ଜାଳେଣି ବ୍ୟବହାର ଉପରେ କଟକଣା
ଚନ୍ଦ୍ରଶେଖରପୁର: ଦିଲ୍ଲୀ ପରି ଭୁବନେଶ୍ବରର ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଧୂଳି ଓ ଧୂଆଁ ଏଭଳି ହେଉଛି ଯେ ଦିନ ଦିପହରରେ ସହରରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି। ସହରର ପ୍ରଦୂଷଣକୁ ନେଇ ସରକାରୀ ଭାବେ ଏପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ ଲଗାତାର ଭାବେ ବେସରକାରୀ ସଂସ୍ଥାଗୁଡ଼ିକ ପ୍ରଦୂଷଣକୁ ନେଇ ରିପୋର୍ଟ ପ୍ରକାଶ କରିବା ପରେ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଭୁବନେଶ୍ବର ସହରର କେତେକ ସ୍ଥାନରେ ପ୍ରଦୂଷଣର ମାତ୍ରା ବଢ଼ୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ବାୟୁ ପ୍ରଦୂଷଣକୁ କିଭଳି ରୋକାଯାଇ ପାରିବ ଓ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନ ହେବ, ତାହାକୁ ପ୍ରାଥମିକତା ଦିଆଯାଇଛି। ଦୁଇ ବର୍ଷ ମଧ୍ୟରେ ଆକ୍ସନ ପ୍ଲାନକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।
ବଡ଼ ନିଷ୍ପତ୍ତି ସ୍ବରୂପ ସହରର ନିକଟବର୍ତୀ ଅଞ୍ଚଳରେ ଥିବା ପଥର କ୍ରସରଗୁଡ଼ିକ ହଟାଯିବ। ଏ ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପଦକ୍ଷେପ ଗ୍ରହଣ କରିବ। ସହର ପରିସରରେ କାଠ, କୋଇଲା ପରି ଜାଳେଣି ବ୍ୟବହାର ଉପରେ ରୋକ୍ ଲାଗିବ। ଦୁଇ ବର୍ଷ ଭିତରେ ସମସ୍ତ ଘରକୁ ଏଲ୍ପିଜି ଗ୍ୟାସ୍ ସଂଯୋଗ ହେବ। ରାସ୍ତାପାର୍ଶ୍ବ ଉଠାଦୋକାନୀ, ଢାବା, ରେସ୍ତୋରାଁ, ବସ୍ତିବାସିନ୍ଦାଙ୍କୁ ବି ଗ୍ୟାସ୍ ଯୋଗାଇ ଦିଆଯିବ। ସହରରେ ଧୂମହୀନ ଜାଳେଣି ବ୍ୟବହାରକୁ ସୁନିଶ୍ଚିତ କରାଯିବ। ଯାନବାହାନରୁ ହେଉଥିବା ପ୍ରଦୂଷଣକୁ ରୋକିବା ଦିଗରେ ବି ପଦକ୍ଷେପ ନିଆଯିବ। ବାୟୋଗ୍ୟାସ୍ରେ ବସ୍ ଚଳାଚଳ, ଇଲେକ୍ଟ୍ରି ଗାଡ଼ି ଚଳାଚଳ, ସହରର ପ୍ରମୁଖ ସ୍ଥାନରେ ଚାର୍ଜିଂ ବ୍ୟବସ୍ଥା କରିବା ଉପରେ ଗୁରୁତ୍ବ ଦିଆଯିବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସହରରେ ବାୟୁର ମାନ ଯାଞ୍ଚ ଓ ପରିଚାଳନା ପାଇଁ ପର୍ଯ୍ୟାପ୍ତ ଅଟୋମେଟିକ୍ ମନିଟରିଂ ଷ୍ଟେସନ୍ ପ୍ରତିଷ୍ଠା, ପ୍ରତିଦିନ ବାୟୁର ମାପ କରିବା, ସାଧାରଣ ଲୋକଙ୍କ ଜାଣିବା ପାଇଁ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନିଆଯିବ। ସହର ମଧ୍ୟରେ ବାୟୁ ପ୍ରଦୂଷଣ କରୁଥିବା କୌଣସି ପ୍ରକାର ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିବାକୁ ଅନୁମତି ଦିଆଯିବ ନାହିଁ। ଇଟା ଭାଟି ନିର୍ମାଣ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯିବ। ଅଧିକ ପ୍ରଦୂଷଣ ସମୟରେ ସହରାଞ୍ଚଳରେ ଏହାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ନିୟମ ମଧ୍ୟରେ ଆସୁଥିବା ଡିଜେଲ୍ ଜେନେରେଟର (ଡିଜି) ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବ। ରାସ୍ତାରେ ଯେପରି ଧୂଳି ନ ଉଡ଼ିବ, ସେ ଦିଗରେ ପଦକ୍ଷେପ ନିଆଯିବ।
ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସରକାରୀ ଅଧିକାରୀଙ୍କ ତାଲିମ ଦିଆଯିବ। ସେମାନଙ୍କ ଦକ୍ଷତା ବିକାଶ ବି କରାଯିବ। ୧୨ ମାସ ମଧ୍ୟରେ ସହରରେ ଥିବା ପାର୍କ, ଜଙ୍ଗଲ, ଖୋଲା ସ୍ଥାନ, କମ୍ପ୍ୟୁନିଟି ସ୍ଥାନ, ସ୍କୁଲ, ରାସ୍ତାପାର୍ଶ୍ବ ବନୀକରଣକୁ ପ୍ରାଥମିକତା ଦିଆଯିବ। ସହର ଭିତର ଓ ଉପକଣ୍ଠରେ ଥିବା ଶିଳ୍ପାଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରିବାକୁ ସ୍ଥିର ହୋଇଛି। ଧୂଳିକଣା ଓ ଧୂଆଁକୁ ରୋକି ପାରୁଥିବା ପ୍ରଜାତିର ଗଛ ଲଗା ଯିବାକୁ ନିଷ୍ପତ୍ତି ହୋଇଛି। ବର୍ଷକ ଭିତରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସ୍ଥିର ହୋଇଛି। ଏୟାର କ୍ବାଲିଟି ମ୍ୟାନେଜ୍ମେଣ୍ଟ ଏରିଆ(ଏକ୍ୟୁଏମ୍ଏ) ଚିହ୍ନଟ କରିବା ସହ ଦୁଇ ବର୍ଷ ଭିତରେ ଏହା ଉପରେ ଗବେଷଣା କରାଯାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି।
ଚନ୍ଦକା ଶିଳ୍ପାଞ୍ଚଳବାସୀ ଅଣନିଃଶ୍ବାସୀ!
ଚନ୍ଦକା ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାତ୍ରା ବଢ଼ି ଚାଲିଛି। ଏବେ ସ୍ଥିତି ଏମିତି ହେଲାଣି ଯେ ଲୋକେ ନାକରେ ମାସ୍କ କିମ୍ବା କପଡ଼ା ବାନ୍ଧି ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ସକାଳ ଓ ଅପରାହ୍ଣରେ ଧୂଆଁ ଓ ଧୂଳିରେ ଚନ୍ଦକା, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ପ୍ରଶାନ୍ତିବିହାର ଅଞ୍ଚଳରେ ଆକାଶ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି। ବଡ଼ କଥା ହେଲା ଯେ ଇନ୍ଫୋସିଟି ଥାନା ଅଧୀନରେ ଥିବା ଏକ ବଡ଼ ପାହାଡ଼କୁ ଖୋଳା ଯାଉଛି। ରାତିରେ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଉକ୍ତ ଅଞ୍ଚଳରେ ମାଟି ଓ ଧୂଳି ରାସ୍ତାରେ ଉଡ଼ୁଛି। ସମ୍ପୃକ୍ତ ଠିକାଦାର ନିୟମ ଅନୁଯାୟୀ, ନିର୍ମାଣ କାର୍ଯ୍ୟର ଚାରିପାଖ ଟିଣ ବାଡ଼ କିମ୍ବା କପଡ଼ା ଆବଦ୍ଧ କରି ନ ଥିବାରୁ ସବୁ ଧୂଳି ନିକଟସ୍ଥ ରାସ୍ତା, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ୍ରେ ପଶୁଛି। ଏମିତିକି ଇନ୍ଫୋସିଟି ଥାନା ମଧ୍ୟ ଏହାର ଶିକାର ହେଉଛି। ସକାଳୁ ମର୍ଣ୍ଣିଂୱାକ୍ରେ ଯାଉଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ ନାକ, ଆଖି ପୋଡ଼ୁଥିବା ଅଭିଯୋଗ କରିଛନ୍ତି। ସେହିପରି ଗତ କିଛି ଦିନ ହେଲା ଶିଖରଚଣ୍ଡୀ ଚିରଗୋଲଟୋଲା ବସ୍ତି ନିକଟ ଅଳିଆ ଗଦାରେ କିଛି ଯୁବକ ଗାଡ଼ିରେ କତା, କପଡ଼ା, ପ୍ଲାଷ୍ଟିକ୍, ରବର ଓ ରଦି କାଗଜ ଆଣି ପୋଡ଼ୁଛନ୍ତି। ଫଳରେ ଉକ୍ତ ଅଞ୍ଚଳ କଳା ଧୂଆଁରେ ଭର୍ତି ହୋଇଯାଉଛି। ଏହାଦ୍ବାରା ପ୍ରଶାନ୍ତି ବିହାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳବାସୀ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି। ବିଭିନ୍ନ ରୋଗରେ ପଡ଼ୁଥିବା ଅଭିଯୋଗ ହେଉଛି। ଏନେଇ ସ୍ଥାନୀୟ ଲୋକେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/56d4gs54gsd84g65das4g56asd4g56asd4g56dasg464dgd56as4.jpg)