ଗତ ୧୦ ବର୍ଷ ଭିତରେ ୫ ଜଣ ଆଇଏଏସ୍ ଅଧିକାରୀ ବିଏମ୍ସି କମିସନର୍ ଭାବେ ଦାୟିତ୍ବ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଭାୟା ଗଞ୍ଜାମ ଦେଇ ବିଏମ୍ସି ଆସିଛନ୍ତି। କ୍ରିଷନ୍ କୁମାର, ପ୍ରେମ ଚୌଧରୀ ଓ ଏବର କମିସନର୍ ବିଜୟ ଅମୃତ କୁଲାଙ୍ଗେ। ଗଞ୍ଜାମ ଜିଲ୍ଲାପାଳ ଯିଏ ହୁଅନ୍ତି, ସେମାନେ ସିଧା ତୃତୀୟ ମହଲାର ଗୁଡ୍ବୁକ୍ରେ ରୁହନ୍ତି। କାରଣ ବି ସ୍ପଷ୍ଟ। ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ। ଗଞ୍ଜାମରୁ ସିଧା ରାଜଧାନୀ ଆସି ମହାନଗର ନିଗମର ମଙ୍ଗ ଧରିବାର ସୌଭାଗ୍ୟ ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ମିଳୁଛି। ସେମାନେ ଭୁବନେଶ୍ବରରେ ଅଖଣ୍ଡ କ୍ଷମତା ମଧ୍ୟ ଉପଭୋଗ କରୁଛନ୍ତି। ସେମାନେ ତୃତୀୟ ମହଲାର ବ୍ଲୁ ଆଏଡ୍ ଅଫିସର୍ ବୋଲି ସମସ୍ତଙ୍କ ଏକ ଧାରଣା ରହିଛି। ଅବଶ୍ୟ ଏହି ଧାରଣାଟି ଶତ ପ୍ରତିଶତ ସତ ବୋଲି କହିହେବନି।
କାରଣ କ୍ରିଷନ୍ କୁମାର ଏତେ କ୍ଷମତାରେ ଥାଇ ବି ହଠାତ୍ କେନ୍ଦ୍ରୀୟ ଡେପୁଟେସନ୍ରେ ପଳାଇଲେ। ପ୍ରେମ୍ ଚୌଧରୀ ତ ସାଧାରଣ ପ୍ରଶାସନ ବିଭାଗର ଦଣ୍ଡନୀୟ ପଦବି ‘ଓଏସ୍ଡି’ ଭାବେ ବେଶ୍ କିଛି ଦିନ ରହିଲେ। ତେବେ ଯେଉଁ ତିନି ଜଣ ଏଠି କମିସନର୍ ହୋଇଛନ୍ତି, ସେମାନଙ୍କ ଭିତରେ ସମ୍ପର୍କକୁ ନେଇ ସହରରେ ଭିନ୍ନ ଏକ ଆଲୋଚନା ହେଉଛି। ଏହି ତିନି ଜଣଙ୍କର ପରସ୍ପର ଭିତରେ ସମ୍ପର୍କ କୁଆଡ଼େ ଭଲ ନୁହେଁ। କ୍ରିଷନ୍ କୁମାରଙ୍କ ପରେ ପ୍ରେମ ଚୌଧରୀ ଦାୟିତ୍ବ ନେଇଥିଲେ। ପ୍ରଥମେ ପ୍ରଥମେ ଉଭୟ ମିଳିମିଶି କାମ କରୁଥିବା ଦେଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସମ୍ପର୍କ ଅହି-ନକୁଳ ହୋଇଯାଇଥିଲା। କ୍ରିଷନ୍ କୁମାରଙ୍କୁ କୌଣସି ପ୍ରସଙ୍ଗରେ ପଚାରିବା ତ ଦୂରର କଥା, ବରଂ ତାଙ୍କର ବହୁ ନିଷ୍ପତ୍ତିକୁ ଚୌଧରୀ କାର୍ଯ୍ୟକାରୀ କରାଉ ନଥିବା ଚର୍ଚ୍ଚା ହୋଇଥିଲା। ପ୍ରେମ୍ ଚୌଧରୀଙ୍କୁ ଅତର୍କିତ ଭାବେ ବିଏମ୍ସିରୁ ହଟାଇବା ପଛରେ ଏହା ଏକ କାରଣ ବୋଲି ଚର୍ଚ୍ଚା ହୁଏ। ଏବେ ବିଜୟ ଅମୃତ କୁଲାଙ୍ଗେ ବିଏମ୍ସି ମଙ୍ଗ ଧରିଛନ୍ତି। ଏହିଠାରେ ପ୍ରେମ୍ ଚୌଧରୀ କମିସନର୍ ଭାବେ କାର୍ଯ୍ୟ କରିଥିଲେ ବି କୌଣସି କାମରେ ବରିଷ୍ଠ ହିସାବରେ ତାଙ୍କ ପରାମର୍ଶ ଲୋଡ଼ନ୍ତି ନାହିଁ। ଗଞ୍ଜାମରେ ଆଗପଛ ହୋଇ କାମ କରୁଥିବା ଅଧିକାରୀମାନେ ବିଏମ୍ସିରେ କାହିଁକି ଏମିତି ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖନ୍ତି, ତାହା ରହସ୍ୟ ହୋଇ ରହିଛି।
-ଅମିତାଭ