ଭୁବନେଶ୍ବର: ୩୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥିନୀ ରଞ୍ଜୁଲତା ରାୟ ଆଜି ପ୍ରଚାରର ଶେଷ ଦିନରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ପଦଯାତ୍ରା କରିଥିଲେ। ମଙ୍ଗଳାବସ୍ତି, ସୁଧାନିଧେଶ୍ବର ବସ୍ତି, ଭଗବତୀ ବସ୍ତି ୧ ଓ ୨, ସାହୁ ବସ୍ତି, ଲେବର କଲୋନି ବସ୍ତି ସମେତ ୟୁନିଟ୍-୯ ଅଞ୍ଚଳରେ ଘର ଘର ବୁଲି ମତଦାତାଙ୍କୁ ଭେଟି ଭୋଟ୍‌ ଭିକ୍ଷା କରିଥିଲେ। ସେ କହିଛନ୍ତି ଯେ ବିଧାୟକ ଶ୍ରୀ ଜେନାଙ୍କ ପ୍ରୟାସରେ ଏହି ୱାର୍ଡରେ ଯଥେଷ୍ଟ ବିକାଶମୂଳକ କାର୍ଯ୍ୟ ହୋଇଛି। ବସ୍ତିବାସିନ୍ଦାଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯାଇଛି। ଆଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ସେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବେ। ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ପ୍ରଥମ ଲକ୍ଷ୍ୟ ହେବ। ୟୁନିଟ୍-୯ ଅଞ୍ଚଳରେ ଏକ ପାର୍କ ନିର୍ମାଣ ହେବ। ସେହିଭଳି ମୁକ୍ତାକାଶ ବ୍ୟାୟାମକେନ୍ଦ୍ର, ଡ୍ରେନେଜ୍ ସମସ୍ୟା ସମାଧାନ, ଆଲୋକୀକରଣ ଓ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଭୁବନେଶ୍ବର ୱାର୍ଡ ନଂ. ୧୫: ପିଙ୍କିଙ୍କ ରୋଡ୍ ସୋ’

publive-image

ବିଏମ୍‌ସିର ୧୫ନମ୍ବର ଵାର୍ଡରେ ସ୍ବାଧୀନ ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ପିଙ୍କି ସ୍ବାଇଁ। ମଶାଲ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପିଙ୍କି ଆଜି ରେଣ୍ଟାଲ କଲୋନି, ବେହେରା ବସ୍ତି, ଏକାମ୍ର ଭିଲ୍ଲାରେ ବିଶାଳ ରୋଡ୍ ସୋ’ କରିଥିଲେ। ପିଙ୍କିଙ୍କ ସ୍ବାମୀ ତଥା ଆଇନଜୀବୀ ଅଶୋକ ରାଜ୍‌ ପ୍ରଚାରର ମଙ୍ଗ ଧରିଥିଲେ। ପିଙ୍କି କହିଥିଲେ, ଵାର୍ଡରେ ଖେଳପଡ଼ିଆ ଓ କଲ୍ୟାଣ ମଣ୍ଡପ ନାହିଁ। ବେହେରା ବସ୍ତିରେ ଲୋକଙ୍କୁ ସ୍ଥାୟୀ ଘର ଦେବାକୁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ତାଙ୍କୁ ଥରୁଟିଏ ସୁଯୋଗ ମିଳିଲେ ସେ ଵାର୍ଡର ପୂରା ନକ୍ସା ବଦଳାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଭୁବନେଶ୍ବର ୱାର୍ଡ ନଂ ୩୩ରେ ସୁଲଗ୍ନାଙ୍କ ପ୍ରଚାର

publive-image

ୱାର୍ଡକୁ ମଡେଲ୍‌ ୱାର୍ଡରେ ପରିଣତ କରାଯିବ। ରାସ୍ତାଠାରୁ ଆରମ୍ଭ କରି ଆଲୋକୀକରଣ, ଡ୍ରେନେଜ୍‌ ବ୍ୟବସ୍ଥାରେ‌ କୌଣସି ସମସ୍ୟା ରହିବ ନାହିଁ। ମୁଁ କର୍ପୋରେଟର ନଥାଇ ମଧ୍ୟ ୱାର୍ଡରେ ପାର୍କ, ବରିଷ୍ଠ ନାଗରିକଙ୍କ ପାଇଁ ଘର, ରାସ୍ତାଘାଟ ଅନେକ ବିକାଶମୂଳକ କାମ କରିଛି। ଆଗକୁ ଏହି ପ୍ରୟାସ ଜାରି ରହିବ। ଆଜି ପ୍ରଚାର ଶେଷ ଦିନ ଥିବା ବେଳେ ୱାର୍ଡ ନଂ-୩୩ର ବିଜେଡି ପ୍ରାର୍ଥିନୀ ସୁଲଗ୍ନା ଜେନା ସମର୍ଥକଙ୍କ ସହ ୱାର୍ଡ ବୁଲି ମାରାଥନ ପ୍ରଚାର ଓ ଭୋଟ ଭିକ୍ଷା କରିଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ କରି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ଭୁବନେଶ୍ବର ୱାର୍ଡ ନଂ. ୬୨:ଚାରୁଲତାଙ୍କ ପ୍ରଚାର ଜମିଲା

୬୨ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥିନୀ ଚାରୁଲତା ସାମନ୍ତରାୟ ଆଜି ମାରାଥନ ପ୍ରଚାର କରିଛନ୍ତି। ୱାର୍ଡର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଭୋଟ ପାଇଁ ନିବେଦନ କରିଥିଲେ। ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ ଓ ତାଙ୍କ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିଥିଲେ। ଚାରୁଲତାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟ କରିବାକୁ ଚାରୁଲତା ଓ ତାଙ୍କ ଭାଇ ହୃଦୟ ନିବେଦନ କରିଛନ୍ତି। ସେ ବିଜୟୀ ହେଲେ ବସ୍ତି ଅଞ୍ଚଳରେ ଥିବା ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଏକ ଅଡିଟୋରିୟମ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଭୁବନେଶ୍ବର ୱାର୍ଡ ନଂ. ୬୧:ଶିବଙ୍କ ପାଇଁ ପ୍ରଚାର କଲେ ମନ୍ତ୍ରୀ

ପ୍ରଚାର ଶେଷ ଦିନରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଆଜି ୬୧ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଶିବ ନାରାୟଣ ରାୟଙ୍କ ପାଇଁ ପ୍ରଚାର କରିଛନ୍ତି। ସରକାରଙ୍କ ବିଭିନ୍ନ ସୁବିଧା ଯେପରି ଲୋକ ପାଇବେ ସେଥିପାଇଁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଓ ଆଶୀର୍ବାଦ ଦେଇ ବିଜୟ କରିବାକୁ ସେ ୱାର୍ଡବାସୀଙ୍କୁ ନିବେଦନ କରିଥିଲେ। ୱାର୍ଡରେ ପାଣି ସମସ୍ୟା ପାଇଁ ସମାଧାନ ପାଇଁ ଆଉ ଏକ ପିଏଚ୍‌ଡି ଟାଙ୍କି କରିବା, ଭୀମେଶ୍ୱର କୁଣ୍ଡର ପୁନରୁଦ୍ଧାର, ୱାର୍ଡରେ କଲ୍ୟାଣମଣ୍ଡପ ନିର୍ମାଣ, ଶ୍ରୀଲିଙ୍ଗରାଜ ଷ୍ଟେସନରୁ ଶ୍ରୀଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ କରିବା ସହ ମୋ ବସ ଚଳାଚଳ କରିବା, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର କମ୍ୟୁନିଟି ସେଣ୍ଟର୍ ନିର୍ମାଣ ଓ ଯୁବକମାନଙ୍କ ପାଇଁ ଇନ୍‌ଡୋର ଷ୍ଟାଡିୟମ୍ ଓ ଜିମ୍‌ ନିର୍ମାଣ କରାଯିବ ବୋଲି ଶିବନାରାୟଣ ପ୍ରତିଶ୍ରୁତି ଦେଇଥିଲେ।