସୂଚନାଯୋଗ୍ୟ, ଗତକାଲି ସଟ୍ଡାଉନ୍ ନିୟମ ଉଲ୍ଲଙ୍ଘନ କରି ରାଜଧାନୀରେ ୧୫୬ଜଣ ଧରାପଡ଼ିଥିଲେ। ୧୧୦ ଜଣ ଜରୁରୀ କାମରେ ଆସିଥିବାରୁ ସେମାନଙ୍କୁ ପିଆର୍ ବଣ୍ଡରେ ଛାଡ଼ି ଦିଆଯାଇଥିଲା। ବାକି ୪୬ ଜଣଙ୍କୁ ଓୟୁଏଟି ଗେଷ୍ଟ ହାଉସ୍ରେ ଥିବା ସରକାରୀ ସଙ୍ଗରୋଧ ଗୃହରେ ରଖାଯାଇଛି।