ଭୁବନେଶ୍ବର ବିମାନବନ୍ଦରରେ ଓଡ଼ିଶା ରସଗୋଲା

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ‘ବିକଳାନନ୍ଦ କରଙ୍କ ରସଗୋଲା’ର ସ୍ବତନ୍ତ୍ର କାଉଣ୍ଟର ଖୋଲିବା ସହ ରସଗୋଲାର ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି। ପବିତ୍ର କାର୍ତିକ ପୂର୍ଣ୍ଣମୀରେ ଅତିରିକ୍ତ ମୁଖ୍ୟ ଶାସନସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବିମାନବନ୍ଦରର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା, ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ହରେକୃଷ୍ଣ ନନ୍ଦ, ଗବେଷକ ଅସିତ ମହାନ୍ତି, ବିଜ୍ଞାନୀ ପ୍ରମୋଦ କୁମାର ପଣ୍ଡା ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ସଭାପତି ବିମ୍ବାଧର ବେହେରା ଉପସ୍ଥିତ ଥିଲେ। ଏକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଥମଥର ପାଇଁ ସାଲେପୁରର ଏହି ପ୍ରସିଦ୍ଧ ରସଗୋଲା କାଉଣ୍ଟର ଖୋଲିଥିବାରୁ ‘ଓଡ଼ିଶା ରସଗୋଲା’କୁ ଅବଶିଷ୍ଟ ଭାରତରେ ତଥା ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବ ବୋଲି ଶ୍ରୀ ଗୁପ୍ତା ଆଶାପ୍ରକାଶ କରିଥିଲେ।

ଏହି ରସଗୋଲା କାଉଣ୍ଟର ଦିନରାତି ୨୪ ଘଣ୍ଟା ଖୋଲା ରହିବ ବୋଲି ପ୍ରଶାନ୍ତ କର ସୂଚନା ଦେଇଛନ୍ତି। ବର୍ତମାନ ପାଇଁ ଏଠାରେ ୩ ଦିନିଆ ରସଗୋଲା ସହିତ ଖିରମୋହନ ରସଗୋଲା, ଚକୋଲେଟ୍‌ ରସଗୋଲା, ଅରେଞ୍ଜ୍ ରସଗୋଲା, କେଶର ରସଗୋଲା ଓ ଖଜୁରିଗୁଡ଼ ‌ରସଗୋଲା ସହିତ ଖଜୁରି ବର୍‌ଫି, ଖଜୁରି ଗୁଡ଼ ସନ୍ଦେଶ, ଛେନାପୋଡ଼, କାଜୁ ବର୍‌ଫି, କାଲାଜାମ୍‌, ଚମଚମ, ଗୁଲାବଜାମୁ ଓ ରାଜଭୋଗ ଏବଂ ପ୍ରାୟ ୧୫ ପ୍ରକାରର ‘ନମ୍‌କିନ୍‌’ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେଉଛି। ଏଥିସହ ଆହୁରି ଅନେକ ମିଠା ଯୋଡ଼ାଯିବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର