ଭୁବନେଶ୍ବର: ବିଏମ୍ସି ପକ୍ଷରୁ ଆଜି ସନ୍ଧ୍ୟାରେ ଜୟଦେବ ଭବନ ଠାରେ ସ୍ବାୟତ୍ତ ଶାସନ ଦିବସ ସମାରୋହ ପାଳିତ ହୋଇଛି। ଏଥିରେ ଗୃହ ଓ ନଗର ଉଷା ଦେବୀ ଯୋଗଦେଇ ଉନ୍ନୟନ ମନ୍ତ୍ରୀ ସମସ୍ତେ ମିଳିମିଶି କାମ କଲେ ଭୁବନେଶ୍ବର ବିଶ୍ବସ୍ତରୀୟ ହୋଇ ପାରିବ ବୋଲି ମତ ଦେଇଛନ୍ତି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ବିଏମ୍ସି ପୂର୍ବରୁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ସେହି ସବୁ କାର୍ଯ୍ୟ କେମିତି ହୋଇଥିଲା ତାହାର ତର୍ଜମା କରି ଏବେ ତା’ ଠାରୁ ଅଧିକ ଭଲ କାମ ହୋଇପାରିବ ବୋଲି କହିଥିଲେ। ସେହିଭଳି ବିଧାୟକ (ଭୁବନେଶ୍ବର ମଧ୍ୟ) ଅନନ୍ତ ନାରାୟଣ ଜେନା ଅନୁରୂପ ମନ୍ତବ୍ୟ ଦେଇଥିଲେ।
ସେ କହିଥିଲେ, ମୁଁ ମେୟର ଥିବା ବେଳେ ଆଚାର୍ଯ୍ୟ ବିହାରରେ ଏକ ଡ୍ରେନ୍ କରିବା ପରେ ବିଫଳ ହୋଇଥିଲୁ। ସେଥିରେ କ’ଣ ସମସ୍ୟା ରହିଲା ତାହାକୁ ନେଇ ମାନସମନ୍ଥନ ହୋଇଥିଲା। ଏହା ପରେ ଯେଉଁ ଡ୍ରେନ୍ ତିଆରି ହେଲା ଆଉ ଗୋଟିଏ ହେଲେ ଫେଲ୍ ମାରି ନାହିଁ। ଏଣୁ ବିଫଳତାରେ ହତାଶ ନ ହୋଇ ସେଥିରୁ ଶିଖିବାର ଅଛି ବୋଲ କହିଥିଲେ। ବିଧାୟକ (ଉତ୍ତର ଭୁବନେଶ୍ବର) ସୁଶାନ୍ତ କୁମାର ରାଉତ ଭୁବନେଶ୍ବରକୁ ଶିକ୍ଷା ହବ୍ ବୋଲି ଦର୍ଶାଇ ଏଦିଗରେ କାମ କରିବାକୁ ପରାମର୍ଶ ଦେଇଥିଲେ। ମେୟର ସୁଲୋଚନା ଦାସ ଦାରୁଠେଙ୍ଗବାସୀଙ୍କ ସହ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ କହିଥିଲେ, ଲୋକଙ୍କ ଠାରୁ ମତାମତ ଆଣି ଆମେ ଭୁବନେଶ୍ବରକୁ ଗଢ଼ିବାକୁ ଚାହୁଛୁ। ଏଣୁ ଏଥିରେ ସମସ୍ତେ ସହଯୋଗ କରନ୍ତୁ। କମିସନର ବିଜୟ ଅମୃତା କୁଲାଙ୍ଗେ କହିଥିଲେ, କର୍ପୋରେଟର ହେଉଛନ୍ତି ସାଧାରଣ ଲୋକ ଓ ପ୍ରଶାସନ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବାର ମାଧ୍ୟମ। ପ୍ରତିଟି ଯୋଜନାର ଲାଭ ଯେଭଳି ଶେଷ ଲୋକଟିର ପାଖରେ ପହଞ୍ଚି ପାରିବ ସେ ନେଇ ସେମାନେ ଉଦ୍ୟମ କରିବା ଜରୁରୀ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର ଓ ତିନିଜଣ ଅତିରିକ୍ତ କମିସନର ମଞ୍ଚାସୀନ ଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୦ ଜଣଙ୍କୁ ନଗରବନ୍ଧୁ ସମ୍ମାନ ଦିଆଯାଇଥିଲା। ଏଥିରେ ତିନିଜଣ ସଫେଇ କର୍ମଚାରୀ ଓ ତିନିଜଣ ଗାଡ଼ି ଚାଳକ ରହିଥିଲେ। ସମସ୍ତଙ୍କୁ ୧୦ ହଜାର ନଗଦ ଟଙ୍କା ପୁରସ୍କାର ଦିଆଯାଇଥିଲା। ଚିହ୍ନଟ ହୋଇଥିବା ୨୫୨୨ ରାସନ କାର୍ଡ ହିତାଧିକାରୀଙ୍କ ମଧ୍ୟରୁ ସମାରୋହରେ ୩୦ ଜଣଙ୍କୁ କାର୍ଡ ବଣ୍ଟା ଯାଇଥିଲା। ୧୨୯ ଏସ୍ଏଚ୍ଜିଙ୍କୁ ୧୦ ହଜାର ଲେଖାଏ ଓ ୧୯ ଟି କ୍ଷେତ୍ରସ୍ତରୀୟ ମହାସଂଘଙ୍କୁ ୫୦ ହଜାର ଲେଖାଏ ଘୂର୍ଣ୍ଣାୟମାନ ପାଣ୍ଠି ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। ‘ଆହ୍ବାନ’ ଓ ଭୁବନେଶ୍ବରରର ଐତିହ୍ୟକୁ ନେଇ ପ୍ରସ୍ତୁତ କଫି ଟେବୁଲ୍କୁ ବୁକ୍ ‘ସ୍ପିକିଂ ଷ୍ଟୋନ୍ସ’କୁ ଅତିଥିମାନେ ଉନ୍ମୋଚନ କରିଛନ୍ତି। ସକାଳେ ପତାକା ଉତ୍ତୋଳନ ହେବା ସହ ଗରିବମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଆସନ୍ତାକାଲି କିଛି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଯୋଜନା ରହିଛି।