ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

ଭୁବନେଶ୍ୱର : ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରତକୁ ଆରମ୍ଭ ହେବ ଏୟାର ଇଣ୍ଡିଆର ବିମାନ ସେବା। ସପ୍ତାହକୁ ଦୁଇ ଦିନ ବିମାନ ଉଡ଼ାଣ କରିବ ବୋଲି ଜଣାଯାଇଛି। ଏୟାର ଇଣ୍ଡିଆର ବରିଷ୍ଠ ଏଜିଏମ୍‌(ମାର୍କେଟିଂ ପ୍ଲାନିଂ ଆଣ୍ଡ ସିଡ୍ୟୁଲସ୍‌) ମୋନିକା ଠୁକରାଲ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସୋମବାର ଓ ଗୁରୁବାର ସକାଳ ୬ଟା ୧୦ରେ ବିମାନଟି ବେଙ୍ଗାଲୁରୁ ଛାଡ଼ି ୮ଟାରେ ଭୁବନେଶ୍ୱରରେ ପହଞ୍ଚିବ। ୮ଟା ୪୦ରେ ଉକ୍ତ ବିମାନ ଭୁବନେଶ୍ୱରରୁ ସୁରତ ଅଭିମୁଖେ ଯାତ୍ରା କରି ୧୦ଟା ୪୦ରେ ପହଞ୍ଚିବ। ପୂର୍ବାହ୍ନ ୧୧ଟା ୧୦ରେ ଏହା ସୁରତ ଛାଡ଼ି ଅପରାହ୍‌ଣ ୧ଟା ୧୦ରେ ବେଙ୍ଗାଲୁରୁରେ ପହଞ୍ଚିବ। ସେହିପରି ଶୁକ୍ରବାର ଓ ରବିବାର ସକାଳ ୬ଟା ୧୦ରେ ବିମାନ ବେଙ୍ଗାଲୁରୁରୁ ସୁରତ ଅଭିମୁଖେ ଯାତ୍ରା କରି ୮ଟାରେ ପହଞ୍ଚିବ। ୮ଟା ୩୦ରେ ବିମାନଟି ସୁରତ ଛାଡ଼ିବ ଓ ୧୦ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ। ୧୧ଟା୧୦ରେ ଭୁବନେଶ୍ୱର ଛାଡ଼ି ଅପରାହ୍‌ଣ ୧ଟା ୩୦ରେ ବେଙ୍ଗାଲୁରୁରେ ପହଞ୍ଚିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ଭୁବନେଶ୍ୱରରୁ ସୁରତକୁ ବିମାନ ସେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା। କିଛି ଦିନ ପୂର୍ବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର