ଭୁବନେଶ୍ବର: ଅସୁରକ୍ଷିତ ହୋଇପଡ଼ିଛି ଭୁବନେଶ୍ବର ଷ୍ଟେସନ। ଷ୍ଟେସନ ଚାରିପଟେ ଲୁଟେରା ଘୂରି ବୁଲୁଛନ୍ତି। ଏପରିକି କେତେକ ଲୁଟେରା ଷ୍ଟେସନ ଭିତରେ ମଧ୍ୟ ଲୁଟପାଟ ଚଳାଉଛନ୍ତି। ବିଶେଷକରି ଏହି ଲୁଟେରା ଗ୍ୟାଙ୍ଗ ଏବେ ଅଣଓଡ଼ିଆ ଯାତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ହକି ବିଶ୍ବକପ ଚାଲୁଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଯାତ୍ରୀ ଏବେ ଭୁବନେଶ୍ବର ଆସୁଛନ୍ତି। ଏଭଳି ସମୟରେ ଲୁଟେରାମାନେ ଏବେ ଷ୍ଟେସନ୍ ଆଖାପାଖରେ ଆତଙ୍କ ଖେଳାଇଛନ୍ତି। ଫଳରେ ରାଜ୍ୟ ବାହାରର ଯାତ୍ରୀଙ୍କ ମନରେ ଏବେ ରେଳବାଇ ଓ କମିସନରେଟ୍ ପୁଲିସ ପ୍ରତି ଭିନ୍ନ ଧାରଣା ସୃଷ୍ଟି ହୋଇଛି। ବିଶେଷକରି ଦୁଇ ଦିନ ତଳେ ଏକ ଲୁଟେରା ଗ୍ୟାଙ୍ଗ ସଦସ୍ୟଙ୍କ ଆକ୍ରମଣରେ ଜଣେ ଆର୍ପିଏଫ୍ କର୍ମଚାରୀ ତାରାକାନ୍ତ ମହାପାତ୍ର ଗୁରୁତର ଆହତ ହେବା ପରେ ଏବେ ଭୁବନେଶ୍ବର ଷ୍ଟେସନ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଷ୍ଟେସନ୍ ଅଞ୍ଚଳ ହେଉଛି ସ୍ମାର୍ଟସିଟି ଭୁବନେଶ୍ବରର ପ୍ରବେଶ ପଥ। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଭୁବନେଶ୍ବରକୁ ଏହି ଛକ ଦେଇ ଆସିଥାନ୍ତି। ସହରର ଏହି ପ୍ରବେଶ ପଥକୁ ଅପରାଧମୁକ୍ତ ଓ ଟ୍ରାଫିକ୍ ବିହୀନ କରିବାକୁ କମିସନରେଟ୍ ପୁଲିସ ଦୁଇ ବର୍ଷ ତଳେ ପଦକ୍ଷେପ ନେଇଥିଲା। ଏହି କାରଣରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକ ଫାଣ୍ତି ପ୍ରତିଷ୍ଠା ହେଲା। ୨୪ ଘଣ୍ଟିଆ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। କିନ୍ତୁ ପୂର୍ବଭଳି ଏବେ ପୁଣି ଥରେ ସେଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମିବା ଆରମ୍ଭ ହୋଇଯାଇଛି। ଦିନ ରାତି ୨୪ ଘଣ୍ଟା ନିଶା ଖାଇ ଯୁବକମାନେ ଘୂରି ବୁଲୁଛନ୍ତି। ବେଧଡ଼କ ଗଞ୍ଜେଇ କାରବାର ଚାଲିଛି। ଭୋର୍ରୁ ଜୁଆର ପସରା ବି ମେଲୁଛି। ନିଶାଦିଆ ଲୁଟେରା ଏବେ ଏଠାରେ ସକ୍ରିୟ ଅଛନ୍ତି। ଏକ ମଲ୍ ଓ ଅଶୋକନଗର ପଟ ଗଳିରେ ମଧ୍ୟ ଲୁଟେରା ମାତିଛନ୍ତି। ଦୈନିକ ଶହ ଶହ ଲୋକ ରାଜ୍ୟ, ରାଜ୍ୟ ବାହାରୁ ଏପରିକି ଦେଶ ବାହାରୁ ଏହି ଷ୍ଟେସନ୍ ଦେଇ ରାଜଧାନୀକୁ ପ୍ରବେଶ କରିଥାନ୍ତି। ହେଲେ ବର୍ତମାନ ଏହି ଷ୍ଟେସନ୍ର ସ୍ଥିତି ଘରେ ନ ପଶୁଣୁ ଚାଳ ବାଜିଲା ପରି। ଶହ ଶହ ଯାତ୍ରୀ ତିକ୍ତ ଅନୁଭୂତି ନେଇ ଏହି ଷ୍ଟେସନ୍ରୁ ଫେରୁଛନ୍ତି। କେବଳ ଭୁବନେଶ୍ବର ବାହାର କାହିଁକି ଷ୍ଟେସନ ଭିତର ବି ଅସୁରକ୍ଷିତ। ମଙ୍ଗଳବାର ବିଳମ୍ବିତ ରାତିରେ ସନ୍ତୋଷ ଓ ଆଲୋକ ନାମକ ପଶ୍ଚିମବଙ୍ଗର ଦୁଇ ଯାତ୍ରୀ ଷ୍ଟେସନ୍ରେ ଶୋଇଥିବା ବେଳେ ଦୁଇଜଣ ଲୁଟେରା ଉଭୟଙ୍କୁ ଅଟୋଷ୍ଟାଣ୍ଡ୍କୁ ନେଇ ତାଙ୍କୁ ମାଡ଼ ମାରି ବ୍ୟାଗ୍, ଟଙ୍କା ମୋବାଇଲ୍ ଛଡ଼ାଉଥିଲେ। ଏହି ସମୟରେ ସେଠାରେ ପାଟ୍ରୋଲିଂରେ ଥିବା ଆର୍ପିଏଫ୍ କର୍ମଚାରୀ ଶ୍ରୀ ମହାପାତ୍ର ସେଠାରେ ପହଞ୍ଚିଥିଲେ। ତାଙ୍କୁ ଦେଖି ଲୁଟେରାଦ୍ବୟ ଖସିଯିବାକୁ ଉଦ୍ୟମ କରିଥିଲେ। ଖସିବା ପାଇଁ ଉଭୟ ଶ୍ରୀ ମହାପାତ୍ରଙ୍କୁ ଆକ୍ରମଣ କରିଥିଲେ। ଜଣେ ଲୁଟେରା ସେଠାରେ ପଡ଼ିଥିବା ଏକ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଶ୍ରୀ ମହାପାତ୍ର ଆହତ ହୋଇଥିଲେ ମଧ୍ୟ ଲୁଟେରାଦ୍ବୟଙ୍କୁ ଛାଡ଼ି ନଥିଲେ। ଖବର ପାଇ ଅନ୍ୟ ଆର୍ପିଏଫ୍ କର୍ମଚାରୀ ସେଠାରୁ ଉଭୟଙ୍କୁ ଧରି ଥାନାକୁ ଆଣିଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଓ ମୋବାଇଲ୍ ଜବତ କରିଛି। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳର ସନ୍ତୋଷ ମହାରଣା(୨୭) ଓ ବାଲେଶ୍ବର ଜିଲ୍ଲା ଦୁବୁଲାଗଡ଼ ଅଞ୍ଚଳର ଆଲୋକ ବାରିକ ଓରଫ ରାଜ ଦାସ(୨୪)। ଉଭୟ ଏଠାରେ ସାଲିଆସାହି ଅଞ୍ଚଳରେ ରହୁଥିଲେ।
ଅସୁରକ୍ଷିତ ଭୁବନେଶ୍ବର ଷ୍ଟେସନ୍, ବଢ଼ିଲାଣି ଲୁଟେରାଙ୍କ ଆତଙ୍କ
/sambad/media/post_attachments/wp-content/uploads/2018/12/download-61.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)