ଭୁବନେଶ୍ବର: ଯିଏ ବହି ପଢ଼ିଛି, ତା ଆନନ୍ଦ ଓ ମହତ୍ତ୍ବ ସିଏ ବୁଝିଛି। ତେଣୁ ପ୍ରତ୍ୟେକ ଘରେ ପଢ଼ିବାର ବାତାବାରଣ ସୃଷ୍ଟି ହେଉ। ପିତାମାତାମାନେ ନିଜ ପିଲାମାନଙ୍କୁ ଏ ଦିଗରେ ପ୍ରୋତ୍ସାହନ ଦିଅନ୍ତୁ ବୋଲି କହିଛନ୍ତି ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର। ଓଡ଼ିଶା ପ୍ରେସ୍ କ୍ଲବ୍ରେ ଅନୁଷ୍ଠିତ ୩୫ତମ ଭୁବନେଶ୍ବର ପୁସ୍ତକ ମେଳା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପୁସ୍ତକ ମେଳାକୁ ଏକାଠି କରି ଏକ ବୃହତ୍ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ପୁସ୍ତକ ମେଳା କମିଟି ସହ ପୂର୍ବରୁ ଆଲୋଚନା ହୋଇଥିବା ବେଳେ ଏବେ ମଧ୍ୟ ଆଲୋଚନା ଜାରି ରହିଛି ବୋଲି ସେ କହିଥିଲେ। ବିଶିଷ୍ଟ କବି ପ୍ରତିଭା ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭ଜଣଙ୍କୁ ଭୁବନେଶ୍ବର ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରାଯାଇଛି। ଗଳ୍ପ ପାଇଁ ‘ତାରା ଭର୍ତି ଆକାଶ’ର ଲେଖକ ବିରଜା ରାଉତରାୟ ଓ କବିତା ପାଇଁ ‘ନିଆଁର କୋଲାଜ୍’ର ଲେଖିକା ପ୍ରତୀକ୍ଷା ଜେନା, ‘ଅଲଣା ସମୁଦ୍ର’ ପୁସ୍ତକର ଲେଖକ କ୍ଷୀରୋଦ ବିଶ୍ବାଳଙ୍କୁ ରବି ପଟ୍ଟନାୟକ ସ୍ମୃତି ପୁରସ୍କାର, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କୁ ବରେନ୍ଦ୍ର କୃଷ୍ଣ ଧଳ ସ୍ମୃତି ସମ୍ମାନ, ‘ପୁନଶ୍ଚ ବଳିଦତ୍ତ’ର ଲେଖିକା ମହାଶ୍ବେତା ସାହୁଙ୍କୁ ଉତ୍ତମ ଚରଣ ନାୟକ ଗଳ୍ପ ପୁରସ୍କାର, ‘ଗୀତ ନା ଗପ’ର ଲେଖକ ମାନସ ରଂଜନ ସାମଲଙ୍କୁ ଶିଶୁ ସାହିତ୍ୟ ପୁରସ୍କାର, ‘ଏଥେନା’ର ପ୍ରକାଶକ ରାଜକିଶୋର ଦାସଙ୍କୁ ଶ୍ରେଷ୍ଠ ପ୍ରକାଶକ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ‘ବିଧର୍ମୀ’ ପୁସ୍ତକ ପାଇଁ ଲେଖକ ଅରବିନ୍ଦ ଦାସଙ୍କୁ ପଶ୍ଚିମା ଗଳ୍ପ ସମ୍ମାନ, ‘ପ୍ରେମର ଦୂର ଗୀତ’ ପୁସ୍ତକ ପାଇଁ ଲେଖକ କେଦାର ମିଶ୍ରଙ୍କୁ ପଶ୍ଚିମା କବିତା ସମ୍ମାନ, ‘ସୃଜନ ସ୍ବପ୍ନ’ ପାଇଁ ଲେଖିକା ଡ.ଇନ୍ଦୁପ୍ରଭା ସାମଲଙ୍କୁ ପଶ୍ଚିମା ପ୍ରବନ୍ଧ ସମ୍ମାନ, ‘ଡାର୍ଟି ପିକ୍ଚର’ ପାଇଁ ଲେଖକ ରବିନାରାୟଣ ଦାଶଙ୍କୁ ପଶ୍ଚିମା ଉପନ୍ୟାସ ସମ୍ମାନ ପ୍ରଦାନ କରାଯାଇଥିଲା। ପୁସ୍ତକ ମେଳା କମିଟି ସମ୍ପାଦକ ଅଶୋକ ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ସନ୍ଦୀପ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।