ଭୁବନେଶ୍ବରକୁ ଓଡିଏଫ୍‌ ++ ସହର ମାନ୍ୟତା, ସ୍ଥିତି ଜଣାଇଲା ବିଏମ୍‌ସି

ଭୁବନେଶ୍ବର: ଭୁବନେଶ୍ୱରକୁ ଖୋଲା ମଳତ୍ୟାଗମୁକ୍ତ ସହର ବା ଓଡିଏଫ୍‌ (++) ସହରର ମାନ୍ୟତା ଲାଗି ବିଏମ୍‌ସି ଆଜି ଆଉ ପାଦେ ଆଗେଇଛି। ଏହି ପ୍ରକ୍ରିୟାର ଦ୍ବିତୀୟ ସୋପାନ ସ୍ବରୂପ ବିଏମ୍‌ସି ପକ୍ଷରୁ ଆଜି ରାଜଧାନୀର ବିବିଧ ଭିତ୍ତିଭୂମି ଓ ଗୁଣାବଳୀ ସଂପର୍କିତ ରିପୋର୍ଟ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି। ଏଥିରେ ରାଜଧାନୀରେ ଜଳଯୋଗାଣ ସ୍ଥିତି, ସ୍ବେରେଜ୍‌ ଓ ପରିମଳ ବ୍ୟବସ୍ଥା, କଠିନ ବର୍ଜ୍ୟ ପରିଚାଳନା, ବର୍ଷା ବିତ୍ପାତ, ଜଳ ଏବଂ ଡ୍ରେନେଜ୍ ସଂପର୍କିତ ବିସ୍ତୃତ ରିପୋର୍ଟ ରହିଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଧାର୍ଯ୍ୟ ବିବିଧ ଭିତ୍ତିଭୂମି ଏବଂ ଗୁଣାବଳୀ ଆଧାରରେ କୌଣସି ସହରକୁ ଓଡିଏଫ(++) ସହରର ମାନ୍ୟତା ଦିଆଯାଇଥାଏ। ତେବେ ମନ୍ତ୍ରାଳୟକୁ ପ୍ରଦତ୍ତ ଏହି ରିପୋର୍ଟରୁ ବିଏମ୍‌ସିର ଜଳଯୋଗାଣ ଜନିତ ତ୍ରୁଟି, ପରିମଳ ବ୍ୟବସ୍ଥାର ନୈରାଶ୍ୟଜନକ ସ୍ଥିତି ସ୍ପଷ୍ଟ ବାରି ହୋଇପଡ଼ୁଛି। ଖାଲି ସେତିକି ନୁହେଁ, ସ୍ବେରେଜ୍ ନେଟ୍‌ୱାର୍କ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ବିଏମ୍‌ସି ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ଦୂରରେ ରହିଥିବା ଜଣାଯାଇଛି। ଏସବୁ ବିଚାରକୁ ନିଆଗଲେ,ଭୁବନେଶ୍ବରକୁ ଓଡିଏଫ୍‌ (++)ସହରର ମାନ୍ୟତା ମିଳିବ କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

ଜଳଯୋଗାଣ ସ୍ଥିତି: ରାଜଧାନୀରେ ଜଳ‌ଯୋଗାଣ ସ୍ଥିତି ୨୦୧୯/୨୦ରେ ୭୪% ରହିଥିବା ବେଳେ ୨୦୨୦/୨୧ରେ ଏହାକୁ ଶତ ପ୍ରତିଶତ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି। ରାଜଧାନୀରେ ମୁଣ୍ଡ ପିଛା ଜଳଯୋଗାଣ ୧୩୫ ଲିଟର ଆବଶ୍ୟକ ଥିବା ବେଳେ ଖରାପ ପରିଚାଳନା ଯୋଗୁଁ ୨୧୧.୦୫ଲିଟର ପାଣି ଯୋଗାଣ ହେଉଛି। ତେବେ ୨୦୨୦/୨୧ରେ ଏହାକୁ ୧୯୦ ଲିଟରରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଜଳଯୋଗାଣରେ ଶତ ପ୍ରତିଶତ ମିଟର ସଂଯୋଗ ଜରୁରୀ ଥିବା ବେଳେ ୨୦୧୯-୨୦ରେ ଏହା ୯୩ପ୍ରତିଶତ ହୋଇପାରିଛି। ଆସନ୍ତା ୨୦୨୦/୨୧ରେ ଶତ ପ୍ରତିଶତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସ୍ବେରେଜ୍ ଓ ପରିମଳ ବ୍ୟବସ୍ଥା: ଓଡିଏଫ୍‌ (++) ସହର ପାଇଁ ପାଇଖାନା ନିର୍ମାଣର ମାନଦଣ୍ଡ ୧୦୦ ପ୍ରତିଶତ ରହିଛି। ରାଜଧାନୀରେ ୨୦୧୯-୨୦ରେ ପାଇଖାନା ନିର୍ମାଣରେ ବିଏମ୍‌ସି ଶତପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ହାସଲ କରିପାରିଛି। ଆସନ୍ତା ୨୦୨୦-୨୧ ପାଇଁ ମଧ୍ୟ ଏହାକୁ ବଜାୟ ରଖିବା ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଛି। ତେବେ ସ୍ବେରେଜ୍ ନେଟ୍‌ୱାର୍କ ସେବାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ଦୂରରେ ରହିଛି। ୨୦୧୯-୨୦ରେ ଏହା ୩୪ପ୍ରତିଶତ ଥିବା ବେଳେ ଆସନ୍ତା ୨୦୨୦-୨୧ ପାଇଁ ଏହାକୁ ୭୮ ପ୍ରତିଶତ କରବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସ୍ବେରେଜ୍ ନେଟ୍‌ୱାର୍କରୁ ମଳ ସଂଗ୍ରହର ଦକ୍ଷତା ମାନଦଣ୍ଡ ୨୦୧୯-୨୦ରେ ମାତ୍ର ୨୫% ରହିଛି। ଆସନ୍ତା ୨୦୨୦-୨୧ରେ ମାତ୍ର ୫ ପ୍ରତିଶତ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ପର୍ଯ୍ୟାପ୍ତ ଭାବେ ସେପ୍ଟିକ୍ ଟାଙ୍କିରୁ ବାହାରୁଥିବା ପାଣିର ଉପଚାର କ୍ଷେତ୍ରରେ (ବର୍ଷ୨୦୧୯/୨୦)ରେ ବିଏମ୍‌ସି ବିଫଳ ହୋଇଛି। ଆସନ୍ତା ୨୦୨୦/୨୧ ପାଇଁ ଏହାକୁ ୭୫% କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ବେରେଜ୍ ପାଣିର ଉପଚାର ପାଇଁ ଗୁଣାତ୍ମକ ମାନଦଣ୍ଡ ଶତ ପ୍ରତିଶତ ହେବାକୁ ଥିବା ବେଳେ ୨୦୧୯-୨୦ର ଏହା ହୋଇପାରିନାହିଁ। ୨୦୨୦-୨୧ ପାଇଁ ଏହାକୁ ଶତ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି।

କଠିନ ବର୍ଜ୍ୟ ପରିଚାଳନା: କଠିନ ବର୍ଜ୍ୟବସ୍ତୁର ପରିଚାଳନା ସ୍ଥିତି ଶତପ୍ରତିଶତ ରହିଥିବା ଦାବି କରିଛି ବିଏମ୍‌ସି। ଆସନ୍ତା ୨୦୨୦-୨୧ରେ ମଧ୍ୟ ଏହାକୁ ବଜାୟ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ମ୍ୟୁନିସିପାଲ୍ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ମାନଦଣ୍ଡକୁ ହାସଲ କରିବାରେ ସଫଳ ହୋଇଛି। ମାତ୍ର ମ୍ୟୁନିସିପାଲ୍ କଠିନ ବର୍ଜ୍ୟବସ୍ତୁର ପୃଥକୀକରଣ ମାନଦଣ୍ଡରେ‌ ଢେର୍‌ ପଛରେ। ୨୦୧୯-୨୦ରେ ଏହା ମାତ୍ର ୧୦ ପ୍ରତିଶତ ରହିଛି ଓ ୨୦୨୦-୨୧ରେ ଏହାକୁ ୧୦୦ ପ୍ରତିଶତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର