ପୁଞ୍ଜିନିବେଶ ନହେବାରୁ ବିଡିଏ ଓ ପୂର୍ତ୍ତ ବିଭାଗକୁ ପ୍ରକଳ୍ପ ଟେକିଦେେଲ
ବିଡିଏ ବି ପୁରୁଣା ପ୍ରକଳ୍ପକୁ ନୂଆ ପ୍ରକଳ୍ପ ତାଲିକାରେ ଯୋଡ଼ିଦେଲା
ସ୍ମାର୍ଟ ସିଟି ଯୋଜନା ତାଲିକାରୁ ମିସନ୍ ଆବାସ ଗୃହ ପ୍ରକଳ୍ପ ବାଦ୍
ଭୁବନେଶ୍ବର,(ବିଶ୍ବଜିତ ଦାଶ): ଭୁବନେଶ୍ବରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ୪୫୩୭କୋଟିର ପ୍ରକଳ୍ପ ତାଲିକା କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ଦିଆଯାଇଥିଲା। ଭୁବନେଶ୍ବର ଭଳି ୯୮ ସହର ସେମାନଙ୍କ ତାଲିକା ପଠାଇଥିଲେ। କିନ୍ତୁ ସମସ୍ତଙ୍କୁ ମାତ୍ ଦେଇ ଭୁବନେଶ୍ବର ସ୍ମାର୍ଟ ସିଟି ହେବା ଦଉଡ଼ରେ ଏକ ନମ୍ବର ସ୍ଥାନ ହାସଲ କଲା। ଭୁବନେଶ୍ବର ତାଲିକାର ଏକ ନମ୍ବର ସ୍ଥାନରେ ରହିବାର ମୁଖ୍ୟ କାରଣ ହେଲା ଅଧିକ ଲୋକାଭିମୁଖୀ ପ୍ରକଳ୍ପ ଏବଂ ମୋଟ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ୫୬.୫% ଅର୍ଥାତ୍ ୨୫୬୩କୋଟି ଟଙ୍କାର ପିପିପି ପ୍ରକଳ୍ପ। ସରକାରଙ୍କ ଉପରେ ବୋଝ ନଲଦି ଅଧିକ ପୁଞ୍ଜି ଯୋଗାଡ଼ କରିବାର ଯୋଜନା କରିଥିବାରୁ ଭୁବନେଶ୍ବରକୁ ଏହି ମାନ୍ୟତା ମିଳିଥିଲା। କିନ୍ତୁ ଏବେ ଯୋଜନା ଯାହା ଥିଲା, ସେହି ଅନୁଯାୟୀ କାମ ହେଉନି।
ଅସଲରେ ଏହା କେବଳ କାଗଜ କଲମରେ ଥିଲା। କାରଣ ମୋଟ୍ ୨୫୬୩ କୋଟିର ପିପିପି ପ୍ରକଳ୍ପରୁ ୧୬୮୫କୋଟିର ପ୍ରକଳ୍ପ ପାଇଁ କିଏ ପୁଞ୍ଜିନିବେଶ କରିବ ତାକୁ ଠିକ୍ କରିପାରିଲେନି। ଏପଟେ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସେପ୍ଟେମ୍ବର,୨୦୧୮ରେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ତାଗିଦ୍ କଲା ଯେ, ନଭେମ୍ବର ସୁଦ୍ଧା ସମସ୍ତ ପିପିପି ପ୍ରକଳ୍ପ ଆରମ୍ଭ କର। ତିନି ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ପୁଞ୍ଜିନିବେଶକାରୀ ଯୋଗାଡ଼ ହୋଇନପାରିବାରୁ କର୍ତ୍ତୃପକ୍ଷ ଅତି ଚତୁରତାର ସହ ୮୪୦କୋଟିର ପିପିପି ପ୍ରକଳ୍ପକୁ ବାଦ୍ ଦେଇଛନ୍ତି। ତାକୁ ବିଡିଏ ଓ ପୂର୍ତ୍ତ ବିଭାଗ ଉପରେ ଲଦି ଦେଇଛନ୍ତି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ୮୪୦କୋଟି ଟଙ୍କାର ପିପିପି ପ୍ରକଳ୍ପରେ ଯେଉଁ ମିସନ୍ ଆବାସ ଗୃହ ପ୍ରକଳ୍ପ କରିବାର ଥିଲା ତା’ର ରୂପରେଖ ବଦଳାଇ ବିଡିଏ ଓ ପୂର୍ତ୍ତ ବିଭାଗକୁ ଧରାଇ ଦେଇଛି। ମିସନ୍ ଆବାସ ଗୃହ ପ୍ରକଳ୍ପ ବିଡିଏ କରିବ ଏବଂ ଜନପଥ ଗୃହ ପୁନଃ ଉନ୍ନତୀକରଣ ପ୍ରକଳ୍ପକୁ ପୂର୍ତ୍ତ ବିଭାଗ କରିବ ବୋଲି ନିଷ୍ପତ୍ତି ହୋଇଛି। ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ପୁଞ୍ଜି ଯୋଗାଡ଼ କରିବେନି କି କୌଣସି ଅଡ଼ୁଆରେ ପଶିବେନି। ସେମାନେ କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଯେତିକି ଅର୍ଥ ପାଇବେ ସେତିକିରେ କାମ କରିବେ। ସେହିପରି ୮୪୫କୋଟିରେ ହେବାକୁ ଥିବା ରେଳ ଷ୍ଟେସନ୍ ମଲ୍ଟିମୋଡାଲ୍ ହବ୍ ନିର୍ମାଣ ନେଇ ସେତେବେଳେ ରେଳ ମନ୍ତ୍ରଣାଳୟ ସହ ଟଣାଓଟରା ଚାଲିଥିବାରୁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶକୁ ପାଳନ ନକରିବାର ବାହନା କର୍ତ୍ତୃପକ୍ଷଙ୍କ ପାଖରେ ଥିଲା। ତେଣୁ ୮୪୦କୋଟିର ମିସନ୍ ଆବାସ ପ୍ରକଳ୍ପକୁ ବିଡିଏ କରିବ ବୋଲି ନିଷ୍ପତ୍ତି ନେଇଗଲେ।
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ୮୪୦କୋଟି ଟଙ୍କାରେ ମିସନ୍ ଆବାସ ଗୃହ ପ୍ରକଳ୍ପ (ବାପୁଜୀ ନଗର, ଖାରବେଳ ନଗର, ଶାନ୍ତି ନଗର, ସହିଦ ନଗର ଆବାସ ଯୋଜନା) ହେବାର ଥିଲା। ଏଠାରେ ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ଅଞ୍ଚଳରେ ଘର ନିର୍ମାଣ କରି କମ୍ ଦାମ୍ରେ ବିକ୍ରି କରାଯାଇଥାନ୍ତା। ଏହି ୪ଟି ସ୍ଥାନରେ ୧୦ହଜାର ଫ୍ଲାଟ୍ ନିର୍ମାଣ ହୋଇଥାନ୍ତା। ଏପରିକି ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ସ୍ଥାନରେ ୫୧୦୦ଟି ଘର ନିର୍ମାଣ କରିବାକୁ ଆରଏଫ୍ପି ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ୬୯୦କୋଟି ଖର୍ଚ୍ଚ ହେବ ବୋଲି ଅଟକଳ ବି ହୋଇଥିଲା। କିନ୍ତୁ ଜମି ଅଧିଗ୍ରହଣ ହୋଇନପାରିବାରୁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଅଡ଼ୁଆରେ ପଶିଲେନି। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଏବଂ ଧିମେଇ ଯାଇଥିବା ବିଭିନ୍ନ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ମିସନ୍ ଆବାସକୁ ବାଦ୍ ଦେଇଦେଲେ। ଏହାପରେ ନିଷ୍ପତ୍ତିି ନେଲେ ଯେ ବସ୍ତି ବାସିନ୍ଦାଙ୍କୁ ଘର ବିଡିଏ ନିର୍ମାଣ କରି ଦେବ। ପ୍ରାୟ ବର୍ଷକ ତଳେ ବିଡିଏକୁ ଏହି ଦାୟିତ୍ବ ଦିଆଯାଇଛି।
ବିଡିଏ କର୍ତ୍ତୃପକ୍ଷ ବି ଅତି ଚତୁରତାର ସହ ନିଷ୍ପତ୍ତି ନେଇଛନ୍ତି। ଏହି ୪ଟି ସ୍ଥାନରେ ଘର ନିର୍ମାଣ କରିବା ବଦଳେର ତିନିଟି ପ୍ରକଳ୍ପ କରିବାକୁ ରାଜି ହୋଇଛନ୍ତି। କେବଳ ଶାନ୍ତିପଲ୍ଲୀ ବସ୍ତିରେ ଶାନ୍ତିନଗର ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏଠାରେ ୧୦ଏକର ଜମିରେ ୨୨୨୮ଟି ଫ୍ଲାଟ୍ ନିର୍ମାଣ କରି ବସ୍ତି ବାସିନ୍ଦାଙ୍କୁ ଦେବାକୁ ଯୋଜନା କରିଛନ୍ତି। କାମ ବି ଆରମ୍ଭ ହୋଇଗଲାଣି। ହେଲେ ବିଡିଏ ପୂର୍ବରୁ ଯେଉଁ ପ୍ରକଳ୍ପ କରିବ ବୋଲି କହିଥିଲା ତାହାକୁ ଏବେ ସ୍ମାର୍ଟ ସିଟିର ପିପିପି ପ୍ରକଳ୍ପ ବୋଲି କହୁଛନ୍ତି। ବିଡିଏ ଚନ୍ଦ୍ରଶେଖରପୁର ନୀଳମାଧବ ବସ୍ତିରେ ୮.୧୮ଏକର ଜମିରେ, ଗାଡ଼କଣେର ୩.୮୨ଏକର ଜମିରେ ମହାବୀର ଆବାସ ଯୋଜନାରେ ଘର ନିର୍ମାଣ କରି ବସ୍ତିବାସିନ୍ଦାଙ୍କୁ ଦେବେ ବୋଲି ନିଷ୍ପତ୍ତି ନେଇଛି। ଏହି ପ୍ରକଳ୍ପ ପାଇଁ ଆଗରୁ ନିବେଶକାରୀ ଯୋଗାଡ଼ ହୋଇଥିବାରୁ ବିଡିଏ କର୍ତ୍ତୃପକ୍ଷଙ୍କୁ କିଛି ଅସୁବିଧା ବି ହେଲାନି। ବିଡିଏର ଉପାଧ୍ୟକ୍ଷ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ମୁଖିଆ ପଦରେ ଥିବାରୁ ବିଡିଏ କ’ଣ କରିବ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ କ’ଣ କରିବେ ସେନେଇ କିଛି ସମସ୍ୟା ବି ସୃଷ୍ଟି ହୋଇନି।
ଅପରପକ୍ଷେ ଗତ ୬ମାସ ତଳେ ନିଷ୍ପତ୍ତି ହୋଇଛି ଯେ, ଜନପଥ ଗୃହ ପୁନଃ ଉନ୍ନତୀକରଣ ପ୍ରକଳ୍ପ ରାଜହମଲରୁ ମାଷ୍ଟରକ୍ୟାଣ୍ଟିନ ଛକ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ। ଏହାକୁ ପୂର୍ତ୍ତ ବିଭାଗ କରିବ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଏହି ଅଡ଼ୁଆରେ ବି ପଶିବେନି। ଏନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆମେ ଯେଉଁଠି ମିସନ୍ ଆବାସରେ ଗୃହ ପ୍ରକଳ୍ପ କରିବାର ଥିଲା ସେ ଜମି ବିଡିଏ ଅଧୀନରେ ଅଛି। ଏହାସହ ବିଡିଏ ବି ଆବାସ ଯୋଜନରେ ଘର ନିର୍ମାଣ କରୁଛି। ତେଣୁ ବିଡିଏରୁ ଜମି ଆଣି ଆମେ ଟେଣ୍ଡର କରି କାମ କରାଇବା ଅପେକ୍ଷା ନିଷ୍ପତ୍ତି ହୋଇଛି ଯେ, ମିସନ୍ ଆବାସ ଗୃହ ପ୍ରକଳ୍ପରେ ଯାହା ପ୍ରକଳ୍ପ ହେବ ତାହା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଯୋଜନା ହିସାବରେ ଗଣା ହେବ। ଏହାକୁ ବିଡିଏ କରିଛି ବୋଲି ଉଲ୍ଲେଖ ରହିବ। ସେହିପରି ଜନପଥ ଗୃହ ଉନ୍ନତୀକରଣ ପ୍ରକଳ୍ପ ଯେଉଁ ସ୍ଥାନରେ ହେବାର ଥିଲା ସେହି ଜମିଗୁଡ଼ିକ ସାଧାରଣ ପ୍ରଶାସନ ବିଭାଗର। ତେଣୁ ପୂର୍ତ୍ତ ବିଭାଗକୁ କରିବାକୁ ଦିଆଗଲା। ଏଠାରେ ପ୍ରଶ୍ନ ଉଠୁଛି, ଯେତେବେଳେ ସ୍ମାର୍ଟ ସିଟି ପ୍ରତିଯୋଗିତା ପାଇଁ ପ୍ରକଳ୍ପ ତାଲିକା ପ୍ରସ୍ତୁତ ହେଲା ସେତେବେଳେ କ’ଣ କର୍ତ୍ତୃପକ୍ଷ ଏହା ଜାଣିନଥିଲେ।