ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ

ପରିବେଶ ପ୍ରଦୂଷଣ ନେଇ ଗ୍ରୀନ୍‌ପିସ ଇଣ୍ଡିଆର ରିପୋର୍ଟ

ଚନ୍ଦ୍ରଶେଖରପୁର: ପ୍ରଦୂଷଣର ମାତ୍ରା ପ୍ରତି ଘନମିଟରରେ ୬୦ ମାଇକ୍ରୋଗ୍ରାମ୍‌ ରହିବା କଥା। ମାତ୍ର ରାଜଧାନୀ ଭୁବନେଶ୍ୱରରେ ୨୦୧୬ ମସିହାରେ ବାୟୁ ପ୍ରଦୂଷଣର ହାରାହାରି ଥିଲା ୧୦୩ ମାଇକ୍ରୋଗ୍ରାମ୍‌। ଯାହାକି ଜାତୀୟ ପରିବେଶ ବାୟୁ ଗୁଣବତ୍ତା ମାନକ (ଏନଏଏଏକ୍ୟୁଏସ୍‌) ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୬୦ମାଇକ୍ରୋଗ୍ରାମ୍‌ ଠାରୁ ଯଥେଷ୍ଟ ଅଧିକ। ଆଜିଠୁଁ ଏହା ଉପରେ ଅଙ୍କୁଶ ନଲଗାଗଲେ ଭବିଷ୍ୟତରେ ଏହାର ପରିଣାମ ଭୟଙ୍କର ହେବ ବୋଲି ପରିବେଶ ପ୍ରଦୂଷଣ ନେଇ ଗବେଷଣା କରୁଥିବା ଜାତୀୟ ସ୍ତରର ପ୍ରତିଷ୍ଠିତ ସଂସ୍ଥା ଗ୍ରୀନପିସ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ୨୮୦ଟି ସହରକୁ ନେଇ କରାଯାଇଥିବା ଏହି ସର୍ଭେକ୍ଷଣ ପରେ ୨୦୧୬ମସିହାରେ ରାଜଧାନୀର ବାୟୁ ପ୍ରଦୂଷଣର ମାତ୍ରା ପୂର୍ବ ବର୍ଷ ତୁଳନାରେ ଅଧିକ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୧୫ ମସିହାରେ ଭୁବନେଶ୍ୱରର ବାୟୁ ପ୍ରଦୂଷଣର ମାତ୍ରା ବାର୍ଷିକ ହାରାହାରି ୮୫ମାଇକ୍ରୋଗ୍ରାମ୍‌ ଥିବା ବେଳେ ୨୦୧୬ରେ ଏହା ୧୦୩କୁ ବୃଦ୍ଧି ପାଇଛି। ଏନେଇ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ଏସ୍‌ପିସିବି)ର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ କହିଛନ୍ତି ଯେ ଭୁବନେଶ୍ୱରରେ ଗାଡ଼ିମୋଟର ଚଳାଚଳ, ନିର୍ମାଣ କାର୍ଯ୍ୟରେ ବ୍ୟାପକ ବୃଦ୍ଧି ହେବା, ଡମ୍ପିଂୟାର୍ଡ଼କୁ ଖୋଲାରେ ପୋଡ଼ାଯିବା ବାୟୁ ପ୍ରଦୂଷଣ ବୃଦ୍ଧିର ପ୍ରଧାନ କାରଣ। ସେହିଭଳି କୋଣାର୍କ ସହର ସବୁଠାରୁ ଅଧିକ ପ୍ରଦୂଷିତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଠାରେ ବାୟୁ ପ୍ରଦୂଷଣର ମାତ୍ରା ପ୍ରତି ଘନମିଟରରେ ୧୯୧ ମାଇକ୍ରୋଗ୍ରାମ୍‌ ରହିଛି। ଜାତୀୟ ମାନକଠାରୁ ଏହା ଦୁଇଗୁଣା ଅଧିକ। ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ, ପାରାଦୀପ, ତାଳଚେର, ରାଜଗାଙ୍ଗପୁର ଆଦି ସହରଗୁଡ଼ିକରେ ବାୟୁ ପ୍ରଦୂଷଣର ମାତ୍ରା ଚିନ୍ତାଜନକ ଥିବା କୁହାଯାଇଛି। ଏହି ସମସ୍ତ ସହରଗୁଡ଼ିକରେ ବାୟୁ ପ୍ରଦୂଷଣର ମାତ୍ରା ପ୍ରତି ଘନମିଟରରେ ୧୦୦ମାଇକ୍ରୋଗ୍ରାମ୍‌ରୁ ଊର୍ଧ୍ୱ ରହିଛି। ଏପରିକି ବାୟୁ ପ୍ରଦୂଷଣର ବିଭୀଷିକା ରିପୋର୍ଟରେ ଗ୍ରୀନପିସ୍‌ ଇଣ୍ଡିଆ ପକ୍ଷରୁ ଚେତାଇ ଦିଆଯାଇଛି ଯେ ରାଜଧାନୀ ଭୁବନେଶ୍ୱର ସମେତ ଏହି ସମସ୍ତ ସହରରେ ପ୍ରତିକାର ପାଇଁ ଠୋସ୍‌ ପଦକ୍ଷେପ ନନେଲେ ପରିଣତି ଭୟାବହ ହେବ।

ରାଜ୍ୟର ୧୨-୧୩ଟି ସହରକୁ ନେଇ ବାୟୁରେ ରହିଥିବା ପିଏମ୍‌୧୦ ର ମାତ୍ରାକୁ ସର୍ଭେ ସମୟରେ ଧ୍ୟାନକୁ ନିଆଯାଇଥିଲା। ଏହିି ସବୁ ସ୍ଥାନରୁ ନିଆଯାଇଥିବା ପିଏମ୍‌୧୦ର ମାତ୍ରା ଜାତୀୟ ସ୍ତରର ହାରାହାରି ମାତ୍ରାଠାରୁ ଯଥେଷ୍ଟ ଅଧିକ ବୋଲି ରିପୋର୍ଟ ଦର୍ଶାଉଛି। ମନୁଷ୍ୟ ସମାଜ ପାଇର୍ ସୁସ୍ଥ ବାୟୁରେ ପ୍ରଦୂଷଣ ମାତ୍ରା ପ୍ରତି ଘନମିଟରେ ୬୦ମାଇକ୍ରୋଗ୍ରାମ୍‌ ରହିବା ନେଇ ଏନ୍‌ଏଏକ୍ୟୁଏସ୍‌ ଧାର୍ଯ୍ୟ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏହି ମାତ୍ରାକୁ ୨୦ମାଇକ୍ରୋଗ୍ରାମ୍‌ ନିର୍ଦ୍ଧାରିତ କରାଯାଇଛି। ଜାନୁଆରୀରୁ ଏପ୍ରିଲ୍‌ ମାସ ମଧ୍ୟରେ ବାୟୁ ପ୍ରଦୂଷଣର ମାତ୍ରାରେ ବୃଦ୍ଧି ଘଟୁଥିବା ଏହି ରିପୋର୍ଟରେ କୁହାଯାଇଛି। ଜାତୀୟ ସଂସ୍ଥା ଗ୍ରୀନପିସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ରାଜଧାନୀ ସମେତ ସବୁ ସହର ପାଇଁ ଚିନ୍ତାର ବିଷୟ ବୋଲି ପରିବେଶବିତ୍‌ମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର