ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ତେଜୁଛି ଅସନ୍ତୋଷ : ଓ୍ଵାର୍ଡ ସଂରକ୍ଷଣ କାହା ସ୍ୱାର୍ଥରେ?

ଚନ୍ଦ୍ରଶେଖରପୁର : ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣକୁ ନେଇ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ କିଛି ମାତ୍ରାରେ ଅସନ୍ତୋଷ ଦେଖାଦେଇଛି। କେତୋଟି ଓ୍ଵାର୍ଡରେ ବର୍ତ୍ତମାନର କର୍ପୋରେଟରଙ୍କୁ ସୁହାଇଲା ଭଳି ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବାବେଳେ ଆଉ କେତୋଟି ଓ୍ଵାର୍ଡରେ ନିର୍ବାଚିତ କର୍ପୋରେଟରଙ୍କ ଚିହ୍ନବର୍ଣ୍ଣ ଯେପରି ହଜିଯିବ ସେ ବ୍ୟବସ୍ଥା ବି କରାଯାଇଛି । କେତେକ ନିର୍ବାଚିତ କର୍ପୋରେଟରଙ୍କ ବିରୋଧରେ ଅସନ୍ତୋଷ କୁହୁଳୁଥିବାରୁ ସେମାନଙ୍କୁ ସୁହାଇଲା ଭଳି ସୀମା ପୁନଃନିର୍ଦ୍ଧାରଣ କରାଯାଇଛି ବୋଲି କୁହାଯାଉଛି।

ଓ୍ଵାର୍ଡ଼ ନଂ-୧ ପୂର୍ବରୁ ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଚିଠା ପ୍ରସ୍ତାବରେ ଏହି ଆସନ ଅଣସଂରକ୍ଷିତ ହୋଇଛି। ଓ୍ଵାର୍ଡ଼ ନଂ-୨ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଥିବାବେଳେ ଏହାକୁ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଯଦିଓ ଓ୍ଵାର୍ଡ଼ ୧ ଓ ୨ରେ ଅନୁସୂଚିତ ଜନଜାତିବର୍ଗର ଲୋକ ଅଧିକ ସଂଖ୍ୟାରେ ବାସ କରୁଛନ୍ତି। ଏହାକୁ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ କରାଯାଇନି। ଓ୍ଵାର୍ଡ ୧୪ରେ ଏହି ଦୁଇ ଓ୍ଵାର୍ଡ ଅପେକ୍ଷା ଅନୁସୂଚିତ ଜାତିର କମ୍‌ ଲୋକ ରହୁଥିଲେ ହେଁ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ବଦଳାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଓ୍ଵାର୍ଡ ୧ରେ ୭୭୪୫ଜଣ ପୁରୁଷ ୪୬୩୩ ଜଣ ମହିଳା ଥିବାବେଳେ ଏଥିରୁ ୫୬୨୦ଜଣ ପୁରୁଷ ଅନୁସୂଚିତ ଜନଜାତି ବର୍ଗର ଏବଂ ୩୨୭୮ଜଣ ମହିଳା ଅନୁସୂଚିତ ଜନଜାତି ବର୍ଗର। ଏଠାରେ ଗତଥର କେବଳ ମହିଳାଙ୍କ ପାଇଁ ସଂରକ୍ଷଣ ଥିବାବେଳେ ଏହାକୁ ଏଥର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ କରାଯାଇପାରିଥାନ୍ତା। କିନ୍ତୁ ବିଜେଡି ନେତାଙ୍କ ଚାପରେ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଅଣସଂରକ୍ଷିତ ରଖିଛନ୍ତି। କେବଳ ଏହି ଅଞ୍ଚଳର ଜଣେ ପୂର୍ବତନ କର୍ପୋରେଟରଙ୍କୁ ସୁହାଇଲା ଭଳି ଏହି ସଂରକ୍ଷଣ କରାଯାଇଛି।

ଅପରପକ୍ଷେ ଓ୍ଵାର୍ଡ ୧୪ରେ ୮୫୦୬ଜଣ ପୁରୁଷ ଏବଂ ୭୭୦୭ଜଣ ମହିଳା ଥିବାବେଳେ ଏଥିରୁ ୭୫୫ଜଣ ଅନୁସୂଚିତ ଜାତି ବର୍ଗର ପୁରୁଷ ଏବଂ ୬୮୨ଜଣ ଏହି ବର୍ଗର ମହିଳା, ଏହାବାଦ୍‌ ୪୭୫ଜଣ ଅନୁସୂଚିତ ଜନଜାତି ବର୍ଗର ପୁରୁଷ ହୋଇଥିବାବେଳେ ୪୬୯ଜଣ ଏହି ବର୍ଗର ମହିଳା। ଏଠାରେ ସାଧାରଣ ବର୍ଗର ଅଧିକ ଲୋକ ବାସ କରୁଥିବାବେଳେ ଏହି ଅଞ୍ଚଳଟି ଗତ ନିର୍ବାଚନ ସମୟରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିଲା। ତେଣୁ ଏଥର ଅଣସଂରକ୍ଷିତ କରାଯାଇପାରିଥାନ୍ତା। କିନ୍ତୁ ବିରୋଧୀ ଦଳରୁ ପୂର୍ବରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଜଣେ ନେତାଙ୍କର ସମ୍ପର୍କୀୟାଙ୍କୁ ଏହି ଓ୍ଵାର୍ଡ଼ରୁ ଲଢ଼େଇବା ଲକ୍ଷ୍ୟରେ ଏପରି ରାଜନୈତିକ ପକ୍ଷପାତିତା କରାଯାଇଥିବା ଅଭିଯୋଗ ହେଉଛି।

ଆଇନର ଆଶ୍ରୟ ନେବୁ
ପୂର୍ବଥର ଓ୍ଵାର୍ଡ଼ ନଂ-୧୪ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଚଳିତ ଥର ଏହା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ହୋଇଯାଇଛି। ଏହି ଓ୍ଵାର୍ଡ଼ରେ ନୀଳାଦ୍ରିବିହାର ସେକ୍ଟର ୧ ଓ ୨କୁ ମିଶାଇବାପାଇଁ ହେଉଥିବା ଦାବିକୁ ପୂରଣ କରାଯାଇଥିବାରୁ ବିଏମ୍‌ସିକୁ ଧନ୍ୟବାଦ। ମାତ୍ର ଜନଜାତିବର୍ଗର ପ୍ରତିନିଧିତ୍ୱ ଏହି ଓ୍ଵାର୍ଡରେ ନାହିଁ କହିଲେ ଚଳେ। ତଥାପି ଏହି ଓ୍ଵାର୍ଡକୁ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ କରିବା ବିରୋଧରେ ଆମେ ଉପଯୁକ୍ତ ଫୋରମରେ ବିରୋଧ କରିବୁ। ଦରକାର ପଡ଼ିଲେ ଏହା ବିରୋଧରେ ଆଇନ୍‌ର ଆଶ୍ରୟ ନିଆଯିବ।
ମନମୋହନ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା, ନୀଳାଦ୍ରିବିହାର ରେସିଡେଣ୍ଟ୍‌ ଓନର୍ସ ଆସୋସିଏସନ୍‌

ଆନ୍ଦୋଳନ କରିବୁ
ପ୍ରଶାସନ ପକ୍ଷରୁ ଏହି ଓ୍ଵାର୍ଡକୁ ଭୁଲ୍‌ ଭାବରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ କରାଯାଇଛି। ସରକାରୀ ଦଳର କିଛି ନେତା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଏପରି କରିଛନ୍ତି। ଏହା ବିରୋଧରେ ଆମେ ବିଧାୟକ ଓ ମେୟରଙ୍କୁ ଜଣାଇଛୁ। ଦରକାର ପଡ଼ିଲେ ଆନ୍ଦୋଳନ କରିବୁ।
ପିଙ୍କି ନାୟକ, ମହିଳା ନେତ୍ରୀ, ଓ୍ଵାର୍ଡ଼ ନଂ-୧୪

ପରିବର୍ତ୍ତନ ପାଇଁ ଦାବି କରିବୁ
କେଉଁ ଆଧାରରେ ଏହି ଓ୍ଵାର୍ଡ଼କୁ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ କରାଗଲା ତାହା ବୁଝି ହେଉନାହିଁ। ରାଜନୈତିକ ହୀନ ଉଦ୍ଦେଶ୍ୟରେ ଏପରି କରାଯାଇଛି। ଏହାକୁ ପରିବର୍ତ୍ତନ କରିବାକୁ ଆମେ ଦାବି କରୁଛୁ।
ମଞ୍ଜୁଲତା ସାହୁ, ସ୍ୱୟଂସହାୟିକା ଗୋଷ୍ଠୀ ନେତ୍ରୀ, ଓ୍ଵାର୍ଡ ନଂ-୧୪

ସମ୍ବନ୍ଧିତ ଖବର