ଭୁବନେଶ୍ବରରେ ହେବ ସାଇନ୍ସ ସିଟି: ପୁରୀ ସାଇନ୍ସ ପାର୍କରେ ରହିବ ଜଗନ୍ନାଥଙ୍କ ରୀତିନୀତିର ବୈଜ୍ଞାନିକ ଦୃଷ୍ଟିକୋଣ

ଭୁବନେଶ୍ବର: ରାଜଧାନୀରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ପ୍ରା‌ରମ୍ଭିକ ପର୍ଯ୍ୟାୟରେ ୩୦ଏକର ଜମି ଯୋଗାଇଦେବେ। କୋଲକତାର ସାଇନ୍ସ ସିଟି ଭଳି ଏହାକୁ ନିର୍ମାଣ କରାଯିବ। ଏସମ୍ପର୍କିତ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଉପକଣ୍ଠରେ ଏକ ସାଇନ୍ସ ସିଟି ନିର୍ମାଣ ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରସ୍ତୁତ କରିଥିବା ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହ ଏନେଇ ତୁରନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି। ଏହି ସମୟ ମଧ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗ ଇଡ୍‌କୋ ସହାୟତାରେ ଜମି ଚିହ୍ନଟ କରିବାକୁ କୁହାଯାଇଛି।

ସେହିପରି ପୁରୀରେ ନିର୍ମାଣ ହେବାକୁ ଥିବା ସାଇନ୍ସ ପାର୍କରେ ଜଗନ୍ନାଥଙ୍କ ରୀତିନୀତିର ବୈଜ୍ଞାନିକ ଦୃଷ୍ଟିକୋଣକୁ ନେଇ ଏକ ସ୍ବତନ୍ତ୍ର ଗ୍ୟାଲେରି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ସାତକୋଶିଆ ଗଣ୍ଡ ନିକଟରେ ମଧ୍ୟ ଏକ ସ୍ବତନ୍ତ୍ର ସାଇନ୍ସ ପାର୍କ ନିର୍ମାଣ କରାଯିବ। ଏଠାରେ ଜୈବ ବିବିଧତାର ବିଭିନ୍ନ ଦିଗକୁ ପ୍ରଦର୍ଶନ କରାଯିବ। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଭୁବନେଶ୍ବରେ ଖୁବ୍‌ ଶୀଘ୍ର ସାଇନ୍ସ ସିଟି ନିର୍ମାଣ ହେବ। ଏହା ଦେଶର ଅନ୍ୟତମ ଆକର୍ଷଣ ପାଲଟିବ। ଓଡ଼ିଶାକୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ସହାୟକ ହେବ। ସେହିପରି ସବୁ ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ପୁରୀର ସାଇନ୍ସ ପାର୍କ ଏସବୁଠୁ ଭିନ୍ନ ହେବ।

ସମ୍ବନ୍ଧିତ ଖବର