ଭୁବନେଶ୍ୱର: ହକି ପରେ ବି ଚମକିବ ଭୁବନେଶ୍ବର। ରାତିରେ ଆବର୍ଜନା ସଂଗ୍ରହ ଜାରି ରହିବ। ନୂଆ କରି ଲାଗିଥିବା ଛୋଟ ଛୋଟ ଗଛର ସୁରକ୍ଷା ହେଉ କି ପ୍ଲେସ୍ ମେକିଂ, ହକି ପାଇଁ ହୋଇଥିବା ସମସ୍ତ ସ୍ବତନ୍ତ୍ର କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ। ଏଥିପାଇଁ ସମସ୍ତ ଉଦ୍ୟମ କରିବ ବିଏମ୍ସି। ସବୁ ହକି ପାଇଁ ଚାଲିଛି, ହକି ପରେ ବିଏମ୍ସି ସବୁ ଭୁଲି ଯିବ ବୋଲି ଚର୍ଚ୍ଚାର ଏଭଳି କଡ଼ା ଜବାବ ଦେଇଛନ୍ତି ମେୟର ସୁଲୋଚନା ଦାସ। ଆଜି ବିଏମ୍ସିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ପ୍ରତିଶ୍ରୁତି ଦେବା ସହ ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ବିଏମ୍ସି ରୂପରେଖ ପ୍ରସ୍ତୁତ କରୁଥିବା ସେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଏଯାବତ୍ ହୋଇଥିବା ସୌନ୍ଦର୍ଯ୍ୟୀକରଣ, ପରିମଳ ଓ ସହରୀ କ୍ରିୟାଶୀଳତା (ସିଟି ଆକ୍ଟିଭେସନ) ଭଳି ବିଭିନ୍ନ କାର୍ଯ୍ୟକ୍ରମର ବିଷଦ୍ ବିବରଣୀ ଉପସ୍ଥାପନ କରାଯାଇଛି।
ମେୟର ଶ୍ରୀମତୀ ଦାସ କହିଛନ୍ତି, ଲଗାତର ଦୁଇଥର ବିଶ୍ୱକପ ହକିର ଆୟୋଜନ ହେବା ଆମପାଇଁ ଗୌରବର କଥା। ଏଥିପାଇଁ ବିଏମସିର ଯେଉଁ ପ୍ରମୁଖ ଦାୟିତ୍ୱ ରହିଥିଲା ତାହାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାରେ ଆମେ ସମର୍ଥ ହୋଇପାରିଛୁ। ଏଥିରେ ସହରର ପ୍ରମୁଖ ୨୭ଟି ସ୍ଥାନର ଉନ୍ନତୀକରଣ କରାଯାଇଛି। ଏଥିରେ ଲକ୍ଷ୍ମୀ ସାଗର ଗୋଲେଇ ଛକରୁ ଆରମ୍ଭ କରି ରମାଦେବୀ କଲେଜ ସାମ୍ନା, ପଠାଣୀ ସାମନ୍ତ ପ୍ଲାନେଟୋରିୟମ ସାମ୍ନା, ଜୟଦେବ ବିହାର, ପୋଖରୀପୁଟ ଗୋଲେଇ ଛକ ପ୍ରଭୃତି ରହିଛି।
କମିସନର ବିଜୟ ଅମୃତ କୁଲାଙ୍ଗେ ସହରରେ ଚାଲିଥିବା ସବୁଜୀକରଣ, ଲ୍ୟାଣ୍ଡ୍ସ୍କେପିଂ ଉପରେ ସୂଚନା ଦେଇଥିଲେ। ବିଏମସି ତରଫରୁ ୨୫ କିଲୋମିଟର ଅଂଚଳ ଲ୍ୟାଣ୍ଡ୍ସ୍କେପିଂ କରାଯାଇଥିବା ବେଳେ ଷ୍ଟାମ୍ପ ୩.୦ ଅଧିନରେ ପ୍ରସ୍ତୁତ ୪୨ଟି ସ୍ଥାପତ୍ୟ ସହରର ଶୋଭା ବଢ଼ାଯାଇଛି। ଭୁବନେଶ୍ୱରକୁ ଆସୁଥିବା ବିଦେଶୀ ଖେଳାଳୀ ଓ ଖେଳପ୍ରେମୀଙ୍କୁ ନିଜର ଆତିଥ୍ୟ ଭାବ ପୋଷଣ କରିବା ପାଇଁ ସେ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ନିବେଦନ କରିଛନ୍ତି।
ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ସିଟି ଆକ୍ଟିଭେସନ ବା ସହରୀ କ୍ରିୟାଶୀଳତା ଉପରେ ସୂଚନା ଦେଇଛନ୍ତି। ୧୦ ତାରିଖ ସୁଦ୍ଧା ୨୧୪ଟି ବସ୍ତି ସଂଗଠନ, ୬୩ଟି ଆବାସିକ କଲ୍ୟାଣ ସଂଘ, ୪୬୮ଟି ବିଦ୍ୟାଳୟ ଓ ୧୧ଟି ପାର୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥିବା ସେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ବିନୟ କୁମାର ଦାଶ, ପରିମଳ ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାର ପ୍ରମୁଖ ଉପସ୍ଥିତ ଥିଲେ।