ଭୁବନେଶ୍ବର ୨୪୩ରୁ ୨୮୮କୁ ଖସିଲା, କଟିଗଲା ୩୧୨୧ମାର୍କ

ଭୁବନେଶ୍ବର: ରାଜଧାନୀର ୮୦କିମି ଅଞ୍ଚଳରେ ଯାନ୍ତ୍ରିକ ସଫେଇ କଲେ, ମନେ ମନେ ଭୁବନେଶ୍ବରକୁ ଓଡିଏଫ୍‌ ସହର ଭାବେ ଘୋଷଣା କରିଦେଲେ, ୨ହଜାରରୁ ଅଧିକ ଶୌଚାଳୟ ନିର୍ମାଣ କଲେ, ସ୍ବୟଂଚାଳିତ, ଗୋଷ୍ଠୀ ଶୌଚାଳୟ, କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ, ପ୍ଲାଷ୍ଟିକ ଆବର୍ଜନା ପୃଥକ ପାଇଁ ୟୁଏନ୍‌ଡିପି ସହ ଏମ୍‌ଓୟୁ, ଭୁବନେଶ୍ବରକୁ ପ୍ଲାଷ୍ଟିକ ମୁକ୍ତ ସହର,ହକି ବିଶ୍ବକପ୍‌ ଥିବାରୁ ରାଜଧାନୀକୁ ର‌ଙ୍ଗବେରଙ୍ଗର ଚିତ୍ର, ଦୁଇ ଓଳି ସଫେଇ, କଳିଙ୍ଗ ଷ୍ଟାଡିୟମରେ ଯେଉଁଠି ଆବଜର୍ନା ବାହାରିଲା ସେଠାରେ ଏହାକୁ ପୃଥକୀକରଣ ଓ ବିଶୋଧନ କରିଦେଲେ। ଏମିତି ବିଭିନ୍ନ ପ୍ରକାରର ଯୋଜନା କରିପକାଇଲେ। ହେଲେ ଯାହା କରିବା କଥା କଲେନି। ଯେଉଁଥିପାଇଁ ଭୁବନେଶ୍ବର ଆଜି ସ୍ବଚ୍ଛ ସହର ହୋଇପାରିଲାନି। ଦେଶର ତଥା ରାଜ୍ୟ ଅନ୍ୟସହରଗୁଡ଼ିକ ପୂର୍ବ ବର୍ଷଗୁଡ଼ିକର ତ୍ରୁଟିକୁ ସୁଧାରି ଆଗକୁ ବଢ଼ିଲେ। ସ୍ବଚ୍ଛ ସର୍ବେକ୍ଷଣରେ କିପରି ଭଲ ରୢାଙ୍କ ପାଇବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେଲେ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ନାହିରେ ତେଲ ପକାଇ ଶୋଇଗଲେ। ଶୁଖିଲା ସୋ’ବାଜି ଏବଂ ପ୍ରଚାରର ବ୍ୟସ୍ତ ରହିଲେ। ଯାହାର ଫଳ ଆଜି ଭୋଗିଲେ। ବ୍ରହ୍ମପୁର ଭଳି ସହର ୨୦୧୮ରେ ୩୦୫ତମ ସ୍ଥାନରେ ଥିବାବେଳେ ୨୦୧୯ରେ ୨୧୬ତମ ସ୍ଥାନକୁ ଉଠିଲା। ହେଲେ ଭୁବନେଶ୍ବର ୨୪୩ରୁ ୨୮୮କୁ ଖସିଗଲା।

ସ୍ବଚ୍ଛ ସର୍ବେକ୍ଷଣରେ ମୋଟ୍ ୫ହଜାର ମାର୍କ ଥିବାବେଳେ ଲୋକଙ୍କ ମତାମତ, ପ୍ରତ୍ୟେକ୍ଷ ପରିଦର୍ଶନ, ସାର୍ଟିଫିକେସନ୍ ଓ ସେବା ସ୍ତରରେ ପ୍ରଗତି କ୍ଷେତ୍ରରେ ୧୨୫୦‌ ମାର୍କ ଲେଖାଏଁ ଥିଲା। ହେଲେ ଲୋକଙ୍କ ମତାମତରେ ୧୨୫୦ରୁ ୭୦୬.୪ମାର୍କ, କେନ୍ଦ୍ରୀୟ ଟିମ୍‌ର ପ୍ରତ୍ୟେକ୍ଷ ପରିଦର୍ଶନରେ ୧୨୫୦ରୁ ୯୨୮ମାର୍କ, ସେବା ସ୍ତରରେ ପ୍ରଗତି କ୍ଷେତ୍ରରେ ୧୨୫୦ରୁ ୨୪୪.୦୪ ମାର୍କ, ସାର୍ଟିଫିକେସନ୍‌ରେ ୧୨୫୦ରୁ ୦ ମାର୍କ ମିଳିଛି। ଏହିପରି ବିଏମ୍‌ସି ମୋଟ୍‌ ୧୮୭୮.୪୩ମାର୍କ ପାଇଲା। ୩୧୨୧.୫୭ ମାର୍କ କଟିଗଲା। ଏତେ ମାର୍କ କଟିବା ନେଇ କୁହାଯାଉଛି ଯେ, ବିଏମ୍‌ସି ପରିମଳ ବ୍ୟବସ୍ଥା ସୁଦୃଢ କରିବା ପାଇଁ ଯାହା ସବୁ ପଦକ୍ଷେପ ନେବା କଥା ନେଲାନି। ଆବଶ୍ୟକୀୟ ଡଷ୍ଟବିନ୍, ନିୟମିତ ଆବର୍ଜନା ଉଠାଇବା ପାଇଁ ପଦକ୍ଷେପ ନନେବାରୁ ସେବ ସ୍ତରରେ ପ୍ରଗତି କ୍ଷେତ୍ରରେ ୧୦୦୫.୯୬ମାର୍କ କଟିଲା। ଭୁବନେଶ୍ବରର ପରିମଳ ବ୍ୟବସ୍ଥା ନେଇ ଲୋକଙ୍କ ଠାରୁ ଯେଉଁ ମତାମତ ନିଆଗଲା ସେଥିରେ ବି ଭଲ ମାର୍କ ମିଳିଲାନି। ସମସ୍ତ ଅଞ୍ଚଳରେ ଗୁଣାତ୍ମକ ସେବା ଯୋଗାଇବାରେ ବିଫଳ ହୋଇଥିବାରୁ, ରାସ୍ତାରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଥିବାରୁ, ଡ୍ରେନ୍ ପାଣି ଭାସୁଥିବାରୁ ଲୋକ ବିଏମ୍‌ସି ସପକ୍ଷରେ କହିଲେନି। ଏଥିରେ ୫୪୩.୬ ମାର୍କ କଟିଗଲା। କେନ୍ଦ୍ରୀୟ ଟିମ୍ ବିଭିନ୍ନ ଆବାସିକ ଅଞ୍ଚଳ, ମାର୍କେଟ୍ ଆଦି ବୁଲି ଦେଖିବା ସମୟରେ ଯେଉଁ ଅନୁଭୂତି ପାଇଲେ ସେଥିରେ ୧୨୫୦ରୁ ୯୨୮ମାର୍କ ଦେଲେ। ଏଥିରେ ବିଏମ୍‌ସି ୩୨୨ ମାର୍କ କଟିଲା। ସବୁଠୁ ଅଧିକ ମାର୍କ କଟିଲା ସାର୍ଟିଫିକେସନ୍‌ରେ। ଏଥିରେ ୧୨୫୦ରୁ ଶୂନ ପାଇଲା। ପ୍ରସ୍ତାବିତ କଠିନ ବର୍ଜ୍ୟବସ୍ତୁ ବିଶୋଧନାଗାର ହୋଇନି କି ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇନି କି ସ୍ବେରେଜ୍‌ ବ୍ୟବସ୍ଥା ସୁଧୁରିନି। ଲୋକ ଯେପରି ସହଜରେ ଡଷ୍ଟବିନ୍‌ରେ ପକାଇପାରିବେ ସେହିଭଳି ଆବଶ୍ୟକୀୟ ଡଷ୍ଟବିନ୍ ଉପଲବ୍ଧ ହେଉନି। ଡଷ୍ଟବିନ୍‌ଗୁଡ଼ିକ ଜିପିଏସ୍‌ ଟ୍ରାକିଂ ହୋଇନଥିବାରୁ ଏଥିରେ ଅଳିଆ ଭର୍ତ୍ତି ହେଲେ ବି ବିଏମ୍‌ସି ପାଖରେ ଖବର ରହୁନି। ଫଳରେ ଦିନ ଦିନ ଧରି ଅଳିଆ ଜମା ହୋଇ ରହୁଛି, ଓଡିଏଫ୍ ସହର ବି ହୋଇନି। ଭୁବନେଶ୍ବର ନିଜକୁ ସ୍ବଚ୍ଛ ସହର କହିବା ପାଇଁ କୌଣସି ସାର୍ଟିଫିକେଟ୍‌ ଦେଇପାରିଲାନି। ଯାହାର ଫଳ ହେଲା ଗୋଟିଏ ବିଭାଗରେ ପୂରା ୧୨୫୦ମାର୍କ କଟିଗଲା।

ସମ୍ବନ୍ଧିତ ଖବର