ଭୁବନେଶ୍ୱର ସମ୍ବାଦ ସାହିତ୍ୟ ଘରର ‘ପୂଜାପତ୍ରିକା ପରିକ୍ରମା’

ଭୁବନେଶ୍ୱର: ଅକ୍ଟୋବର ମାସ ଓଡ଼ିଆ ସାହିତ୍ୟର ଅମଳ ଋତୁ। ଏ ମାସରେ ପାଖାପାଖି ଶହେ ପୂଜାପତ୍ରିକା ବିଶାଳ କଳେବର ନେଇ ପ୍ରକାଶ ପାଏ। ବରିଷ୍ଠଙ୍କଠୁ କନିଷ୍ଠଙ୍କ ଯାଏ, ପ୍ରବୀଣଙ୍କଠାରୁ ନବୀନଙ୍କ ଯାଏ ପ୍ରାୟ ସବୁ ଶ୍ରେଣୀର ଲେଖକ ପୂଜାପତ୍ରିକାରେ ପ୍ରକାଶିତ ହୁଅନ୍ତି। ତେଣୁ ପାର୍ବଣ ଉତ୍ସବ ପରି ଓଡ଼ିଆ ପତ୍ରିକାମାନେ ମଧ୍ୟ ଉତ୍ସବ ମନାନ୍ତି। ଲେଖକ-ସମ୍ପାଦକ-ପାଠକମାନଙ୍କୁ ନେଇ ଅକ୍ଟୋବର ମାସ ଚଳଚଞ୍ଚଳ ହୋଇଉଠେ। ଏଇ ମର୍ମରେ ପୂଜାପତ୍ରିକାକୁ ନେଇ ‘ସମ୍ବାଦ ସାହିତ୍ୟଘର ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଆଲୋଚନା ‘ଆମ ଓଡ଼ିଶା’ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ସାହିତ୍ୟଘରର ସଭାପତି ଯୁବ ଲେଖକ ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂଜା ପତ୍ରିକାକୁ ନେଇ ଏ ପ୍ରକାର ଆଲୋଚନାର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ସେ ସୂଚନା ଦେଇ ଯେଉଁମାନେ ଯାହା ଭଲ ଲେଖା ପଢ଼ୁଛନ୍ତି ତାହା ଉପରେ ଚର୍ଚା, ଆଲୋଚନା କରିବା ଉଚିତ୍‌। ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଉଚିତ୍‌। ଫଳରେ ଅନ୍ୟମାନେ ସେଇସବୁ ଲେଖାକୁ ପଢ଼ିବା ପାଇଁ ପ୍ରେରିତ ହେବେ। କେବଳ ଅଧିକ ଲେଖାଗଲେ ସାହିତ୍ୟ ସମୃଦ୍ଧ ହୁଏନି, ସେଥିପାଇଁ ଅଧିକ ପଢ଼ିବା ଓ ଆଲୋଚନା କରିବା ଆବଶ୍ୟକ ବୋଲି ସେ କହିଥିଲେ।
ସାହିତ୍ୟଘରର ସମ୍ପାଦକ ଯୁବକବି ବାଦଲ ମହାନ୍ତି ଓ କୋଷାଧ୍ୟକ୍ଷ ଯୁବଗାଳ୍ପିକ ନେତାଜୀ ଅଭିନନ୍ଦନଙ୍କ ସଂଯୋଜନାରେ ଉପସ୍ଥିତ ଲେଖକ-ପାଠକ-ଦର୍ଶକମାନେ ପୂଜାପତ୍ରିକା ସମ୍ପର୍କରେ ମତ ରଖିଥିଲେ। ପୂଜାରେ ଶାଢ଼ିକିଣା ପଇସାରେ ପତ୍ରିକା କିଣୁଥିବା କହି ସାହିତ୍ୟ ପତ୍ରିକା ପ୍ରତି ନିଜର ଗଭୀର ରୁଚିବୋଧର ପରିଚୟ ଦେଇଥିଲେ ଲେଖିକା ପ୍ରବୀଣା ମହାନ୍ତି। ସେହିପରି ପ୍ରକାଶ ଚନ୍ଦ୍ର ଦାଶ, ତନ୍ଦ୍ରାଳସା ଦାସ, ମିନତି ଦାଶ, ପୁଷ୍ପାଞ୍ଜଳି କର, ଆଶିଷ କୁମାର ମିଶ୍ର, ପ୍ରତାପ ନାୟକ ପ୍ରମୁଖ ପାଠକୀୟ ଅଭିଜ୍ଞତା ବଖାଣିବା ସହ ପତ୍ରିକାରୁ ପଢ଼ିଥିବା ଭଲ ଲେଖା ଉପରେ ଆଲୋକପାତ କରିଥିଲେ। ଆସର ଶେଷରେ କିଛି ନୂତନ ସଦସ୍ୟଙ୍କୁ ସମ୍ବାଦ ସାହିତ୍ୟଘର ସହ ସାମିଲ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର