ମୁକୁଲ ମିଶ୍ର ଓ ସୁଶୀଲ ବାଗ୍‌ ପାଇବେ: ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର

‘ଆମ ଓଡ଼ିଶା’କୁ ଶ୍ରେଷ୍ଠ ପ୍ରକାଶକ ପୁରସ୍କାର

ଭୁବନେଶ୍ୱର: ଚଳିତ ବର୍ଷ କବିତା ସଂକଳନ ‘ମେଘମନା’ ପାଇଁ ମୁକୁଲ ମିଶ୍ର ଏବଂ ପ୍ରବନ୍ଧ ସଂକଳନ ‘ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି’ ପାଇଁ ଡ. ସୁଶୀଳ କୁମାର ବାଗ୍‌ ପାଇବେ ୩୪ତମ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର। ‘ମାନବ ସେବାରେ ଉଦ୍ଭିଦ’ ବହି ପାଇଁ ପ୍ରଫେସ ଅରୁଣ ଚନ୍ଦ୍ର ସାହୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପୁରସ୍କାର ଏବଂ ‘ମେବାର କାହାଣୀ’ ପାଇଁ ଡା. ସୁରେନ୍ଦ୍ର ନାଥ ଦାଶ ଶିଶୁ ସାହିତ୍ୟ ପୁରସ୍କାର ପାଇବେ।

ସେହିପରି ଭୁବନେଶ୍ୱରର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଆମ ଓଡ଼ିଶା’ ପାଇବେ ଶ୍ରେଷ୍ଠ ପ୍ରକାଶକ ସମ୍ମାନ। ‘ନିକୁଲ’ ବହି ପାଇଁ ଉତ୍ତମ ନାୟକ ଗଳ୍ପ ସମ୍ମାନ ପାଇବେ ସ୍ୱାଗତିକା ସ୍ୱାଇଁ। ଖଗେଶ୍ୱର ମହାପାତ୍ର ସ୍ମୃତି କମିଟି ତରଫରୁ ଖଗେଶ୍ୱର ମହାପାତ୍ର ସ୍ମୃତି ପୁରସ୍କାର ପାଇବେ ଭାଷାବିତ୍‌ ଡ. ପ୍ରଫୁଲ୍ଲ ତ୍ରିପାଠୀ। ସବୁ ବର୍ଷ ଭଳି ୩୪ତମ ଭୁବନେଶ୍ୱର ପୁସ୍ତକମେଳା ମଞ୍ଚରେ ପଶ୍ଚିମା ସାହିତ୍ୟ ପତ୍ରିକା ତରଫରୁ ଦିଆଯାଉଥିବା ପଶ୍ଚିମା ଗଳ୍ପ ସମ୍ମାନ ପାଇବେ ରବି ପଣ୍ଡା ପୁସ୍ତକ ‘ଖରାରେ ଠିଆ ହୋଇଥିବା ଲୋକ’ ପାଇଁ ପଶ୍ଚିମା କବିତା ସମ୍ମାନ ପାଇବେ ସେନାପତି ପ୍ରଦ୍ୟୁମ୍ନ କେଶରୀ, ପୁସ୍ତକ ‘ଭାଜ୍ୟ ଭାଜକ’ ପାଇଁ ପଶ୍ଚିମା ପ୍ରବନ୍ଧ ସମ୍ମାନ ପାଇବେ ସୂର୍ଯ୍ୟ ଦେଓ, ପୁସ୍ତକ ‘ଝୁରାମନ ଝରାଗୀତ’ ପାଇଁ ଏବଂ ପଶ୍ଚିମା ଉପନ୍ୟାସ ସମ୍ମାନ ପାଇବେ ମୌସୁମୀ ପରିଡ଼ା ପୁସ୍ତକ ‘ଆଲ୍‌ବଲ୍‌-ଆଇସ୍‌କ୍ରିମ୍‌-ଆଇନା’ ପାଇଁ। ପୁସ୍ତକମେଳା ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସଭାରେ ସମ୍ପାଦକ ଅଶୋକ ମହାନ୍ତି, ଆବାହକ ପବିତ୍ର କୁମାର ପ୍ରଧାନ, କୋଷାଧ୍ୟକ୍ଷ ସିଦ୍ଧାର୍ଥ କୁମାର ଧଳ, ବରିଷ୍ଠ ସଦସ୍ୟ ଯୁଗଳ କିଶୋର ଦତ୍ତ, ଡ.ବୈରାଗୀ ପଟ୍ଟନାୟକ, ଡା. ଅମିୟ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର