୧୯ର ଅପେକ୍ଷା : ବଦଳିବ ଚେହେରା

ବର୍ଷା ବିତ୍ପାତ, ରାଜଧାନୀର ସାଜସଜ୍ଜା, ହକି ବିଶ୍ବକପ୍‌ ଆୟୋଜନ ପାଇଁ ୨୦୧୮ ରାଜଧାନୀବାସୀଙ୍କ ମନରେ ଚିରସ୍ମରଣୀୟ ହୋଇଯାଇଛି। ୨୦୧୮ରେ ରାଜଧାନୀବାସୀ ଯେଉଁ କିଛି ତିକ୍ତ ଅନୁଭୂତି ନିଭାଇଛନ୍ତି ତାହାକୁ ୨୦୧୯ରେ ନଦୋହରାଇବାକୁ ପ୍ରଶାସନ ପୂରା ପ୍ରସ୍ତୁତି କରିଛି। ଭୁବନେଶ୍ବରକୁ ଏକ ବିଶ୍ବଶ୍ରେଣୀୟ ସହର କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଆରମ୍ଭ ହୋଇଥିବା ବହୁ ପ୍ରକଳ୍ପର ଝଲକ୍ ରାଜଧାନୀବାସୀ ପାଇସାରିଲେଣି। ୨୦୧୯ରେ କିଛି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେଇ ରାଜଧାନୀବାସୀଙ୍କୁ ଭେଟି ଦେବାକୁ ଜୋରସାର୍ କାର୍ଯ୍ୟ ଚାଲିଛି। ୨୦୧୯ ନିର୍ବାଚନ ବର୍ଷ ହେବାକୁ ଥିବାରୁ ଏହି ସମୟରେ ରାଜଧାନୀବାସୀ ବହୁତ କିଛି ନୂଆ ପାଇବେ ବୋଲି ଆଶା ରଖିଛନ୍ତି। ୨୦୧୯ ରାଜଧାନୀ ପାଇଁ ନୂଆ ପରିଚୟ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି।

ଉପସ୍ଥାପନା: ବିଶ୍ବଜିତ ଦାଶ, ଅଳଙ୍କରଣ: ରବି

ଖୋଲିବ ନୂଆ ନ’ତାଲା

ରାଜଧାନୀରେ ଥିବା ସମସ୍ତ ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ଏକାଠି କରିବା ପାଇଁ ନିର୍ମାଣ ସୌଧ ସମ୍ମୁଖରେ ଆଉ ଏକ ନ’ତାଲା ନିର୍ମାଣ ହୋଇଛି। କେଉଁ ବିଭାଗ ଏଠାକୁ ସ୍ଥାନାନ୍ତର ହେବ ତାହା ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ ସଚିବାଳୟରୁ ୧୧ଟି ବିଭାଗ ବାହାରି ନୂଆ ନ’ତାଲାକୁ ଆସିବ। ଏହା ନୂଆ ସଚିବାଳୟ ଭାବେ କାର୍ଯ୍ୟ କରିବ। କିନ୍ତୁ ଏହି ନୂଆ କୋଠା ଜୁଲାଇ ମାସରେ ଉଦ୍‌ଘାଟନ ହେବାର ଥିଲେ ହେଁ ଆଜି ପର୍ଯ୍ୟନ୍ତ ହୋଇପାରିନି। ୨୦୧୯ରେ ନୂଆ ନ’ତାଲା ଉଦ୍‌ଘାଟନ ହେବାର ଅଛି।

ଆରମ୍ଭ ହେବ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା

ନୂଆବର୍ଷର ପ୍ରଥମ ସପ୍ତାହରୁ ରାଜଧା‌ନୀରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଆରମ୍ଭ ହେବ। ପାଇଲଟ୍ ପ୍ରକଳ୍ପ ଭାବେ ରାଜଧାନୀର ୧୦ଟି ୱାର୍ଡ ୧୨, ୧୩, ୧୬, ୨୫, ୨୭, ୩୦, ୩୪, ୪୧ ଏବଂ ୫୩ରେ ଆରମ୍ଭ ହେବ। ଦୈନିକ ୫ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ହେବ। ଏଥିପାଇଁ ୟୁଏନ୍‌ଡିପି ସହ ବିଏମ୍‌ସି ଚୁକ୍ତି କରିଛି। ୬ବର୍ଷ ପାଇଁ ପିପିପି ମୋଡରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାପରେ ବିଏମ୍‌ସି ନିଜସ୍ବ ସମ୍ବଳରେ ଏହାକୁ କାର୍ଯ୍ୟକାରୀ କରିବ।

ପାଣି ଯୋଗାଇବ ୱାଟ୍‌କୋ

ଭୁବନେଶ୍ବର ସମେତ ଖୋର୍ଦ୍ଧା ଓ ଜଟଣୀରେ ପାନୀୟ ଜଳ ଯୋଗାଇବ ୱାଟ୍‌କୋ। ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସାଧାରଣ ନିର୍ବାଚନକୁ ନଜରରେ ରଖି ଏବେ ୱାଟ୍‌କୋ ଆରମ୍ଭ କରାଯାଉ ନଥିବାବେଳେ ଏପ୍ରିଲ୍‌/ମେ’ରୁ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି।

ମ୍ୟୁଜିୟମ ଅଫ୍ ଅର୍ବାନ୍ ହିଷ୍ଟ୍ରି ନିର୍ମାଣ ଆରମ୍ଭ ହେବ

ଏଜି ଛକରେ ସ୍ମାର୍ଟ ସିଟି ପକ୍ଷରୁ ମ୍ୟୁଜିୟମ୍ ଅଫ୍‌ ଅର୍ବାନ୍ ହିଷ୍ଟ୍ରି ନିର୍ମାଣ ହେବ। ଏଥିପାଇଁ ଇନ୍ଦିରା ଇଂରାଜୀ ମାଧ୍ୟମିକ ସ୍କୁଲକୁ ଭଙ୍ଗାଯାଇଥିବା‌େବଳେ ଏଠାରେ ଥିବା ଶିଶୁ ପାର୍କ ଜମିକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଦଖଲକୁ ନେଇଛନ୍ତି। ଏନେଇ ଡିପିଆର୍ ପ୍ରସ୍ତୁତ ହେଉଥିବାବେଳେ ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏଠାରେ ମନ୍ଦିରମାଳିନୀ ଭୁବନେଶ୍ବର କିପରି ସ୍ମାର୍ଟ ସିଟିରେ ପରିଣତ ହେଲା, ଭୁବନେଶ୍ବରର ଇତିହାସ, ଫଟୋ ଗ୍ୟାଲେରି, ଭିଡିଓ ଗ୍ୟାଲେରି କରିବାକୁ ଏବେ ନିଷ୍ପତ୍ତି ହୋଇଛି।

ବହୁତଳ କାର୍‌ ପାର୍କିଂ

ରାଜଧାନୀର ପାର୍କିଂ ସମସ୍ୟା ଦୂର ପାଇଁ ଜନପଥରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ଏହାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସହିଦନଗର ଓ ରାଜମହଲ (ୟୁନିଟ-୨)ରେ ଦୁଇଟି ବହୁତଳ କାର୍ ପାର୍କିଂସ୍ଥଳୀ ନିର୍ମାଣ ହେଉଛି। ରାଜମହଲରେ ୦.୯୪୭ଏକରରେ ୪୩.୮୫କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପକୁ ଦେଢ଼ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ୪୫୦ଟି କାର୍‌ ପାର୍କିଂ ହୋଇପାରିବ। ସେହିପରି ସହିଦନଗର ବହୁତଳ କାର୍‌ ପାର୍କିଂସ୍ଥଳୀ ୦.୭୩୪ଏକର ଅଞ୍ଚଳରେ ନିର୍ମାଣ ହେଉଛି। ୨୮.୮୭କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏହି ପାର୍କିଂସ୍ଥଳୀ ବର୍ଷକରେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ୨୫୦ଟି କାର୍ ପାର୍କିଂ ବ୍ୟବସ୍ଥା ରହିବ। ଏହି ଦୁଇଟି ପାର୍କିଂସ୍ଥଳୀର ନିର୍ମାଣ ଅବଧି ୬ମାସ ପୂରି ଯାଇଥିବାବେଳେ ୨୦୧୯ରେ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ କର୍ତ୍ତୃପକ୍ଷ ଟାର୍ଗେଟ୍‌ ରଖିଛନ୍ତି।

ସମ୍ବନ୍ଧିତ ଖବର