ଭୁବନେଶ୍ବର ଦେୱାଙ୍ଗା ସଂଘମ୍‌ର ରୌପ୍ୟଜୟନ୍ତୀ: ଏମ୍‌. କେଶବ ରାଓଙ୍କୁ ‘ଦେୱାଙ୍ଗା ବିଭୂଷଣ’ ସମ୍ମାନ

ଭୁବନେଶ୍ବର: ଭୁବନେଶ୍ବର ଦେୱାଙ୍ଗା ସଂଘମ୍‌ର ରୌପ୍ୟଜୟନ୍ତୀ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାମିଳନ ପର୍ବରେ ବହୁ ଦେୱାଙ୍ଗା ପରିବାର ସାମିଲ୍‌ ହୋଇ ନିଜ ପରମ୍ପରା, କୌଳିକ ବୃତ୍ତି, ଭାଷା, ଚଳଣିର ସ୍ବତନ୍ତ୍ରତା ବାବଦରେ ଆଲୋକପାତ କରିଥିଲେ। ଦେୱାଙ୍ଗା କୁଳ ଜଗତ୍‌ଗୁରୁ ହାମ୍ପି ହେମକୁଣ୍ଡ ଗାୟତ୍ରୀ ପୀଠର ଦୟାନାଥ ପୁରୀ ସ୍ବାମୀଜୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସଂଘର ସଭାପତି ଦିଲ୍ଲୀପ ରାଓଗାରୁ, ସମ୍ପାଦକ କେ ବାସ୍‌ୱା ରାଜଗାରୁ, ଅଲ୍‌ଓଡ଼ିଶା ଦେୱାଙ୍ଗା ସଂଘ ସଭାପତି ଟି.ଗୋପିଗାରୁ, ରୌପ୍ୟଜୟନ୍ତୀ ଉତ୍ସବର ଚେୟାରମ୍ୟାନ୍‌ ଏମ୍.କେଶବ ରାଓଗାରୁ ଏବଂ ଉତ୍ତାଲା ଗାନ୍ଧୀଗାରୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ତୋଟା ରାମାରାଓଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ପୁତ୍ର ତୋଟା ଦିଲ୍ଲୀପ କୁମାର ସମ୍ମାନ ଗ୍ରହଣ କରିଥିଲେ। ଗ୍ରିନ୍‌ ଚିଲ୍ଲିଜ୍‌ର ପ୍ରତିଷ୍ଠାତା ଏମ୍‌.କେଶବ ରାଓଙ୍କୁ କୁଳଗୁରୁ ଦୟାନାଥ ପୁରୀ ସ୍ବାମୀଜୀ ‘ଦେୱାଙ୍ଗା ବିଭୂଷଣ’ ସମ୍ମାନ ପ୍ରଦାନ କରିଥିଲେ। ଏଥିସହ ଜ୍ୟୋତିର୍ବିଦ୍‌ ଡ.ଏନ୍‌.ସଦାଶିବ ରାଓ, କଣ୍ଠଶିଳ୍ପୀ ଜେ ନାଭ୍ୟା, ଚିତ୍ରଶିଳ୍ପୀ ଗାୟତ୍ରୀ ମାଭୁରୁ, ସମାଜସେବୀ ଆନେମ୍‌ ବାଲକ୍ରିଷ୍ଣ ସେନାପତି, ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ମନ୍ଦିର ପାଇଁ ଜମି ଦାନ କରିଥିବା ଏମ୍‌ ଶିବାରାଓ, ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ୟେରା ଆଶା କୁମାରୀ, ତ୍ରିନାଧା ରାଓ, ଆକାଶବାଣୀ କଳାକାର ବି.ଯୋଗୀରାଜ ପାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଉତ୍ସବ ଶେଷରେ ବ୍ରହ୍ମପୁର ଗ୍ରୁପ୍‌ ଏବଂ ଜାଭେଦ୍‌ ଗ୍ରୁପ୍‌ର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଓଡ଼ିଆ ଓ ତେଲୁଗୁ ଭାଷାରେ ପ୍ରସ୍ତୁତ ବୃତ୍ତଚିତ୍ର ‘ସିଲ୍‌ଭର ଜୁବିଲି’ ଏବଂ ‘ତୋଟା ରାମାରାଓ’ଙ୍କ ଜୀବନୀ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର