କେତେ ସୁରକ୍ଷିତ ଭୁବନେଶ୍ୱର କୋର୍ଟ?

ଭୁବନେଶ୍ୱର: ଏପ୍ରିଲ ୨୪ ତାରିଖ। ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ରମେଶ କୁମ୍ଭାର ନାମକ ଜଣେ ଯୁବକ ସଂଗୀତା ଚୌଧୁରୀ ନାମକ ଜଣେ ମହିଳାଙ୍କୁ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା। ସଂଗୀତାଙ୍କୁ ସେ ତାଙ୍କର ପତ୍ନୀ ବୋଲି ଦାବି କରିଥିଲା। ଏପରିକି ରମେଶଙ୍କ ଆକ୍ରମଣରୁ ସଂଗୀତାଙ୍କ ୩ ବର୍ଷର ଝିଅ ଶିବାନୀ ଓ ତାଙ୍କ ମା’ ଲିଳିତା ମଧ୍ୟ ବର୍ତି ନଥିଲେ। ଉଭୟ ଗୁରୁତର ଆହତ ହୋଇଥିଲେ।ଚଳିତ ମାସ ୧୮ ତାରିଖ। ଦୁର୍ଦାନ୍ତ ଅଭିଯୁକ୍ତ ଝସ କେତନ ଅନୁଗୁଳ ଜିଲ୍ଲା କୋର୍ଟରୁ ପୁଲିସ ଚକ୍‌ମା ଦେଇ ଚମ୍ପଟ ହୋଇଗଲା। ଏଯାଏ ଅନୁଗୁଳ ପୁଲିସ ଝସକେତନର ପତ୍ତା ପାଇନାହିଁ। କାର୍ଯ୍ୟରେ ଅବହେଳା କାରଣରୁ ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ୮ ଜଣ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

୧୩ ଏପ୍ରିଲ ୨୦୧୮ ଭୁବନେଶ୍ୱର କୋର୍ଟରୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ରଂଜନ ମାର୍ଥା ପୁଲିସକୁ ଚକ୍‌ମା ଦେଇ ଖସି ଯାଇଛି। ଏବେ ବି ସେ କମିସନରେଟ୍‌ ପୁଲିସ ପାଇଁ ମୋଷ୍ଟ ଓ୍ଵାଣ୍ଟେଡ୍‌। କିଛି ଦିନ ତଳେ ଜଣେ ଆଇନଜୀବୀଙ୍କୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ପରିସରରେ ଆକ୍ରମଣ ଉଦ୍ୟମ କରିଥିଲା। ଏପରିକି ୨୦୧୪ ମସିହା ଜାନୁଆରି ମାସ ୨୭ ତାରିଖରେ ଭୁବନେଶ୍ୱର ସିବିଆଇ କୋର୍ଟର ବିଚାରପତିଙ୍କ ଡାଏସ୍‌ ଉପରକୁ ବୋମାମାଡ଼ ହୋଇଥିଲା। କୋର୍ଟ ପରିସର ଭିତରେ ଅପରାଧୀମାନେ ଏଭଳି କାଣ୍ଡ ଭିଆଇବା ପରେ ଆମ ଭୁବନେଶ୍ୱର କୋର୍ଟ କେତେ ସୁରକ୍ଷିତ ତାହା ଜାଣିବାକୁ ‘ସମ୍ବାଦ ଟିମ୍‌’ ପହଞ୍ଚିଥିଲା ଗ୍ରାଉଣ୍ଡ ଜିରୋରେ। ଭୁବନେଶ୍ୱର କୋର୍ଟ ପରିସରରେ ଛୋଟ ବଡ଼ ମିଶାଇ ପ୍ରାୟ ୩୫ଟି କୋର୍ଟ ରହିଛି। ଦୈନିକ ଏହି କୋର୍ଟକୁ ଭୁବନେଶ୍ୱର ସମେତ ରାଜଧାନୀ ଉପକଣ୍ଠ ଓ ଖୋର୍ଧା ଜିଲ୍ଲାର ୩ଶହରୁ ଅଧିକ ଅଭିଯୁକ୍ତ ଆସିଥାନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ କୋର୍ଟ ସମ୍ମୁଖରେ ଦୁଇ ଜଣ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। କିନ୍ତୁ ଅଧିକାଂଶ କୋର୍ଟରେ କୌଣସି ପୁଲିସ ଅଧିକାରୀଙ୍କୁ ଦେଖିବାକୁ ମିଳନ୍ତି ନାହିଁ। କୋର୍ଟ ପରିସରରେ ଅପରାଧୀମାନଙ୍କ ଉପରେ ନଜର ରଖିବାକୁ ସିସି କ୍ୟାମେରା ଲାଗିଛି। କିନ୍ତୁ ଅଧିକାଂଶ ସିସି କ୍ୟାମେରା ଅଚଳ। କୋର୍ଟର ୫ ପ୍ରବେଶ ପଥରେ ୫ଟି ମେଟାଲ ଡିଟେକ୍ଟର ଲାଗିଥିଲା। ଏବେ ସେସବୁ ଅଚଳ। ଏପରିକି ଆଉ ମେଟାଲ ଡିଟେକ୍ଟର ଦେଖିବାକୁ ମିଳୁନାହିଁ। କିଛି ଦିନ ଅନ୍ତରରେ କୋର୍ଟରେ ଶୁଣାଣି ପାଇଁ ହେଉ ଅବା ତାରିଖ ପାଇଁ ଦୁର୍ଦାନ୍ତ ଅପରାଧୀମାନେ କୋର୍ଟକୁ ଆସିଥାନ୍ତି। ସେମାନେ କୋର୍ଟକୁ ଆସିବା ମାତ୍ରେ ସେମାନଙ୍କ ଚେଲାମାନେ ମଧ୍ୟ କୋର୍ଟରେ ଭିଡ଼ ଜମାଇଥାନ୍ତି।କୋର୍ଟ ପରିସରରେ କାଗଜପତ୍ର କାମ କରିବାକୁ ଏକ ସ୍ୱତନ୍ତ୍ର ସିଏସ୍‌ଆଇ ଅଫିସ ଅଛି। ସୁରକ୍ଷା ଦୃଷ୍ଟିରୁ ଏହା ଅତି ଗୁରୁତ୍ୱପୂର୍ଣ୍ଣ। ଏଠାରେ ଭୁବନେଶ୍ୱରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଦସ୍ତାବିଜ ରହିଛି। କିନ୍ତୁ ଏଠାରେ କୌଣସି ସିସିଟିଭି କ୍ୟାମେରା ଲଗାଯାଇ ନାହିଁ। ରାତ୍ର ଜଗୁଆଳି ବି ନାହନ୍ତି। ଏହିସବୁ ଉଦାହରଣରୁ ଭୁବନେଶ୍ୱର କୋର୍ଟର ସୁରକ୍ଷା ବ୍ୟବସ୍ଥା କେତେ ଢିଲା ତାହା ସ୍ପଷ୍ଟ ଅନୁମେୟ।

