ଟଙ୍କା ସୁଝୁନି ଭୁବନେଶ୍ବର ଅର୍ବାନ୍ ବ୍ୟାଙ୍କ: ତାତିଲେ ଜମାକାରୀ, ୧ରୁ ଆନ୍ଦୋଳନ ଚେତାବନୀ

ମନ୍ତ୍ରୀଙ୍କ ଘୋଷଣା ବି ମୂଲ୍ୟହୀନ

ଭୁବନେଶ୍ବର: ବର୍ଷ ବର୍ଷ ଧରି ଜମାକାରୀଙ୍କୁ ଭଣ୍ଡାଇ ଚାଲିଛନ୍ତି ଭୁବନେଶ୍ବର ଅର୍ବାନ ବ୍ୟାଙ୍କ ଓ ସମବାୟ ବିଭାଗ। ସରକାରୀ ବ୍ୟାଙ୍କ ହୋଇଥିବାରୁ ବିନା ଦ୍ବିଧାରେ ଲକ୍ଷାଧିକ ଟଙ୍କା ଜମା କରିଥିଲେ ହଜାର ହଜାର ଲୋକ। ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ବ୍ୟାଙ୍କ ତ ବନ୍ଦ ହୋଇଗଲା। ତା’ ସହ ଜମାକାରୀଙ୍କ ଝାଳବୁହା ଧନ ବି ଫେରିଲାନି। ବାରମ୍ବାର ପ୍ରତିଶ୍ରୁତି ପରେ ଟଙ୍କା ନ ମିଳିବାରୁ ତାତିଛନ୍ତି ଅର୍ବାନ୍ ବ୍ୟାଙ୍କ ଜମାକାରୀମାନେ। ବର୍ଷ ବର୍ଷ ଧରି ‌େସମାନଙ୍କୁ ସରକାର ଭଣ୍ଡାଇ ଚାଲିଥିବାରୁ ଏଥର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଫେବ୍ରୁଆରି ୧ ସୁଦ୍ଧା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ନ ହେଲେ ଆନ୍ଦୋଳନ ହେବ ବୋଲି ସରକାରଙ୍କୁ ରୋକ୍‌ଠୋକ୍ ଜଣାଇ ଦେଇଛନ୍ତି। ଚିଟ୍‌ଫଣ୍ଡ୍ ସଂସ୍ଥା ଲୋକଙ୍କୁ ଚୂନ ମାରି କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଗତ କିଛି ବର୍ଷ ହେଲା ଏହାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। କିନ୍ତୁ ଖୋଦ୍ ରାଜଧାନୀରେ ସରକାରଙ୍କ ନିୟନ୍ତ୍ରଣରେ ଗଢ଼ି ଉଠିଥିବା ଭୁବନେଶ୍ବର ଅର୍ବାନ୍ ବ୍ୟାଙ୍କ ବି ହଜାର ହଜାର ଜମାକାରୀଙ୍କ ଟଙ୍କା ନ ସୁଝିବା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି। ବିଭିନ୍ନ ସମୟରେ ଟଙ୍କା ଫେରସ୍ତ ନେଇ ପ୍ରତିଶ୍ରୁତି ମିଳିଛି, ଆଶା ଦେଖାଯାଇଛି। କିନ୍ତୁ କେବଳ ଦିନ ଗଡ଼ିବା ବ୍ୟତୀତ ଆଉ କିଛି ଲାଭ ମିଳି ନାହିଁ। ଶେଷ ଥର ପାଇଁ ଗତ ଜୁଲାଇ ଦ୍ବିତୀୟ ସପ୍ତାହରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଜମା‌କାରୀଙ୍କୁ ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାକାରୀଙ୍କୁ ଫେରସ୍ତ କରାଯିବ। ଅଗଷ୍ଟରୁ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଣ୍ଟ ବି ଦେଇଥିଲେ। ଏହା ମଧ୍ୟରେ ଅଗଷ୍ଟ ସରି ପାଞ୍ଚ ମାସ ଗଲାଣି। କିନ୍ତୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇପାରିଲାନି। କେବେ ହେବ, ତାହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ। ଅର୍ବାନ ବ୍ୟାଙ୍କର ମୋଟ୍‌ ଜମାକାରୀଙ୍କ ସଂଖ୍ୟା ୮,୨୫୨। ସେମାନଙ୍କୁ ସୁଧ ମୂଳ ମିଶାଇ ୩୨ କୋଟି ଟଙ୍କା ଫେରାଇବାକୁ ଅଛି। ବର୍ତ୍ତମାନ ଜମା ଟଙ୍କା ଫେରସ୍ତ ପାଇଁ ୬,୪୪୬ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ୧୫ କୋଟି ୧୬ ହଜାର ଟଙ୍କା ଫେରାଇବାର ଅଛି। ବର୍ତ୍ତମାନ ଅର୍ବାନ ବ୍ୟାଙ୍କରେ ମୋଟ୍‌ ୧୮ କୋଟି ଟଙ୍କା ରହିଛି। ତାହା ମଧ୍ୟରୁ ୬ କୋଟି ଟଙ୍କା ସରକାରଙ୍କର। ଯେ‌େହତୁ ଏହି ଟଙ୍କା ଜମାକାରୀଙ୍କୁ ଦେବା ନେଇ ଅନୁମତି ନ ଥିଲା, ତେଣୁ ସେଥିରେ ବ୍ୟାଙ୍କ କର୍ତ୍ତୃପକ୍ଷ ହାତ ମାରି ପାରୁ ନ ଥିଲେ। ବା‌କି ୧୨ କୋଟି ଟଙ୍କା ପର୍ଯ୍ୟାପ୍ତ ହୋଇ ନ ଥିବାରୁ ଜମାକାରୀ ଜମା ଟଙ୍କା ପାଇ ନାହାନ୍ତି। ଆଉ ଋଣ ଟଙ୍କା ସଂଗ୍ରହ ପ୍ରକ୍ରିୟା ଆଦୌ ଆଶାଜନକ ହେଉ ନ ଥିବାରୁ ବ୍ୟାଙ୍କରେ ଟଙ୍କା ଉପଲବ୍ଧ ନାହିଁ। ସରକାରଙ୍କ ୬ କୋଟି ଟଙ୍କା ଜମାକାରୀଙ୍କୁ ଫେରସ୍ତ ଦେବାରେ ବ୍ୟବହାର କରିବା କରିବା‌ ପାଇଁ ସମବାୟ ବିଭାଗ ଅର୍ଥ ବିଭାଗର ଅନୁମତି ଲୋଡ଼ିଛି। ଅର୍ଥ ବିଭାଗ ଏହା ଉପରେ କି ନିଷ୍ପତ୍ତି ନେଲା, ତାହା ଜଣାପଡ଼ୁ ନାହିଁ। ଅନ୍ୟ ପଟେ ଋଣ ଗ୍ରହୀତାଙ୍କଠାରୁ ଋଣ ଅର୍ଥ ଆଦାୟ ହୋଇପାରୁ ନାହିଁ। ଏ ବାବଦକୁ ବ୍ୟାଙ୍କ ପାଇବ ପ୍ରାୟ ୪୨ କୋଟି ଟଙ୍କା। ତାହା ମଧୢରୁ କିଛି ସ˚ଗ୍ରହ ହୋଇଥିଲା ବେଳେ ଏହି ପ୍ରକ୍ରିୟା ଜାରି ରହିବା ସହ ଋଣ ଖିଲାପକାରୀଙ୍କୁ ନୋଟିସ୍‌ ଜାରି କରାଯାଉଛି। ଗତ ଅକ୍ଟୋବର ମାସ‌େର ମଧ୍ୟ ୩୦ ଲକ୍ଷ ଟଙ୍କା ଋଣ ସୁଝି ନ ଥିବା ଏକ ଦୋକାନରେ ତାଲା ପକାଯାଇଥିଲା। କିନ୍ତୁ ଋଣ ସଂଗ୍ରହ ପ୍ରକ୍ରିୟାରେ ସେପରି ଆଖିଦୃଶିଆ ଅଗ୍ରଗତି ହୋଇପାରି ନାହିଁ। ଆଜି ରାମମନ୍ଦିର ନିକଟସ୍ଥ ଅର୍ବାନ୍‌ ବ୍ୟାଙ୍କ୍‌ ସାମ୍ନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜମାକାରୀ ସଂଘ ପକ୍ଷରୁ ବିଚିତ୍ରାନନ୍ଦ ଲେଙ୍କା, ଆଶିଷ ରଥ, ନୀଳମଣି ମହାପାତ୍ର, ରମେଶ ଚନ୍ଦ୍ର ବିଶ୍ବାଳ, ଗୋଲେଖ ବିହାରୀ ସାହୁ ପ୍ରମୁଖ ଏ ନେଇ ସରକାରଙ୍କ ଟାଳଟୁଳ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର