ଭୁବନେଶ୍ବର ବାଲିଯାତ୍ରା: ବଡ଼ ଦୋଳି ପାଇଁ ମିଳିଲା ଅନୁମତି, ବାଲିଯାତ୍ରାରେ ଜମୁଛି ଛାଡ଼ଖାଇ

ଭୁବନେଶ୍ବର: ସଞ୍ଜ ନଇଁଲେ ପାଦ ଛୁଟୁଛି ବାଲିଯାତ୍ରାକୁ। ଗୋଟେ ପାର୍ଶ୍ବରେ ରାମ ଦୋଳି ଓ ବ୍ରେକ୍‌ ଡ୍ୟାନ୍‌ସରେ ଝୁମିବାର ଅବକାଶ, ଅନ୍ୟ ପଟେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ହେବାର ଅବସର। ପୁଣି କେନ୍ଦୁଝରର ପୋଡ଼ା ମଟନ, ଚିଙ୍ଗୁଡ଼ି, କଙ୍କଡ଼ା ଓ ମାଛର ଗନ୍ଧ ଆମିଷାଷୀମାନଙ୍କୁ ଛାଡ଼ଖାଇ ମଜା ଚଖାଉଛି। ଐତିହାସିକ ପଟିଆବନ୍ଧ କଡ଼ ଜରିପାଟଣାସ୍ଥିତ କୁଆଖାଇ ନଦୀପଠା‌ରେ ଆୟୋଜିତ ବାଲିଯାତ୍ରାର ଆକର୍ଷଣ ଧୀରେଧୀରେ ବଢ଼ିବାରେ ଲାଗିଛି। ତୃତୀୟ ଦିନରେ ମଧ୍ୟ ଲୋକଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଛି। ସଞ୍ଜ ନଇଁଲେ ନଈର ଉଭୟ ପାର୍ଶ୍ବରେ ଥିବା ବଙ୍ଗୁଆରୀ, ନହରକଣ୍ଟା, ହରିଦାସପୁର, ମଞ୍ଚେଶ୍ବର, ଜରିପାଟଣା, ବରିମୁଣ୍ଡ, କଲ୍ୟାଣପୁର, ଗଣ୍ଡରପୁର ଓ ମରିଚିଆ ବାସିନ୍ଦାଙ୍କ ସମାଗମ ସାଙ୍ଗକୁ ସହର ମଧ୍ୟରୁ ଅନେକ ଲୋକେ କଟକ ଅପେକ୍ଷା ଭୁବନେଶ୍ବର ବାଲିଯାତ୍ରାର ସୀମିତ ଭିଡ଼ ଭିତରେ ବୁଲିବା ପାଇଁ ପସନ୍ଦ କରୁଛନ୍ତି।

ସୁରକ୍ଷା ଦୃଷ୍ଟିରୁ ପ୍ରଥମ ଦିନରୁ ବଡ଼ ଦୋଳି ପାଇଁ ଅନୁମତି ମିଳିନଥିଲେ ହେଁ ଏବେ ବଡ଼ ଦୋଳି ପାଇଁ ପ୍ରଶାସନରୁ ଅନୁମତି ମିଳିଛି ବୋଲି କମିଟିର କାର୍ଯ୍ୟକାରୀ ସଭାପତି ଜୀବନ କୁମାର ବଡ଼ୁ ସୂଚନା ଦେଇଛନ୍ତି। ଅନୁମତି ପରେ ବହୁ ସଂଖ୍ୟାରେ ଆଗନ୍ତୁକଙ୍କୁ ଭୁବନେଶ୍ବର ବାଲିଯାତ୍ରା ଆକର୍ଷିତ କରିଛି। ଆଜି ଭୁବନେଶ୍ବର ବାଲିଯାତ୍ରା କମିଟିର ସାଂସ୍କୃତିକ ମଞ୍ଚରେ କୋଲକାତାର ମେଲୋଡ଼ି ଗ୍ରୁପ୍‌ ପକ୍ଷରୁ ନାଚ ଗୀତର ଆସର ଜମିଥିବା ବେଳେ ଜୟଦେବ ଶିକ୍ଷା କେନ୍ଦ୍ରର ପିଲାମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ୧୦୦ଟି ଖାଦ୍ୟ ଷ୍ଟଲ୍‌ ଖୋଲିଥିବା ବେଳେ ବିଭିନ୍ନ ପାରମ୍ପରିକ ଖାଦ୍ୟ ସହ ଆମିଷ ଖାଦ୍ୟ ବଜାରରେ ଖୁବ୍‌ ଭିଡ଼ ଜମୁଛି। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନଙ୍କ ସମାଗମ ହୋଇଥିବାରୁ ଅପରାହ୍‌ଣରୁ କିଣାବିକା ଜମୁଛି।