‘ଆମେ କୋର୍ଟ ପରିସରରେ ନିଜକୁ ସୁରକ୍ଷିତ ମନେ କରୁନାହୁଁ। କୋର୍ଟ ପରିସରେ ଦିନକୁ ଦିନ ଅସାମାଜିକ ଯୁବକଙ୍କ ଆଡ୍ଡା ବଢ଼ିବାରେ ଲାଗିଛି। କୋର୍ଟରେ ନିୟୋଜିତ ହୋଇଥିବା ପୁଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇବାରେ ସଂପୂର୍ଣ୍ଣ ରୂପେ ବିଫଳ। କୋର୍ଟରେ ଥିବା ସିଏସ୍‌ଆଇ କାର୍ଯ୍ୟାଳୟ ସୁରକ୍ଷା ବ୍ୟବସ୍ଥା ପୂରା ଢ଼ିଲା। ସୁରକ୍ଷା ଦୃଷ୍ଟିରୁ ଏଠାରେ କିଛି ପୁଲିସ କର୍ମଚାରୀଙ୍କ ସହ ସିସଟିଭି କ୍ୟାମେରା ଲଗାଯିବା କଥା କିନ୍ତୁ ତାହା ଏଠାରେ ନଥିବା କାରଣରୁ ଏହା ସଂପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇ ପଡ଼ିଛି।
ବରିଷ୍ଠ ଆଇନଜୀବୀ, ଚିତ୍ତରଞ୍ଜନ ଦାସ

ଭଗବାନଙ୍କ ଭରସାରେ ଚାଲିଛି ଭୁବନେଶ୍ୱର କୋର୍ଟ। ଏଠାରେ ବିଚାରପତି କିମ୍ବା ଓକିଲ କେହି ବି ସୁରକ୍ଷିତ ନୁହନ୍ତି। ଯଦି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ କୋର୍ଟ ଆସିଲେ, ସୁରକ୍ଷା ଦୃଷ୍ଟିରୁ ଏଠାରେ ପ୍ଲାଟନ୍‌ ପ୍ଲାଟୁନ୍‌ ପୁଲିସ ନିୟୋଜିତ ହୋଇଥାନ୍ତି। କିନ୍ତୁ ଅନ୍ୟ ଦିନଗୁଡ଼ିକରେ ୪ ଜଣ ପୁଲିସଙ୍କୁ ଦେଖିବା ବି ମୁସ୍କିଲ।
ଆଇନଜୀବୀ ଅରୂପ କୁମାର ଚାନ୍ଦ

କୋର୍ଟରେ ସୁରକ୍ଷା ବୋଲି କିଛି ନାହିଁ । ଖାସ କରି ସରକାରୀ ଓକିଲମାନେ ଏଠାରେ ଅଧିକ ଅସୁରକ୍ଷିତ। ଏଠାରେ ଆହୁରି ସିସି କ୍ୟାମେରା ଲଗା ଯିବା ସହିତ ମେଟାଲ ଡିଟେକ୍‌ଟର ଚାଲୁ କରିବା ଜରୁରୀ। ପୁଲିସଙ୍କ ଉପସ୍ଥିତିରେ କୋର୍ଟ ପରିସରରେ ଗଣ୍ଡଗୋଳ ହେଉଛି। କିଛି ପୁଲିସ କର୍ମଚାରୀ ବିଚାରଧୀନ କଏଦୀଙ୍କୁ ମୋବାଇଲ୍‌ ଫୋନ୍‌ରେ ଗପିବା ସୁଯୋଗ ଦେବା ସହିତ, ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ଦେଉଛନ୍ତି। ଏହା ଛଡ଼ା କୋର୍ଟ ଛାତ ଉପରେ ଅନୈତିକ କାର୍ଯ୍ୟ ମଧ୍ୟ ହେଉଛି।
ଆଇନଜୀବୀ ସୁୁକାନ୍ତ କୁମାର ସାହୁ

ସମ୍ବନ୍ଧିତ ଖବର