ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠ ଜରିପାଟଣା ନିକଟସ୍ଥ ପଟିଆବନ୍ଧ କୁଆଖାଇ ନଦୀ ପଠାରେ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ବର ଦ୍ବିତୀୟ ବାର୍ଷିକ ବାଲିଯାତ୍ରା। ଏନେଇ ଆଜି ଏୗତିହାସିକ ପଟିଆ ବନ୍ଧଠାରେ ଭୁବନେଶ୍ବର ବାଲିଯାତ୍ରା କମିଟିର କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ଉତ୍ତର ଭୁବନେଶ୍ବର ବିଧାୟକ ତଥା ବାଲିଯାତ୍ରା କମିଟିର ସଭାପତି ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବା ସହ ବାଲିଯାତ୍ରାର ସଫଳତା କାମନା କରିଥିଲେ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ। କାର୍ଯ୍ୟାଳୟ ଉଦ୍‌ଘାଟନୀ ଉତ୍ସବରେ ପ୍ରାୟ ୫୦ଟି ଗ୍ରାମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, କମିଟିର କାର୍ଯ୍ୟକରୀ ସଭାପତି, ସମ୍ପାଦକ, ସଦସ୍ୟମାନେ ଯୋଗଦେଇ ବାଲିଯାତ୍ରାର ସଫଳତା କାମନା କରିଥିଲେ।

Advertisment

ଗତବର୍ଷ ଗୋଟିଏ ଦିନ ପାଇଁ ଅନୁଷ୍ଠିତ ହୋଇଥିବା ବାଲିଯାତ୍ରା ଚଳିତବର୍ଷ ୮ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ। ଚଳିତବର୍ଷ ଭୁବନେଶ୍ବର ବାଲିଯାତ୍ରାରେ ପ୍ରାୟ ୫୦୦ଟି ଷ୍ଟଲ୍ ପଡ଼ିବ। ଏହାବ୍ୟତୀତ ବଭିନ୍ନ ପ୍ରକାର ଦୋଳି ଓ ଦୁଇଟି ପୃଥକ୍‌ ପୃଥକ୍‌ ମଞ୍ଚ ତିଆରି ହେବ। ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ପାରମ୍ପାରିକ କଳା ଓ ନୃତ୍ୟ ପରିବେଷିତ ହେବ। କୁଆଖାଇ ନଦୀ ପଠାରେ ଗାଡ଼ି ପାର୍କିଂ ଓ ସୁରକ୍ଷା ପାଇଁ ଏହି ସ୍ଥାନ ଉପଯୁକ୍ତ ହୋଇଥିବାରୁ ମେଳାର ପକଳ୍ପ ପାଇଁ ମ୍ୟାପ୍ ପ୍ରସ୍ତୁତି ଚାଲିଛି। ଆଜି କାର୍ଯ୍ୟଳୟ ଉଦ୍‌ଘାଟିତ ହେବା ପରେ ଯାତ୍ରାରେ ଷ୍ଟଲ୍ ବୁକିଂ ନେଇ ଯୋଗାଯୋଗ ଆରମ୍ଭ ହୋଇଛି।