୯ ଯାଏଁ ଭୁବନେଶ୍ବର ବାର୍‌ କାର୍ଯ୍ୟବନ୍ଦ

ଭୁବନେଶ୍ବର: ହାଇକୋର୍ଟ ବାର୍‌ ଆ‌େସାସିଏସନ ଡାକରାରେ ଭୁବନେଶ୍ବର ଓକିଲ ସଂଘ ଚଳାଇଥିବା ଆନ୍ଦୋଳନ ଉଗ୍ର ରୂପ ନେଇଛି। ଦୁଇଦିନିଆ ବନ୍ଦ ପାଳନ ବେ‌ଳେ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଏଥି ସହିତ ଆସନ୍ତା ୯ ତାରିଖ ଯାଏଁ କାର୍ଯ୍ୟବନ୍ଦ ରହିବ ବୋଲି ବାର୍‌ ନିଷ୍ପତ୍ତି ନେଇଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସଂଘ ସମ୍ପାଦକ ଅଞ୍ଜନ ସାମନ୍ତରାୟ କହିଛନ୍ତି। ଅନ୍ୟପଟେ ସୋମବାର ସଂଘର ଦୁଇଦିନିଆ ବନ୍ଦ ଡାକରାରେ କୋର୍ଟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ତହସିଲ, ଉପଜିଲ୍ଲାପାଳ, ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ କାମ ଚାଲୁଥିବା ନେଇ ଖବର ମିଳିବା ପରେ ଓକିଲମାନେ ଯାଇ ପିକେଟିଂ କରି ବନ୍ଦ କରିଥିବା ଦେଖା ଯାଇଥିଲା। ମୁଖ୍ୟ ଫାଟକ ସହ ଉପଜିଲ୍ଲାପାଳ, ତହସିଲ କାର୍ଯ୍ୟାଳୟ ସମ୍ମୁଖ ଫାଟକକୁ ମଧ୍ୟ ବନ୍ଦ କରାଯାଇଥିଲା। ପୁଲିସ୍‌ ଆକ୍ରମଣରେ ଆହତ ଓକିଲଙ୍କୁ ନ୍ୟାୟ ପାଇଁ ନାରା ଦେବା ସହ ଓକିଲମାନେ ଏଥିରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ ଆଦେଶ ହେବା ସହ ତଦନ୍ତ ସାରିବା ପାଇଁ ସମୟ ନିର୍ଘଣ୍ଟ ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସମସ୍ତ ଓକିଲ କାର୍ଯ୍ୟରେ ସାମିଲ ହୋଇ ନଥିବା ବେଳେ ଷ୍ଟାମ୍ପ ଭେଣ୍ଡର ଓ ନୋଟାରିମାନଙ୍କୁ କାମ କରିବାକୁ ଦିଆ ଯାଇ ନଥିଲା। ଫଳରେ ଏହି ସବୁ କାର୍ଯ୍ୟାଳୟମାନଙ୍କରେ ପ୍ରଶାସନିକ କାର୍ଯ୍ୟଛଡ଼ା ଅନ୍ୟ କୌଣସି କାମ ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର