୧୧ ଓ ୧୨ ଦୁଇ ଦିନ ଓକିଲଙ୍କ କାର୍ଯ୍ୟ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ଭୁବନେଶ୍ବର ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି। ଭାରତୀୟ ବାର୍‌ କାଉନସିଲ୍‌ ଓ ରାଜ୍ୟ ବାର୍‌ କାଉନ୍‌ସିଲ୍‌ଗୁଡ଼ିକର ପ୍ରତିନିଧିଙ୍କ ଯୁଗ୍ମ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ବିଚାରବିମର୍ଶ ହେବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ଏହି ଡାକରା ଦିଆଯାଇଛି। ଏହି ଦୁଇଦିନ କୋର୍ଟରେ ଓକିଲଙ୍କ ଅନୁପସ୍ଥିତି ନେଇ କୌଣସି ପ୍ରତିକୂଳ ଆଦେଶ ନ ଦେବା ପାଇଁ କୋର୍ଟଗୁଡ଼ିକୁ ସଂଘ ପକ୍ଷରୁ ନିବେଦନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ସଂଘ ପରିସରରେ ବସିଥିବା ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ବର ଓକିଲ ସଂଘ ସମ୍ପାଦକ ଅଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି। ଗତ ୫ତାରିଖରେ ଭାରତୀୟ ବାର୍‌ କାଉନସିଲ୍‌ ଅଧ୍ୟକ୍ଷଙ୍କ ଚିଠିକୁ ଆଧାର କରି ଏଭଳି ନିଷ୍ପତ୍ତି ହୋଇଛି। ୧୧ ତାରିଖ ଦିନ ଏଡିଏମ୍‌ଙ୍କ କୋର୍ଟ ସମ୍ମୁଖରେ ସଂଘର ସମସ୍ତ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିବେ। ୧୨ ତାରିଖ ଦିନ ସଂଘ ପରିସରରୁ ଏକ ‌ଶୋଭାଯାତ୍ରାରେ ଯାଇ ସୋମାନେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବେ। ଦାବିଗୁଡ଼ିକ ହେଲା, ଭାରତବର୍ଷରେ ପ୍ରତ୍ୟେକ ଓକିଲ ସଂଘରେ ଅତ୍ୟାବଶ୍ୟକ ଗୃହ, ଅତ୍ୟାବଶ୍ୟକ ସରଞ୍ଜାମ, ଲାଇବ୍ରେରୀ, ଇଣ୍ଟରନେଟ୍‌ ଓ ଟଏଲେଟ୍‌ ବ୍ୟବସ୍ଥା କରିବା, ଓକିଲ କଲ୍ୟାଣ ଯଥା; ଓକିଲ ଓ ପରିବାରଙ୍କ ପାଇଁ ବୀମା, ନୂଆ ଓକିଲଙ୍କ ପାଇଁ ମାସିକ ୧୦ ହଜାର ଷ୍ଟାଇପେଣ୍ଡ, ମୃତ୍ୟୁ କିମ୍ବା ଅକର୍ମଣ୍ୟ ହେଲେ ତେଲେଙ୍ଗାନା ଭଳି ସହାୟତା ଦେବା ପାଇଁ ସରକାର ବାର୍ଷିକ ବଜେଟ୍‌ରେ ୫ ହଜାର କୋଟି ବ୍ୟୟବରାଦ କରିବା, ହରିୟାନା ସରକାରଙ୍କ ଭଳି ସମସ୍ତ ରାଜ୍ୟରେ ଘର ତିଆରି ପାଇଁ ଶସ୍ତାରେ ଜମି ଯୋଗାଇବା, ଟ୍ରିବ୍ୟୁନାଲ, କମିସନ, ଫୋରମ୍‌ ଓ ଅଥରିଟି ସମେତ ଆଇନ ସେବା ପ୍ରାଧିକରଣ ଆଇନରେ ସଂଶୋ‌ଧନ କରାଯାଇ ଆଇନଜୀବୀଙ୍କୁ ସରକାରୀ ପଦପଦବି ପ୍ରଦାନ କରିବା ଦାବି ପ୍ରମୁଖ ରହିଛି। ଆଜିର ବୈଠକରେ ରାଜ୍ୟ ବାର୍‌ କାଉନସିଲ ଅଧ୍ୟକ୍ଷ ଡ. ଟହଲି ଚରଣ ମହାନ୍ତି, ଭାରତୀୟ ବାର୍‌ କାଉନସିଲ୍‌ର ସଦସ୍ୟ ଡିପି ଧଳ, ଭୁବନେଶ୍ବର ଓକିଲ ସଂଘ ସମ୍ପାଦକ ଅଞ୍ଜନ ସାମନ୍ତରାୟ, ଉପ ସଭାପତି ଅଶୋକ ବେହେରାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର