ଭୁବନେଶ୍ୱର: ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟାର ସମାଧାନ କରିବ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍)। ସ୍ମାର୍ଟ ସିଟି ସହ କାମ କରୁଥିବା ଜିଆଇଜେଡ୍(ଜର୍ମାନ ସଂସ୍ଥା) ଭୁବନେଶ୍ବରର ସର୍ବେକ୍ଷଣ କରିବା ପରେ ଏହାର ସମାଧାନ ରାସ୍ତା ବାହାର କରିଛି। ବିଶେଷକରି ବେଙ୍ଗ ମୁତିବା ଭଳି ବର୍ଷାରେ ବି ଇସ୍କନ୍ ସମ୍ମୁଖରେ ହ୍ରଦ ସୃଷ୍ଟି ହୋଇଯାଉଥିବାରୁ ଏହି ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରାଯିବ। ମନ୍ଦିର ପାଖରେ ଯେଉଁ ଡ୍ରେନ୍ ଅଛି, ତାହାର ପୁନରୁଦ୍ଧାର କରାଗଲେ କିମ୍ବା ନୂଆ ଡ୍ରେନ୍ ତିଆରି କଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ। ତେଣୁ ୩ଟି ଜାଗାରେ ସମ୍ପ କରାଯାଇ ବର୍ଷା ପାଣିକୁ ରଖାଯିବ। ବର୍ଷା ଛାଡ଼ିବା ପରେ ପାଣି ଛଡ଼ାଯିବ। ଏହି ସମ୍ପ ପାଇଁ ଜାଗା ଚିହ୍ନଟ ହୋଇଛି। ନୂଆପଲ୍ଲୀରେ ଗୋଟିଏ ଓ ଜାତୀୟ ରାଜପଥ କଡ଼ରେ ଦୁଇଟି ସମ୍ପ୍ କରାଯିବ। ଏହି ପ୍ରକଳ୍ପ ପାଇଁ ପାଖାପାଖି ୧୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଇସ୍କନ୍ ମନ୍ଦିର ସାମ୍ନା ଛଡ଼ା ଜଳବନ୍ଦୀ ପରିସ୍ଥିତି ଉପୁଜୁଥିବା ଅନ୍ୟ ସ୍ଥାନରେ ବିକଳ୍ପ ଡ୍ରେନ୍ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ଏଥିପାଇଁ ଡିଜାଇନ୍ ତିଆରି କରି ଜିଆଇଜେଡ୍ ବିଏମ୍ସିକୁ ପ୍ରସ୍ତାବ ଦେବ।
ଭୁବନେଶ୍ବରରେ ଜଳବନ୍ଦୀ ସ୍ଥିତି ଜାଣିବା ପାଇଁ ଜିଆଇଜେଡ୍ ପ୍ରସ୍ତୁତ କରିଥିବା ‘ମୁଁ ସିଟି ସେଭର’ ଆପ୍ ବିଏସ୍ସିଏଲ୍କୁ ହସ୍ତାନ୍ତର କରିଛି। କ୍ଲାଇମେଟ୍ ସ୍ମାର୍ଟ ସିଟିଜ୍ ଇନିସିଏଟିଭ୍ ଅଧୀନରେ ପ୍ରସ୍ତୁତ କରାଯାଇଥିବା ଏହି ଆପ୍କୁ ଏବେ ବିଏସ୍ସିଏଲ୍ ପରିଚାଳନା କରିବ। ଜଳବନ୍ଦୀ ସ୍ଥିତିକୁ ନେଇ ଯେ କୌଣସି ଲୋକ ଫଟୋ ଅପ୍ଲୋଡ୍ କରିପାରିବେ। ସମ୍ପୃକ୍ତ ସ୍ଥାନର ଠିକଣା ଜିଓ ଟ୍ୟାଗିଙ୍ଗ୍ ଜରିଆରେ କର୍ତ୍ତୃପକ୍ଷ ଅବଗତ ହେବା ପରେ ଏହାର ତୁରନ୍ତ ସମାଧାନ କରିବେ। ବିଏସ୍ସିଏଲ୍ ଓ ଜେଆଇଜେଡ୍ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏହା ଉପରେ ବିଶଦ୍ ଆଲୋଚନା ହୋଇଥିଲା।
ଅପରପକ୍ଷେ ବିଭିନ୍ନ ସ୍ଥାନରୁ ସଂଗ୍ରହ ହେଉଥିବା ନିର୍ମାଣ ବର୍ଜ୍ୟବସ୍ତୁକୁ ବିଏମ୍ସି ଫିଙ୍ଗି ଦେଉଛି। ଏହାର ପରିଚାଳନା ନ ହେଲେ ଭବିଷ୍ୟତରେ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଜିଆଇଜେଡ୍ ଚେତାଇ ଦେଇଛି। ଏଣୁ ଏଗୁଡ଼ିକର ଉପଯୁକ୍ତ ପରିଚାଳନା କରି ପୁନଃ ବ୍ୟବହାରଯୋଗ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ପୁନଃ ବ୍ୟବହାର ହେବା ପାଇଁ ଏହାର କିଭଳି ପରିଚାଳନା କରାଯିବ, ସେନେଇ ଏକ ଡିଜାଇନ୍ ମଧ୍ୟ ପ୍ରସ୍ତୁତ ହୋଇଛି। ସେହିପରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭୁବନେଶ୍ବରରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଏନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଡ୍ରେନ୍ରେ ବୋହି ଯାଉଥିବା ବର୍ଷାଜଳ ନଷ୍ଟ ନକରି ଏହା କିଭଳି ଅମଳ ହୋଇ ପାରିବ, ସେନେଇ ଜିଆଇଜେଡ୍ ପ୍ରସ୍ତାବ ଦେଇଛି। ବଡ଼ବଡ଼ ଡ୍ରେନ୍ ନିକଟରେ ବର୍ଷା ଜଳ ଅମଳ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି।
ବୈଠକରେ ଅଧ୍ୟକ୍ଷତା କରି ବିଏସ୍ସିଏଲ୍ ସିଏମ୍ଡି ସଞ୍ଜୟ କୁମାର ସିଂ କହିଛନ୍ତି, ଜିଆଇଜେଡ୍ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛି। ଏଗୁଡ଼ିକ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ କରିବାକୁ ଆମେ ଉଦ୍ୟମ କରୁଛୁ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ବିଏସ୍ସିଏଲ୍ ମହାପ୍ରବନ୍ଧକ କମଲଜିତ ଦାସ, ସିଟି ଇଞ୍ଜିନିୟର ଅରୁଣ ନାୟକ, ଡ୍ରେନେଜ୍ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୌତମ ଦାସ, ଜିଆଇଜେଡ୍ ପ୍ରକଳ୍ପ(କ୍ଲାଇମେଟ୍-ସ୍ମାର୍ଟ ସିଟି) ମୁଖ୍ୟ ବୈଶାଳୀ ନନ୍ଦନ, ଜିଆଇଜେଡ୍ ବୈଷୟିକ ପରାମର୍ଶଦାତା ସେହବାଜ୍ ଖାନ୍ ଓ ଲିଜୁ ମାଥ୍ୟୁ ପ୍ରମୁଖ ଉପସ୍ଥିତ ଥିଲେ।