କାହିଁକି ଭୁବନେଶ୍ବର ବାଲିଯାତ୍ରାର ପରିକଳ୍ପନା?
କଟକ ବାଲିଯାତ୍ରାର ଭିଡ଼କୁ ଏଡ଼ାଇବା ପାଇଁ ଜରିପାଟଣାସ୍ଥିତ ପଟିଆବନ୍ଧ ନିକଟ କୁଆଖାଇ ନଦୀପଠାରୁ ବିସ୍ତୀର୍ଣ୍ଣ ବାଲି ଭୂମିକୁ ଦୃଷ୍ଟିରେ ରଖି କିଛି ବ୍ୟକ୍ତି ୨୦୧୭ ମସିହାରେ ଏହି ବାଲିଯାତ୍ରାର ପରିକଳ୍ପନା କରିଥିଲେ। କମିଟିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି ଅଭୟ ବଡ଼ଜେନାଙ୍କ କହିବା ମୁତାବକ, ଏଥିପାଇଁ ୬ ଖଣ୍ଡ ଗାଁର ଲୋକଙ୍କ ନିଷ୍ପତ୍ତିକୁ ପ୍ରାଧାନ୍ୟ ଦିଆଯାଇଥିଲା। ବଙ୍ଗୁଆରି, ଧାଉଆ, ଶିଖରଚଣ୍ଡୀ, ମଞ୍ଚେଶ୍ବର, ଲକ୍ଷେଶ୍ବର ମନ୍ଦିରରେ ସ୍ଥାନୀୟ ଅଞ୍ଚଳର ମୁରବି ଶ୍ରେଣୀୟ ଲୋକଙ୍କୁ ନେଇ ବୈଠକ ହୋଇଥିଲା। ଏଥିପାଇଁ ପ୍ରଥମେ ସରକାର ମାତ୍ର ୨ ଦିନର ସମୟ ଦେଇଥିଲେ। ସେଇଠୁ ୩୦ଟି ଷ୍ଟଲ୍‌କୁ ନେଇ ବାଲିଯାତ୍ରା ଆରମ୍ଭ ହେଲା। ଅଳ୍ପ ସମୟ ବ୍ୟବଧାନରେ ଆୟୋଜିତ ଏହି ବାଲିଯାତ୍ରା ବୁଲିବାକୁ ଭିଡ଼ ବଢ଼ିବାକୁ ଲାଗିଲା। ପ୍ରଥମ ବର୍ଷର ଏ ଯାତ୍ରା ଏତେ ସଫଳତା ଦେଲା ଯେ, ଦ୍ବିତୀୟ ବର୍ଷ ଷ୍ଟଲ୍‌ ସଂଖ୍ୟା ୧୦ ଗୁଣ ବୃଦ୍ଧି ପାଇ ୩ ଶହରେ ପହଞ୍ଚିଥିଲା ବୋଲି ବ୍ରଜବନ୍ଧୁ ସ୍ବାଇଁ କହିଛନ୍ତି।

ନଜର ରଖୁଛି ଶାନ୍ତି ସୁରକ୍ଷା ବାହିନୀ
ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବାଲିଯାତ୍ରା କମିଟି ପକ୍ଷରୁ ସ୍ବେଚ୍ଛାସେବୀଙ୍କୁ ନେଇ ଗଠିତ ଶାନ୍ତି ସୁରକ୍ଷା ବାହିନୀ ସୁରକ୍ଷା ଶୃଙ୍ଖଳା ଉପରେ ନଜର ରଖିଛନ୍ତି। ଆବଶ୍ୟକୀୟ ପୁଲିସ୍‌ଙ୍କୁ ମୁତୟନ ସହ ୩୦ଟି ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇଛି। ଅଗ୍ନିଶମ ବାହିନୀ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସେବା ପାଇଁ ରେଡ୍‌କ୍ରସ ସେବା ଯୋଗାଇ ଦେଉଛନ୍ତି। ପଲିଥିନ୍‌ ମୁକ୍ତ କରିବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ ନିର୍ଦେଶ ଦିଆଯାଇଛି। ଯେପରି ‌ଏଠାକୁ ଆସୁଥିବା ଲୋକେ ଗୁଣମାନର ଖାଦ୍ୟ ପାଇବେ ତା’ ଉପରେ ମଧ୍ୟ କଡ଼ା ନଜର ରଖାଯାଉଛି ବୋଲି ସମ୍ପାଦକ ତପନ କୁମାର ବଳିଆରସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର