ବଢ଼ି ଚାଲିଛି ସହର

ଭୁବନେଶ୍ବରର ସ୍ଥିତି ନେଇ ଆଇଆଇଟିର ସର୍ଭେ ରିପୋର୍ଟ, ୨୦୦୦ରୁ ୨୦୧୪ ମଧ୍ୟରେ କମିଛି ୮୨.୬୯% ଚାଷ ଓ ଜଙ୍ଗଲ ଜମି, ଭୁବନେଶ୍ବର ଓ ଜଟଣୀ ବ୍ଲକରେ ବଢ଼ୁଛି ସହର

ଭୁବନେଶ୍ବର : ବର୍ଷ କେଇଟା ମଧ୍ୟରେ ବଦଳିଗଲାଣି ଭୁବନେଶ୍ବର। ଆଉ ଆଗଭଳି ସବୁଜ ସୁନ୍ଦର ରାଜଧାନୀ ଦେଖିବାକୁ ମିଳୁନି। ସହର ଉପକଣ୍ଠରୁ ଚାଷ ଜମି ହ୍ରାସ ପାଉଥିବା ବେଳେ ଜଙ୍ଗଲ ଜମି ଧ୍ବସାଂଭିମୁଖୀ। ସବୁଜିମା ଭରା ରାଜଧାନୀ ଧୀରେଧୀରେ କଂକ୍ରିଟ୍‌ ଜଙ୍ଗଲରେ ପରିଣତ ହେଉଛି। ଯୁଆଡ଼େ ଚାହିଁଲେ ଖାଲି କୋଠା ହିଁ କୋଠା। କାଁ ଭାଁ କେଉଁଠି କେମିତି ୧୫ରୁ ୨୦ ବର୍ଷର ବୃକ୍ଷ ଦେଖିବାକୁ ମିଳୁଛି, ନ ହେଲେ ନାହିଁ। ପରିଣାମ ସ୍ବରୂପ ଜଳବାୟୁ ପରିବର୍ତନ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଶୀତ ଦିନେ ପ୍ରବଳ ତାତି ଅନୁଭୂତ ହେଉଛି। ଆଉ ବର୍ଷା ଦିନେ ବର୍ଷାର ଦେଖା ନାହିଁ। ଖରାଦିନେ ପ୍ରବଳ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜଧାନୀବାସୀ।

ସବୁଠାରୁ ବଡ଼ କଥା ହେଉଛି ୨୦୦୦ରୁ ୨୦୧୪ ମଧ୍ୟରେ ରାଜଧାନୀରେ ଚାଷ ଓ ଜଙ୍ଗଲ ଜମି ପରିମାଣ ୮୨.୬୯ ପ୍ରତିଶତ କମିଛି। ଏହି ସମୟ ମଧ୍ୟ‌ରେ ସହରୀକରଣ ବହୁ ମାତ୍ରାରେ ବଢ଼ିଛି। ରାସ୍ତାଘାଟର ବିକାଶ ହେବା ସହ ବଡ଼ ବଡ଼ କୋଠା ମୁଣ୍ଡ ଟେକିଛି। ଯଦି ଏମିତି ଚାଲେ ତେବେ ଆସନ୍ତା ୧୦ରୁ ୧୫ ବର୍ଷ ମଧ୍ୟରେ ଭୁବନେଶ୍ବର-ଖୋର୍ଧା-କଟକରେ ଆଉ ଚାଷ ଜମି ଦେଖିବାକୁ ମିଳିବନି। ଜଙ୍ଗଲ ବି ନଷ୍ଟ ହୋଇଯିବ। ବେଳୁ ହିଁ ସାବଧାନ ନ ହେଲେ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ବିଶେଷଜ୍ଞମାନେ ଆକଳନ କଲେଣି।

ଭୁବନେଶ୍ବର ଆଇଆଇଟି ନେତୃତ୍ବରେ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଭୁବନେଶ୍ବର ସହରୀକରଣର ଚିତ୍ର ପଦାକୁ ଆସିଛି। ୨୦୦୦ ଓ ୨୦୧୪ ମସିହାର ସାଟେଲାଇଟ୍‌ ତଥ୍ୟକୁ ତର୍ଜମା କରିବା ସହ ଜମିର ସ୍ଥିତି ଅନୁଧ୍ୟାନ କରି ବିଶେଷଜ୍ଞମାନେ ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ କୁହାଯାଇଛି ଯେ ୨୦୦୦ ମସିହାରେ ଭୁବନେଶ୍ବର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ମିଶାଇ କରାଯାଇଥିବା ସର୍ଭେରେ ଚାଷ ଓ ଜଙ୍ଗଲ ଜମି ୪୩.୧୦ ବର୍ଗ କି.ମି ରହିଥିଲା। ତେବେ ୨୦୧୪ ବେଳକୁ ଜମି ପରିମାଣ ବହୁ ପରିମାଣରେ ହ୍ରାସ ପାଇ ୭.୪୬ ବର୍ଗ କି.ମିରେ ପହଞ୍ଚିଥିଲା। ଇତି ମଧ୍ୟରେ ଆହୁରି ୫ ବର୍ଷ ବିତିଗଲାଣି। ସହରୀକରଣ ଯେଉଁ ପରିମାଣରେ ବଢ଼ୁଛି ଆହୁରି କେତେ ଜମି କମିଥିବ ତାହା ଅନୁମାନ କରାଯାଇପାରେ। ସେହି ଅନୁଯାୟୀ ସହରୀକରଣ ବି ବଢ଼ିଚାଲିଛି। ୨୦୦୦ରେ ଭୁବନେଶ୍ବରର ୩୮.୭୦ ବର୍ଗ କି.ମି ଅଞ୍ଚଳ ସହରୀକରଣ ଥିଲା। ୧୫ ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇଁ ୨୦୧୪ରେ ୭୦.୮୬ ବର୍ଗ କି.ମିରେ ପହଞ୍ଚିଛି।

ଭୁବନେଶ୍ବର ଆଇଆଇଟି ପ୍ରଫେସର ଦେବଦତ୍ତ ସ୍ବାଇଁଙ୍କ କହିବାନୁଯାୟୀ ଭୁବ‌ନେଶ୍ବର ସ୍ଥିତି ନେଇ ୨୦୦୦ ଓ ୨୦୧୪ର ସାଟେଲାଇଟ୍‌ ତଥ୍ୟକୁ ନିଆଯିବା ପରେ ଜମି ସ୍ଥିତିର ସତ୍ୟତା ଜାଣିବା ଲାଗି ଗ୍ରାଉଣ୍ଡରୁ ଅନୁଧ୍ୟାନ କରିଥିଲୁ। ଗୋଟିଏ ତଥ୍ୟ ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ସା‌ଟେଲାଇଟ୍‌ରେ ଯେଉଁ ସମୟର ତଥ୍ୟ ନିଆଯାଇଥିଲା ତାହାକୁ ଅନୁଧ୍ୟାନ କରିବା‌ ପରେ ଆମକୁ ‌ସେହି ସମୟରେ ହିଁ ଜମିକୁ ଗସ୍ତ କରିବାକୁ ପଡ଼ିଥିଲା। ବର୍ଷା ଓ ଖରା ଦିନକୁ ଦେଖି ଚାଷ ଜମିରେ ବି ପହଞ୍ଚିବାକୁ ପଡ଼ିଥିଲା। ୩ ବର୍ଷ ଧରି ଅନୁଧ୍ୟାନ କରିବା ପରେ ରିପୋର୍ଟ ପ୍ରକାଶ କରିଥିଲୁ। ଭୁବନେଶ୍ବର ଆଇଆଇଟି ଏହାର ନେତୃତ୍ବ ନେଇଥିବା ବେଳେ ଖଡ଼ଗପୁର ଆଇଆଇଟି ଓ ଇଂଲଣ୍ଡର ଏକ ବିଶ୍ବବିଦ୍ୟାଳୟ ଏଥିରେ ସାମିଲ ହୋଇଥିଲା। ସର୍ଭେ ପରେ କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଥିଲେ।

ତଥ୍ୟରୁ ଜଣାପଡ଼ିଛି ଯେ ଭୁବନେଶ୍ବର ସହରର କଳେବର ୪ ଦିଗକୁ ବଢ଼ୁଛି। ତେଣୁ ସବୁ ଆଡ଼ୁ ଜମି କମିବାରେ ଲାଗିଛି। ତେବେ ଭୁବନେଶ୍ବର ଓ ଜଟଣୀ ବ୍ଲକରେ ଥିବା ଜଙ୍ଗଲ ଓ ଚାଷ ଜମି ବହୁ ପରିମାଣରେ କମିବା ସହ ସହରୀକରଣ ଏହି ଅଞ୍ଚଳରେ ବଢ଼ୁଛି। ଖୋର୍ଧା‌, ବାଲିଅନ୍ତା, ବାଲିପାଟଣା, ପିପିଲି ବ୍ଲକରେ ବି ସହରୀକରଣ ଛାପ ବାଜିଛି। ୨୦୦୦ ମସିହାରେ କଟକ-ଭୁବନେଶ୍ବର ଟୁଇନ୍‌ ସିଟି ମଝିରେ ଖାଲି ପଡ଼ିଥିବା ଚାଷ ଜମିରେ ଏବେ ବିଶାଳ କୋଠାମାନ ଛିଡ଼ା ହୋଇଛି। ବାରଙ୍ଗ ଅଞ୍ଚଳର ବି ସହରୀକରଣ ବହୁ ପରିମାଣରେ ବଢ଼ିଛି। ସ୍ଥିତି ଏମିତି ହୋଇଛି ଯେ ବର୍ଷା ଜଳ ନିଷ୍କାସନ ଲାଗି ବାଟ ନାହିଁ। ଯେଉଁଥିପାଇଁ ଜଳବନ୍ଦୀ ପରି ସ୍ଥିତି ଉପୁଜୁଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେଠାରୁ ଯୋଜନା‌ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର