ଭୁବନେଶ୍ୱରର ନୂଆ ଡିସିପି ଅନୁପଙ୍କ ପାଇଁ ଅନେକ ଆହ୍ଵାନ

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କର ଡିଆଇଜି ର‍୍ୟାଙ୍କ୍‌କୁ ପଦୋନ୍ନତି ଘଟିବା ପରେ କିଏ ହେବ ଭୁବନେଶ୍ୱରର ପରବର୍ତୀ ଡିସିପି ଏହାକୁ ନେଇ ପୁଲିସ ମହଲରେ ବର୍ଷ ଆରମ୍ଭରୁ ଜୋରଦାର ଚର୍ଚା ହେଉଥିଲା। ଭୁବନେଶ୍ୱର ଡିସିପି ଭଳି ଗୁରୁତ୍ୱପୂର୍ଣ ପଦବିରେ କାର୍ଯ୍ୟ ତୁଲାଇବା କଷ୍ଟକର ବ୍ୟାପାର। ଦୈନନ୍ଦିନ ଆଇନଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିବା ସହିତ ଭିଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ଓ ଅପରାଧ ନିୟନ୍ତ୍ରଣ ଉପରେ ଯାହାର ଅଭିଜ୍ଞତା ଅଧିକ ରହିବ ସରକାର ତାଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣର୍ ପଦବିରେ ବସାଇବେ ବୋଲି କୁହାଯାଇଥିଲା। ଏଥିପାଇଁ ଡିସିପି ଦୌଡ଼ରେ ପାଖାପାଖି ୬ ଜଣ ଯୁବ ଆଇପିଏସ୍‌ଙ୍କ ନାଁ ଚର୍ଚାରେ ଥିଲା। ସେଥିମଧ୍ୟରୁ ଯେଉଁ ଦୁଇ ଜଣ ଓଡ଼ିଆ ଆଇପିଏସ୍‌ ଅଧିକାରୀଙ୍କ ନାଁ ସବୁଠାରେ ଆଗରେ ଥିଲା ସେମାନେ ହେଲେ ଭଦ୍ରକ ଏସ୍‌ପି ଅନୁପ କୁମାର ସାହୁ ଓ କନ୍ଧମାଳ ଏସ୍‌ପି ମିତ୍ରଭାନୁ ମହାପାତ୍ର। ଶେଷରେ ଗତକାଲିର ଅଦଳବଦଳରେ ୨୦୦୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅନୁପ ସାହୁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇଛନ୍ତି। ନିଜର ୧୧ ବର୍ଷର କ୍ୟାରିଅରରେ ଜଣେ ଦକ୍ଷ, ବିଚକ୍ଷଣ ଓ ସଚ୍ଚୋଟ ଅଫିସର ଭାବେ ସୁନାମ ଅର୍ଜନ କରିଥିବା ଅନୁପଙ୍କ ଉପରେ ହିଁ ରାଜ୍ୟ ସରକାର ଭରସା କରିଛନ୍ତି। ଅନୁପଙ୍କ ଜନ୍ମ ୧୯୭୮ ମସିହା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ହୋଇଥିଲା। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାସ୍‌ କରିବା ପରେ ୨୦୦୬ ମସିହାରେ ସେ ଆଇପିଏସ୍‌ କୃତିତ୍ୱ ହାସଲ କରିଥିଲେ। ପ୍ରଥମେ ତାଙ୍କର ନିଯୁକ୍ତି ହୋଇଥିଲା ମାଓ ଅଧ୍ୟୁଷିତ ମାଲାକାନାଗିରି ଏସ୍‌ଡିପିଓ ଭାବେ। ପରେ ସେ କୋରାପୁଟ ଏସ୍‌ପି ହୋଇଥିଲେ। ପରବର୍ତୀ ସମୟରେ ପୁରୀ, ଯାଜୁପର ଏସ୍‌ପି ହୋଇଥିବାବେଳେ ଏବେ ଭଦ୍ରକର ଏସ୍‌ପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ପିପିଲି ବେବିନା ଗଣ ଦୁଷ୍କର୍ମବେଳେ ଯେତେବେଳେ ସମଗ୍ର ପୁରୀ ଜିଲ୍ଲା ଆଶାନ୍ତ ହୋଇ ପଡ଼ିଥିଲା, ସେତେବେଳେ ତାଙ୍କୁ ପୁରୀ ଏସ୍‌ପି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। କେବଳ ଏତିକି ନୁହେଁ, ଯାଜପୁରରେ ସେ ଏସ୍‌ପି ଥିବାବେଳେ ଭଦ୍ରକରେ ସାଂପ୍ରଦାୟିକ ହିଂସା ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ତେଣୁ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ତାଙ୍କୁ ରାତି ଅଧିଆ ଯାଜପୁରରୁ ଭଦ୍ରକକୁ ବଦଳି କରିଥିଲେ। ଶ୍ରୀ ସାହୁ ମଧ୍ୟ ଏହି ସାଂପ୍ରଦାୟିକ ଉତ୍ତେଜନାକୁ ଖୁବ୍‌ କମ୍‌ ଦିନ ମଧ୍ୟରେ ନିୟନ୍ତ୍ରଣକୁ ଆଣିଥିଲେ। ଯେଉଁଥି ପାଇଁ ସେ ସରକାର ଓ ପୁଲିସ ବିଭାଗର ଆସ୍ଥା ଭାଜନ ହୋଇ ପାରିଛନ୍ତି। ଏହା ପୂର୍ବରୁ ସେ ପୁରୀ ଓ ଯାଜପୁରରେ ମଧ୍ୟ ପ୍ରଶଂସନୀୟ କାମ କରିଥିଲେ। ତେବେ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ପାଇବା ପରେ ଶ୍ରୀ ସାହୁଙ୍କ ପାଖରେ ଅନେକ ଆହ୍ଵାନ ରହିଛି। ସେଥିମଧ୍ୟରୁ ରାଜଧାନୀରେ କ୍ରମବର୍ଦ୍ଧିଷ୍ଣୁ ଅପରାଧର ମୁକାବିଲା, ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଏବଂ ଭିଭିଆଇପିଙ୍କ ସୁରକ୍ଷା କ୍ଷେତ୍ରରେ ତାଙ୍କୁ ଅଧିକ ଚାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ପଡ଼ିବ। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ମାର୍ଗଦର୍ଶନରେ ସେ ଏସବୁ ଚାଲେଞ୍ଜକୁ କିଭଳି ସାମ୍ନା କରୁଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର