ଭୁବନେଶ୍ଵର ୱାର୍ଡ ନଂ.୧୧: ବିକାଶ ପାଇଁ ଝୁନାଙ୍କ ପ୍ରତିଶ୍ରୁତି

ଭୁବନେଶ୍ଵର: ୧୧ ନମ୍ବର ୱାର୍ଡରୁ କର୍ପୋରେଟର ପ୍ରାର୍ଥିନୀ ଝୁନା କୁମାରୀ ପଟ୍ଟନାୟକଙ୍କ ପ୍ରଚାର ଆଜି ଜୋର୍‌ଦାର ହୋଇଥିଲା। ଲୋକ ସମର୍ଥନକୁ ନେଇ ଝୁନା ସ୍ବାଧୀନ ଭାବେ ମଇଦାକୁ ଓହ୍ଲାଇଥିଲା ବେଳେ ତାଙ୍କର ଚିହ୍ନ ହେଉଛି ରେଡିଓ। ଆଜି ପ୍ରଚାରର ଶେଷ ଦିନରେ ସେ ଜିଏଲ କ‌ଲୋନି, ପୁଲିସ କଲୋନି, ତ୍ରିନାଥ ବସ୍ତି, ଏଏଲ, ବିଏଲ, ଏଇ, ଡିଏଲ କଲୋନି, ମହାବୀର ବସ୍ତି, ଧିରିକୁଟି ବସ୍ତି ବୁଲି ବୁଲି ସବୁ ଲୋକଙ୍କୁ ଭେଟିଥିଲେ।

ୱାର୍ଡର ମୌଳିକ ସମସ୍ୟା ସମେତ ସରକାରଙ୍କ ପ୍ରତିଟି ଯୋଜନା କିଭଳି ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ପ୍ରାଣପଣେ ଉଦ୍ୟମ ଜାରି ରଖିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ବର୍ଷ ବର୍ଷ ଧରି ଲୋକମାନଙ୍କ ସେବାରେ ରହି ଆସିଥିବା ବେଳେ ତାଙ୍କ ସ୍ବାମୀ ପୂର୍ବତନ କର୍ପୋରେଟର ମୋହନ କୁମାର ହେମ୍ବ୍ରମ ମଧ୍ୟ ୱାର୍ଡବାସୀଙ୍କ ସାଥିରେ ପ୍ରତିଟି କ୍ଷେତ୍ରରେ ସହଯୋଗ କରି ଆସିଛନ୍ତି। ତେଣୁ ଲୋକଙ୍କ ଭଲ ପାଇବା ଆଜି ତାଙ୍କୁ ସମାଜସେବା କରିବାରେ ପ୍ରେରଣା ଯୋଗାଉଛି ବୋଲି ଝୁନା କୁମାରୀ କହିଛନ୍ତି।

ଭୁବନେଶ୍ଵର ୱାର୍ଡ ନଂ.୩୫ : ମୌଳିକ ସମସ୍ୟା ସୁଧାରିବେ ଦେବଦାସୀ

୩୫ନମ୍ବର ୱାର୍ଡରେ ସିପିଆଇ(ଏମ୍)ର କର୍ପୋରେଟର୍‌ ପ୍ରାର୍ଥିନୀ ଦେବଦାସୀ ଦାଶ ଆଜି ଶେଷ ଦିନରେ ମାରାଥନ୍ ପ୍ରଚାର କରିଛନ୍ତି। ପ୍ରଚାର ସମୟରେ ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟାକୁ ସମାଧାନ କରିବା ଉପରେ ଫୋକସ୍ ଦେଇଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା କିପରି ସଫଳତାର ସହ ୱାର୍ଡରେ କାର୍ଯ୍ୟକାରୀ ହୋଇପାରିବ ଏବଂ ହିତାଧିକାରୀମାନେ ତାହାର ସୁଫଳ ପାଇବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହା ସହ ୩୫ ନମ୍ବର ୱାର୍ଡକୁ ଏକ ଆଦର୍ଶ ୱାର୍ଡରେ ପରିଣତ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ବହୁ ବର୍ଷ ଧରି ସମାଜସେବାରେ ସକ୍ରିୟ ଥିବା ଦେବଦାସୀ ଜଣେ ଉଚ୍ଚଶିକ୍ଷିତା ମହିଳା। ଏଥର ନିର୍ବାଚନ ମଇଦାନକୁ ସେ ପ୍ରଥମ ଥର ଓହ୍ଲାଇଥିବାରୁ ୱାର୍ଡବାସୀ ତାଙ୍କୁ ସମର୍ଥନ ଦେବେ ବୋଲି ସେ ଆଶା ରଖିଛନ୍ତି।

ଭୁବନେଶ୍ଵର ୱାର୍ଡ ନଂ.୬୦: କାପୁଙ୍କ ସାଇକେଲ୍‌ ରାଲି

ଶେଷ ଦିନରେ ୬୦ନମ୍ବର ୱାର୍ଡରେ ଜୋର୍‌ଦାର ପ୍ରଚାର ଦେଖିବାକୁ ମିଳିଥିଲା। ସ୍ବାଧୀନ ପ୍ରାର୍ଥୀ ଚନ୍ଦ୍ରଶେଖର ମଲିଆ(କାପୁ) ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ଆଜି ସାଇକେଲ୍‌ ଶୋଭାଯାତ୍ରା କରିଥିଲେ। ଅପରାହ୍‌ଣରେ ଶତାଧିକ ମହିଳାଙ୍କୁ ନେଇ ପଦଯାତ୍ରା କରିଥିଲେ। ଏହି ୱାର୍ଡର ମୌଳିକ ସମସ୍ୟାର ସମାଧାନ ସହ ବିକାଶମୂଳକ କାର୍ଯ୍ୟକୁ ସେ ଫୋକସ୍ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଏମ୍‌ସି ହସ୍ପିଟାଲର ଉନ୍ନତୀକରଣ ସହିତ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା, ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ପ୍ରତୀକ୍ଷା ପ୍ରକୋଷ୍ଠ ସହ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା, ପରିମଳ ବ୍ୟବସ୍ଥାରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରି ୱାର୍ଡରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୃଦୁଢ଼ କରିବା, ୱାର୍ଡରେ ୨୪ଘଣ୍ଟିଆ ଜଳଯୋଗାଣ, ଉଜ୍ଜ୍ବଳ ଆଲୋକୀକରଣ, କପିଳେଶ୍ୱର ମନ୍ଦିରର ବିକାଶ ସହ ୱାର୍ଡର ବିଭିନ୍ନ ଯୁବ ସଙ୍ଗଠନ, ବରିଷ୍ଠ ନାଗରିକ ସଂଗଠନ, ମହିଳା ଗୋଷ୍ଠୀମାନଙ୍କ ପାଇଁ କମ୍ୟୁନିଟି ହଲ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର