ଭୁବନେଶ୍ୱର ନୂଆ ରେଳଷ୍ଟେସନ୍‌: ଅଟକିବ ଆଉ ତିନି ଯୋଡ଼ା ଟ୍ରେନ୍‌

ଚନ୍ଦ୍ରଶେଖରପୁର: ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ଆସନ୍ତା ୨୨ ତାରିଖଠାରୁ ଭୁବନେଶ୍ୱର ନୂଆ ରେଳଷ୍ଟେସନ୍‌ଠାରେ ଆହୁରି ତିନି ଯୋଡ଼ା ଟ୍ରେନ୍‌ର ରହଣି ବ୍ୟବସ୍ଥା କରାଯିବ। ଗତ ଅଗଷ୍ଟ ମାସରେ ନୂଆ ଷ୍ଟେସନ୍‌ କାର୍ଯ୍ୟକ୍ଷମ ହେବା ପରେ ଭୁବନେଶ୍ବର ପାଇଁ ଏକ ସଫଳତା ଆଣି ଦେଇଛି। ଏବେ ସେଠାରେ ୩ଟି ଟ୍ରେନ୍‌ ରହୁଥିବା ଆଉ ତିନି‌ ଯୋଡ଼ା ରହଣି ବ୍ୟବସ୍ଥା କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକଠାରୁ ଛାଡ଼ିବାକୁ ଥିବା ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର (୫୮୪୦୭) ଏଠାରେ ପୂର୍ବାହ୍ଣ ୯ଟା ୨୬ରେ ପହଞ୍ଚି ୯ଟା ୨୭ରେ ଛାଡ଼ିବ। ଫେରିବା ବେଳେ ଭୁବନେଶ୍ୱର-ଭଦ୍ରକ ପାସେଞ୍ଜର (୫୮୪୦୮) ସନ୍ଧ୍ୟା ୬ଟା ୧୪ରେ ପହଞ୍ଚି ୬ଟା ୧୫ରେ ଛାଡ଼ିବାକୁ ସ୍ଥିର ହୋଇଛି। ସେହିପରି ତାଳଚେରରୁ ଛାଡ଼ିବାକୁ ଥିବା ତାଳଚେର-ପୁରୀ ମେମୁ ଟ୍ରେନ୍‌ (୬୮୪୧୩) ନୂଆ ରେଳଷ୍ଟେସନ୍‌ଠାରେ ପୂର୍ବାହ୍ଣ ୯ଟା ୧୭ରେ ପହଞ୍ଚି ୯ଟା ୧୮ରେ ଛାଡ଼ିବ। ଫେରିବା ବେଳେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ତାଳଚେର ମେମୁ (୬୮୪୧୪) ସନ୍ଧ୍ୟା ୬ଟା ୫୩ରେ ପହଞ୍ଚି ୬ଟା ୫୪ରେ ଛାଡ଼ିବ। ଅନୁଗୁଳଠାରୁ ଛାଡ଼ିବାକୁ ଥିବା ଅନୁଗୁଳ-ପୁରୀ ମେମୁ (୬୮୪୨୧) ସକାଳ ୮ଟା ୪୧ରେ ପହଞ୍ଚି ୮ଟା ୪୨ରେ ଛାଡ଼ିବାକୁ ଥିବାବେଳେ ଫେରିବା ବେଳେ ପୁରୀ-ଅନୁଗୁଳ ମେମୁ (୬୮୪୨୨) ସନ୍ଧ୍ୟା ୬ଟା ୨୨ରେ ପହଞ୍ଚି ୬ଟା ୨୩ରେ ଛାଡ଼ିବ। ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଭବିଷ୍ୟତରେ ଏହି ଷ୍ଟେସନ୍‌କୁ ସଡ଼କପଥ ଓ ଯାନବାହାନ ଚଳାଚଳର ସୁବିଧା କରାଯିବା ଦିଗରେ ପଦ‌େକ୍ଷେପ ନିଆଯାଉଛି। ତା‌ହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଆହୁରି ଅନେକ ଟ୍ରେନ୍‌ର ରହଣି ବ୍ୟବସ୍ଥା କରିବାକୁ ଯୋଜନା ରଖିଛି। ଏହାଦ୍ବାରା ଉତ୍ତର ଭୁବନେଶ୍ୱରରେ ବସବାସ କରୁଥିବା ଲୋକମାନେ ଉପକୃତ ହୋଇପାରିବେ। ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ସହାୟକ ହୋଇପାରିବ। ସୂଚନଯୋଗ୍ୟ ଯେ ଗତ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱର ନୂଆ ରେଳଷ୍ଟେସନ କାର୍ଯ୍ୟକ୍ଷମ ହୋଇଥିଲା। ସେବେଠାରୁ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର, ହାୱଡ଼ା-ପୁରୀ-ସନ୍ତ୍ରାଗାଛି ପାସେଞ୍ଜର ଓ କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍‌ ଏହି ଷ୍ଟେସନ୍‌ଠାରେ ରହଣି କରୁଛି।

ସମ୍ବନ୍ଧିତ ଖବର