ଭୁବନେଶ୍ବର: ୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଭୁବନେଶ୍ବର। ଏହାକୁ ଏକ ମିସନ୍ ମୋଡ୍ରେ ନେଇ ଭୁବନେଶ୍ବର ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଉଦ୍ୟମ ଅବ୍ୟାହତ ରଖିଛି। ହେଲେ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଗତ ତିନିବର୍ଷରେ ୧୫୮ ଯକ୍ଷ୍ମା ରୋଗୀ ମଲେଣି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ଟପିଗଲାଣି। ଏଭଳି ସ୍ଥିତିରେ ୨୦୨୫ ସୁଦ୍ଧା ଭୁବନେଶ୍ବର କେମିତି ଯକ୍ଷ୍ମାମୁକ୍ତ ହେବ, ସେ ନେଇ ଆଶଙ୍କା ପ୍ରକାଶ ପାଇଲାଣି। ତେବେ ଲୋକମାନେ ସଚେତନ ହେଲେ, ସ୍ଥିତି ଅଣାୟତ ହେବା ପୂର୍ବରୁ ଚିକିତ୍ସା ଆରମ୍ଭ ହେଲେ ୨୦୨୫ ସୁଦ୍ଧା ‘ଯକ୍ଷ୍ମାଶୂନ୍ୟ ଭୁବନେଶ୍ବର’ ସମ୍ଭବ ବୋଲି କହିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ର ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ସୁମନ ସୁନ୍ଦରାୟ।
ଆଜି ହୋଟେଲ ସ୍ବସ୍ତି ଗ୍ରାଣ୍ଡ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସେ କହିଥିଲେ, ଭାରତରେ ୪୦ପ୍ରତିଶତ ଲୋକ ଯକ୍ଷ୍ମା ଜୀବାଣୁ ସଂପର୍କରେ ଆସିଥାନ୍ତି। ଯେଉଁମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ତାଙ୍କୁ ଯକ୍ଷ୍ମା ରୋଗ ହେବାର ସମ୍ଭାବନାଅଧିକ ଥାଏ। ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଚିକିତ୍ସା ଆରମ୍ଭ ହେଲେ ଏଥିରୁ ଆରୋଗ୍ୟ ସହଜ। ହେଲେ ଅନେକ ଲୋକ ଲକ୍ଷଣ ଲୁଚାଉଥିବାରୁ ଜୀବନ ପ୍ରତି ବିପଦ ବଢ଼ିଥାଏ। ପ୍ରତ୍ୟେକ ନାଗରିକ ସଚେତନ ହେଲେ ଭାରତ ସରକାର ତଥା ଜାତୀୟ ସ୍ବାସ୍ଥ୍ୟ ମିସନ ଅଧୀନର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ।
ଜିଲ୍ଲା ଯକ୍ଷ୍ମା କେନ୍ଦ୍ରର ମେଡିକାଲ ଅଫିସର ଡା. ଏମ୍ଏ ସମାଦ୍ ଖାନ୍ କହିଥିଲେ, ଭାରତରେ ପ୍ରତି ୩ ମିନିଟରେ ଦୁଇ ଜଣଙ୍କର ମୃତ୍ୟୁ ଘଟୁଛି। ୨ ସପ୍ତାହରୁ ଅଧିକ କାଶ, କିମ୍ବା ଭୋକ ନ ହେବା, ଓଜନ କମିବା, ଛାତିରେ ଯନ୍ତ୍ରଣା ଅନୁଭବ କରିବା, କଫରେ ରକ୍ତ ପଡିବା ପ୍ରଭୃତି ଲକ୍ଷଣ ହେଲେ ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଟିବି-ଏଚ୍ଆଇବି ଜିଲ୍ଲା ସଂଯୋଜକ ଲୋକନାଥ ପ୍ରଧାନ ଜିଲ୍ଲା ଯକ୍ଷ୍ମା କେନ୍ଦ୍ରର ବିବରଣୀ ଉପସ୍ଥାପନ କରିଥିବା ବେଳେ ରିଚ୍ ଆଲାଇଜ୍ ପ୍ରକଳ୍ପର ଅପରେସନ ମୁଖ୍ୟ ଲକ୍ଷ୍ମୀଧର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ପ୍ରକଳ୍ପର ଜିଲ୍ଲା ଯୋଜନାକାରୀ ଡାକ୍ତର ରୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକଳ୍ପର ସଂଯୋଜକ ସୁଶାନ୍ତ ମିଶ୍ର ରିଚ୍ ଆଲାଇଜ୍ର ବିଭିନ୍ନ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରରେ ୨୦୧୯ ମସିହାରେ ୧୫୦୪ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୧୩୭୭ଜଣ ରୋଗମୁକ୍ତ ହୋଇଥିବା ବେଳେ ୬୭ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ୨୦୨୦ରେ ଚିହ୍ନଟ ହୋଇଥିବା ୧୪୬୨ଜଣଙ୍କ ମଧ୍ୟରୁ ୧୩୩୦ଜଣ ଆରୋଗ୍ୟ ଲାଭ କରିଥିଲେ। ୫୩ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୧ରେ ଚିହ୍ନଟ ହୋଇଥିବା ୧୯୪୭ଜଣଙ୍କ ମଧ୍ୟରୁ ୧୬୬୬ଜଣ ରୋଗମୁକ୍ତ ହୋଇଥିଲେ। ୭୨ଜଣଙ୍କର ମୃତ୍ୟୁ ଘଟିଥିଲା। ଚଳିତବର୍ଷ ମେ’ ସୁଧା ୧୬୨୮ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇସାରିଲେଣି। ଏହା ଆକଳନଠାରୁ ବେଶି ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/54-4.jpg)