ଭୁବନେଶ୍ବର ୱାର୍ଡ ନଂ ୩୯: ପାର୍କ ଓ ଡ୍ରେନ୍ ସମସ୍ୟା ସୁଧାରିବା ଲକ୍ଷ୍ୟରେ ଗୀତାଞ୍ଜଳି

ଭୁବନେଶ୍ବର: ୩୯ନମ୍ବର ଵାର୍ଡରେ ଲୋକଙ୍କ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସହଯୋଗ କରିଛି। ତେଣୁ କର୍ପୋରେଟର୍ ଭାବେ ଥରୁଟିଏ ମୋତେ ନିର୍ବାଚିତ କରାଇଲେ ଵାର୍ଡକୁ ସମସ୍ୟାଶୂନ୍ୟ କରିଦେବି ବୋଲି ବିଜେପି ପ୍ରାର୍ଥିନୀ ଗୀତାଞ୍ଜଳି ସାହୁ ପ୍ରତିଶ୍ରୁତି ଦେଇ ଘରକୁ ଘର ବୁଲିଛନ୍ତି।

ଏହାସହ ଵାର୍ଡର ସବୁ ଜାଗାରେ ସିସିଟିଭି ଲଗାଇବା, କଲ୍ୟାଣ ମଣ୍ଡପ ଭଙ୍ଗାଯାଇଥିବା ସ୍ଥାନରେ ବରିଷ୍ଠ ନାଗରିକଙ୍କ ପାଇଁ ପାର୍କ ଓ କମ୍ୟୁନିଟି ସେଣ୍ଟର୍‌ କରିବା, ନୂଆସାହି, ନୂଆପଲ୍ଲୀ, ଶାସ୍ତ୍ରୀନଗର, ବାଲିତୋଟାସାହିରେ ପ୍ରବେଶ ଦ୍ବାର ନିର୍ମାଣ, ପୋଷ୍ଟ ଅଫିସ ଓ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ସ୍ଥାୟୀ ଗୃହ ନିର୍ମାଣ, ସମସ୍ତ ଡ୍ରେନ୍‌ର ପୁନରୁଦ୍ଧାର ଓ ବର୍ଷାଜଳ ନିଷ୍କାସନ ଆଦି ବ୍ୟବସ୍ଥା କରାଇବା ମୁଖ୍ୟ ଲକ୍ଷ୍ୟ ବୋଲି ଗୀତାଞ୍ଜଳି ଇସ୍ତାହାର ମାଧ୍ୟମରେ ଲୋକଙ୍କୁ ଆଶ୍ବସନା ଦେଇଛନ୍ତି। ଏହା ବ୍ୟତୀତ ବସ୍ତିବାସିନ୍ଦା ଥଇଥାନ ଏବଂ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି। ଏହା ତାଙ୍କର ପ୍ରତିଶ୍ରୁତି ନୁହେଁ, ପ୍ରତିଜ୍ଞା ବୋଲି ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି। ଗୀତାଞ୍ଜଳିଙ୍କ ସ୍ବାମୀ ଜଣାଶୁଣା ସମାଜସେବୀ ବିଷ୍ଣୁପ୍ରସାଦ ସାହୁ ଏଠାରେ ତାଙ୍କ ପ୍ରଚାର ମଙ୍ଗ ଧରିଛନ୍ତି।

ଭୁବନେଶ୍ବର ୱାର୍ଡ: ୬୭:ବିଜେଡି ପ୍ରାର୍ଥିନୀ ମିଲନ ଦେବୀଙ୍କ ପ୍ରଚାର

ଆଜି ପ୍ରଚାରର ଶେଷ ଦିନରେ ୬୭ ନମ୍ବର ୱାର୍ଡରେ ଦମ୍‌ ଦେଖାଇଥିଲେ ବିଜେଡି କର୍ପୋରେଟର୍‌ ପ୍ରାର୍ଥିନୀ ମିଲନ ଦେବୀ। ଏକ ବିଶାଳ ପଦଯାତ୍ରାରେ ସେ ୱାର୍ଡ ପରିକ୍ରମା କରିଥିଲେ। ତାଙ୍କ ସ୍ବାମୀ ତଥା ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ ପ୍ରଚାରର ମଙ୍ଗ ଧରିଥିଲେ। ସ୍ଥାନୀୟ ଗ୍ରାମର ବହୁ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ପଦଯାତ୍ରା ସୁନ୍ଦରପଦା, କପିଳପ୍ରସାଦ, ଆଜାଦ ନଗର, ଅଭିରାମ ବସ୍ତି, ଯୋଗେଶ୍ୱର ପାଟଣା, ଏୟାରଫିଲ୍ଡ ଥାନା ଅଞ୍ଚଳ ପରିକ୍ରମା କରିଥିଲା। ତାଙ୍କୁ ଓ ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ଭୁବନେଶ୍ବର ୱାର୍ଡ: ୬୩: ଶେଷ ପ୍ରଚାରରେ ରୁନୁ ଓ ରଘୁ

ବିଏମ୍‌ସିର ଵାର୍ଡ ନମ୍ବର ୬୩ରେ ବିଜେଡି କର୍ପୋରେଟର ପ୍ରାର୍ଥିନୀ ରୁନୁ ଜେନା ଆଜି ଅନ୍ତିମ ପ୍ରଚାର କରିଛନ୍ତି। ବିଜେପି ଛାଡ଼ି ବିଜେଡିରେ ମିଶିଥିବା ପୂର୍ବତନ କର୍ପୋରେଟର୍ ରଘୁନାଥ ମହାନ୍ତି ଶୋଭାଯାତ୍ରାରେ ରୁନୁଙ୍କ ପାଇଁ ଭୋଟ୍ ମାଗିଥିଲେ। ଶୋଭାଯାତ୍ରାରେ ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଓ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ପ୍ରଚାର ମଇଦାନରେ ସାମିଲ ଥିଲେ। ଧର୍ମବିହାର, ବରବାରି, ଜାଗମରା ଗାଁ, ଜଗମୋହନ ନଗର, ଭୋଇ ସାହି ପ୍ରମୁଖ ଅଞ୍ଚଳରେ ବୁଲି ବୁଲି ଜୋରଦାର୍ ପ୍ରଚାର କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଆଜି ବି ବର୍ଷାଦିନେ ଜଳମଗ୍ନ ହେବା ସହିତ ରାସ୍ତା ସମସ୍ୟା ସୁଧୁରିନଥିବାରୁ ସେ ସବୁର ସମାଧାନ କରିବେ ବୋଲି ରୁନୁ ପ୍ରତିଶ୍ରୁତି ଦେଇଛନ୍ତି। ଵାର୍ଡରେ ସ୍ଥାୟୀ ଡାକ୍ତରଖାନା କରି ଅଞ୍ଚଳବାସୀଙ୍କୁ ମୌଳିକ ସ୍ବାସ୍ଥ୍ୟ ସେବା ଯୋଗାଇଦେ‌ବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର