ପୁରୁଣା ଭୁବନେଶ୍ବର(ଲିଙ୍ଗରାଜ ସାହୁ): ବିଡମ୍ବନା ଯେ ‘ଭୁବନେଶ୍ବରର ଗାନ୍ଧୀ’ ବୋଲି କୁହାଯାଉଥିବା ମହାନ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ରଘୁନାଥ ମହାପାତ୍ରଙ୍କୁ ଆଜି ଭୁବନେଶ୍ବରବାସୀ ଭୁଲିଯାଇଛନ୍ତି। ତାଙ୍କ ନାଁ ପିଲାଙ୍କର କୌଣସି ପାଠ୍ୟପୁସ୍ତକରେ ତ ସ୍ଥାନ ପାଇନି, ରାଜଧାନୀର କୌଣସି ସ୍ଥାନରେ ତାଙ୍କର ପ୍ରତିମୂତ୍ତି ବି ନାର୍ହି। ତାଙ୍କ ସ୍ମରଣରେ କେବେ କେଉଁଠି ସ୍ମତିସଭା ହେବା ବି ଶୁଣାଯାଏ ନାହିଁ। ତେବେ ହଁ, କେବଳ ମାତ୍ର ପୁରୁଣା ଭୁବନେଶ୍ବରରେ ଥିବା ଟାଉନ ଉପ୍ରା ସ୍କୁଲ ହିଁ ତାଙ୍କ ନାମରେ ନାମିତ- ପଣ୍ଡିତ ରଘୁନାଥ ଉପ୍ରା ବିଦ୍ୟାଳୟ। ଶହେ ଦେଢ଼ଶ’ ବର୍ଷ ତଳେ ନୁହେଁ, ୧୯୬୫ରେ ତାଙ୍କର ଦେହାନ୍ତ ଘଟିଥିଲା, ଯେବେ କ୍ୟାମେରା ବା ଫଟୋ ନୂଆକଥା ହୋଇ ରହିନଥିଲା। କିନ୍ତୁ ପଣ୍ଡିତ ରଘୁନାଥଙ୍କର କୌଣସି ଫଟୋ ନାହିଁ। ଅଛି କେବଳମାତ୍ର ଏକ ହାତଅଙ୍କା ଚିତ୍ର। ଖୁବ୍ ସାଧାରଣ ଜୀବନ ବଞ୍ଚୁଥିବା ରଘୁନାଥଙ୍କ ଦେହରେ ଖଣ୍ଡିଏ ଖଦିଲୁଗା, ଚାଦର ଆଉ ଗାମୁଛା ଥିଲା। ସେତିକି ଥିଲା ତାଙ୍କର ସଂପତ୍ତି। କୌଣସି ବଡ଼ ଆସନରେ ସେ ବସିନଥିଲେ ସେ କେବେ, ନା ସାଂସଦ ଥିଲେ ନା ବିଧାୟକ। କିନ୍ତୁ ୧୯୬୫ ସେପ୍ଟେମ୍ବର ୧୪ ତାରିଖରେ ଯେତେବେଳେ ସେ ଅନ୍ତିମ ବିଦାୟ ନେଲେ, ଲୋକାରଣ୍ୟ ହୋଇଯାଇଥିଲା ଗରାବଡୁ ଶ୍ମଶାନ। ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ସେ ସମୟର ସବୁ ଆଗଧାଡ଼ିର ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ ଶେଷଦର୍ଶନ ପାଇଁ।
ସେ ସମୟରେ ରାଜ୍ୟର ରାଜଧାନୀ ହେବା ସମେତ ରାଜ୍ୟର ସବୁ ରାଜନୈତିକ କାର୍ଯ୍ୟକଳାପର କେନ୍ଦ୍ର ଥିଲା କଟକ। ଭୁବନେଶ୍ବର ଥିଲା କେବଳ ମନ୍ଦିରର ସହର। ଏଠାରେ ଯେଉଁ ଅଳ୍ପ କେତେଜଣ ସ୍ବାଧୀନତା ସଂଗ୍ରାମୀ ଥିଲେ, ସେମାନଙ୍କ ଭିତରେ ଅଗ୍ରଣୀ ଥିଲେ ଗାନ୍ଧୀବାଦୀ ରଘୁନାଥ। ପୁରୁଣା ଭୁବନେଶ୍ବର ହରଚଣ୍ଡିସାହି ନିବାସୀ ରତ୍ନାକର ମହାପାତ୍ର ଓ ବିଳାସିନୀ ଦେବୀଙ୍କଠାରୁ ତାଙ୍କର ଜନ୍ମ। ଲିଙ୍ଗରାଜଙ୍କ ସେବାୟତ ପରିବାରରେ ଜନ୍ମିତ ରଘୁନାଥ ମହାପାତ୍ର ୧୯୦୯ ମସିହାରେ ପୁରୀ ହାଇସ୍କୁଲରୁ ମାଟ୍ରିକ ପାସ୍ କରିସାରିବାପରେ କଟକରେ ଏଫ୍ଏ ପାସ୍ କରିଥିଲେ। ତା’ପରେ କିଛିକାଳ ଶିକ୍ଷକତା କରିଥିଲେ। ହେଲେ ସ୍ବାଧୀନତା ଆନ୍ଦୋଳନ ପାଇଁ ଶିକ୍ଷକତା ଛାଡିଦେଲେ। ସେହି ସମୟରେ ସେ ପଣ୍ଡିତ ଗୋପବନ୍ଧୁଙ୍କ ସହଯୋଗୀ ହେବାର ସୌଭାଗ୍ୟ ପାଇଥିଲେ। ବୋଲଗଡ଼ରେ ଜାତୀୟ କଂଗ୍ରେସ ଓ ଉତ୍କଳ ସମ୍ମିଳନୀ ସଭାରେ ପୁରୀଜିଲ୍ଲାରୁ ଉତ୍କଳମଣିଙ୍କ ସହ ରଘୁନାଥ ଯୋଗଦେଇଥିଲେ। ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ହରିଜନ ବସ୍ତିରେ ସଫେଇ ଅଭିଯାନ ଚଳାଇବା ସହ ହରିଜନର ପରିବାରରୁ ଖାଦ୍ୟ ଗ୍ରହଣ କରିଥିଲେ। ସେଥିପାଇଁ ତତ୍କାଳୀନ ସାମାଜିକ କଟକଣାର ଶିକାର ନିଜେ ହୋଇଥିଲେ। କିଛିଦିନ ଜାତିରୁ ବାସନ୍ଦ ବି ହୋଇଥିଲେ। କିନ୍ତୁ ହାର୍ ମାନିନଥିଲେ।
ଗାନ୍ଧିଜୀଙ୍କ ଡାକରାରେ ଲିଙ୍ଗରାଜ ମନ୍ଦିର ପାଖ ରଥଗଡ଼ା ଠାରେ ସେତେବେଳେ ବିଦେଶୀ ବସ୍ତ୍ର ବର୍ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା। ରଘୁନାଥଙ୍କ ଡାକରାରେ ଆଖପାଖ ୧୦ଖଣ୍ଡ ମୌଜାରୁ ଶହଶହ ଲୋକ ସେଥିରେ ଯୋଗଦେଇଥିଲେ। ସେଠାରେ ବିଦେଶୀ ବସ୍ତ୍ର ଦାହ କରା ଯାଇଥିଲା। ସେହି ସଭାରୁ ହିଁ ପୁଲିସ ତାଙ୍କୁ ଗିରଫ କରିଥିଲା। ଜେଲ୍ରେ ସେ ସୂତା କାଟି ଲୁଗାବୁଣିବା ଶିଖିଲେ ଏବଂ ବାକି ଜୀବନତମାମ ନିଜେ ସୂତାକାଟି ପିନ୍ଧୁଥିଲେ। ତାଙ୍କ ଉଦ୍ୟମରେ ସେତେବେଳେ ସ୍ଥାନୀୟ ସ୍କୁଲଗୁଡ଼ିକରେ ବି ସୂତାକଟା ଆରମ୍ଭ ହୋଇଥିଲା। ପୁରୁଣା ଭୁବନେଶ୍ବର ଟାଉନ୍ କ୍ଲବ ପରିସରରେ ମଧ୍ୟ ଅରଟରେ ସୂତାକାଟିବା ତାଲିମ ଦିଆଗଲା। ରଘୁନାଥଙ୍କର ବାଲ୍ୟବିବାହ ହୋଇଥିଲା।
ହେଲେ ପତ୍ନୀ ଓ ଏକମାତ୍ର ଝିଅ ଅକାଳରେ ଆରପାରିକୁ ଚାଲିଯାଇଥିଲେ। ରଘୁନାଥ ସ୍ୱାଧୀନତା ସଂଗ୍ରାମ ଓ ସମାଜ ସେବାରେ ବୁଡ଼ି ରହିଲେ। ସ୍ବାଧୀନତା ଆନ୍ଦୋଳନ ସମୟରେ ଥରେ ଜବାହର ଲାଲ ନେହରୁ ଭୁବନେଶ୍ବର ଆସିଥିଲେ। ତାଙ୍କୁ ସ୍ବାଗତ କରିବାଲାଗି ରଘୁନାଥଙ୍କର ଉଦ୍ୟମରେ ପୁରୁଣା ଭୁବନେଶ୍ୱର, ବାଲିଅନ୍ତା, ବାଲିପାଟଣା, ବାଳକାଟି ଓ ପିପିଲିରୁ ହଜାର ହଜାର ଲୋକ ପହଞ୍ଚିଥିଲେ ଭୁବନେଶ୍ବର ରେଳ ଷ୍ଟେସନରେ। ସେ ବିଶାଳ ଜନସମୁଦ୍ର ଦେଖି ସ୍ବୟଂ ନେହରୁ ଆଚମ୍ବିତ ହୋଇ ଯାଇଥିଲେ। ଗାଡି ମୋଟର ନଥିଲା। ଭିଙ୍ଗାରପୁରରୁ ଚୌଧୁରୀ ପରିବାରର ଘୋଡ଼ାରେ ବସି ଷ୍ଟେସନରୁ ବଢ଼େଇବାଙ୍କ ଛକସ୍ଥିତ ବୀଣାପାଣି ପାଠାଗାରକୁ ଆସିଥିଲେ ନେହରୁ। ତତ୍କାଳୀନ ପୋଷ୍ଟ ଅଫିସ୍ ସାମନାରେ ହୋଇଥିଲା ବିରାଟ ସଭା। ସେସବୁର ନେତୃତ୍ବ ନେଇଥିଲେ ରଘୁନାଥ। ଗାନ୍ଧିଜୀଙ୍କ ଡାକରାରେ ରଘୁନାଥ ନିଶାନିବାରଣ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଥିଲେ। ବଢ଼େଇବାଙ୍କରେ ସେତେବେଳେ ଥିବା ସରକାରୀ ନିଲାମ ଅଫିସ/ ଗଞ୍ଜେଇ ଦୋକାନ ଆଗରେ ପିକେଟିଂ କରି ଗିରଫ ହୋଇଥିଲେ। ୧୯୪୨ ମସିହାରେ ଭୁବନେଶ୍ବରରେ ବ୍ରିଟିସ୍ ସରକାର ବିରୋଧରେ ଭାରତଛାଡ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ସେ। ସେଥିପାଇଁ ଗିରଫ ହୋଇଥିଲେ। ଖାଲି ସେତିକି ନୁହେଁ, ପୁଲିସ ଗୁଳି ବି ବାଜିଥିଲା ତାଙ୍କ ଦେହରେ। ଜୀବନର ଶେଷ ପର୍ଯ୍ୟନ୍ତ କାନ୍ଧତଳେ ଗୁଳିର ଦାଗ ଓ ଯନ୍ତ୍ରଣା ସେ ବୋହିଥିଲେ।
ଦେଶ ସ୍ବାଧୀନ ହେଲା। ସେଦିନ ରଘୁନାଥ ଖୁସିରେ ପୁରୁଣା ଭୁବନେଶ୍ବରର ଘର ଘର ବୁଲିଥିଲେ। ତାଙ୍କ ପରାମର୍ଶରେ ପୁରୁଣା ଭୁବନେଶ୍ବରବାସୀ ନିଜଘରକୁ ଝୋଟି ପକାଇ ସଜେଇ ଥିଲେ। ଘର ଆଗରେ କଳସ ଓ କଦଳୀ ଗଛ ସ୍ଥାପନ କରିଥିଲେ। ସ୍ୱାଧୀନତା ପରେ ରଘୁନାଥ ଚାହିଥିଲେ ଅତି ସହଜରେ ନିର୍ବାଚନ ଲଢ଼ି ଅନ୍ତତଃ ବିଧାୟକ ହୋଇ ପାରିଥାନ୍ତେ। ମାତ୍ର ସେ ଥିଲେ ପ୍ରକୃତ ଗାନ୍ଧିବାଦୀ। ତେଣୁ ଗାନ୍ଧୀଙ୍କ ଆଦର୍ଶରେ ନିର୍ବାଚନୀ ରାଜନୀତିରୁ ଦୂରେଇ ରହିଲେ। ତାଙ୍କ ଶେଷ ଜୀବନ ଅତି ଦାରିଦ୍ର୍ୟ ଭିତରେ ବିତିଥିଲା। ସ୍ୱାଧୀନତା ସଂଗ୍ରାମୀ ଭତ୍ତା ନେବାକୁ ସେ ମନା କରିଥିଲେ।