ତାତିରେ ଆଉଟୁପାଉଟୁ ହ୍ୟୁମିଡିଟି ୪୨କୁ ଖସିଲା

ଭୁବନେଶ୍ୱର: ପୂର୍ବାହ୍ନ ୧୦ଟାରୁ ଟାଇଁ ଟାଇଁ ଖରା। ଘରୁ ବାହାରିବା ଦୂରର କଥା, ଘର ଭିତରେ ବି ରହି ହେଲାନି। ଏସି ରୁମ୍‌ରୁ ବାହାରିବା କ୍ଷଣି ଝାଞ୍ଜି ପବନ ଅସ୍ତବ୍ୟସ୍ତ କରି ପକାଉଥିଲା। ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକରକମ ଶୂନଶାନ। ଯୁ‌ଆଡ଼େ ଚାହିଁଲେ କେବଳ ମରୀଚିକା। ଆଜି ୬ ଘଣ୍ଟା ଧରି ରାଜଧାନୀବାସୀ ଏପରି ଭାବେ ତାତିରେ ଆଉଟୁପାଉଟୁ ହୋଇଥିଲେ। ମଧ୍ୟାହ୍ନ ବେଳକୁ ତ୍ରାହି ତ୍ରାହି ଡାକିଥିଲେ। ପାଦରେ ଚାଲିଚାଲି ଯିବା ଦୂରର କଥା। ସାଧାରଣ ଲୋକେ ରାସ୍ତାରେ ଗାଡ଼ି ଧରି ଯିବା ମୁସ୍କିଲ ହୋଇପଡ଼ୁଥିଲା। ପୂର୍ବାହ୍ନ ୧୧ଟାରେ ସ୍କୁଲ ଛୁଟି ହେବା ପରେ ଛୋଟଛୋଟ ପିଲାମାନେ ତାତିରେ ଛଟପଟ ହୋଇ ଘରକୁ ଫେରିଥିଲେ। ଯେଉଁମାନେ ଖରାରେ କାମ କରୁଥିଲେ, ସେମାନଙ୍କ ଅବସ୍ଥା ନ କହିବା ଭଲ। ଶ୍ରମିକମାନେ ୪୦ଡିଗ୍ରି ତାତିରେ କାମ କରୁଥିଲେ ମଧ୍ୟ ଶ୍ରମ ବିଭାଗ କି ଠିକାଦାରଙ୍କର ସେଥିପ୍ରତି ନଜର ନ ଥିଲା। ଯେଉଁଥିପାଇଁ ୧୦ରୁ ୧୫ ମିନିଟ୍‌ କାମ କରିବା ପରେ ହାଲିଆ ହୋଇ ବସିପଡ଼ୁଥିଲେ ଶ୍ରମିକ। ଚଳିତବର୍ଷ ଭୁବନେଶ୍ୱରର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି। ମାର୍ଚ ମାସରେ ତାପମାତ୍ରା ୪୦ ଡିଗ୍ରି ଟପିଥିଲେ ମଧ୍ୟ ଆଜି ଭଳି ତାତି କେବେ ବି ଅନୁଭୂତ ହୋଇ ନ ଥିଲା। ଚଳିତବର୍ଷ ପ୍ରଥମ ଥର ଲାଗି ଭୁବନେଶ୍ବରର ତାପମାତ୍ରା ୪୩ ଡିଗ୍ରି ଟପିଥିଲା। ୨୪ ଘଣ୍ଟାରେ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ କେବେ ବି ତାପମାତ୍ରା ହଠାତ୍‌ ଏଭଳି ବୃଦ୍ଧି ପାଇ ନଥିଲା। ଗତ ୬ ଦିନ ମଧ୍ୟରେ ତାପମାତ୍ରା ଯେଉଁଭଳି ଭାବେ ବୃଦ୍ଧି ପାଇଛି, ଆଗରୁ କେବେ ବି ଏଭଳି ହୋଇ ନ ଥିଲା। ଗତ ୧୦ ତାରିଖରେ ରାଜଧାନୀର ସର୍ବାଚ୍ଚ ତାପମାତ୍ରା ୩୬.୪ ଡିଗ୍ରି ରହିଥିଲା। ଆଜି ତାହା ୪୩.୭ ଡିଗ୍ରିରେ ପହଞ୍ଚିଛି। ଗତକାଲି ୩୯.୬ ଡିଗ୍ରି ଥିଲା।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ମଧ୍ୟାହ୍ନ ୧୨ଟା ୪୦ ବେଳକୁ ତାପମାତ୍ରା ୪୦ ଡିଗ୍ରି ଡେଇଁଥିଲା। ଧୀରେ ଧୀରେ ତାହା ବୃଦ୍ଧି ପାଇ ଅପରାହ୍‌ଣ ଗୋଟାଏ ୨୫ ମିନିଟ୍‌ ବେଳକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସହରରେ ହ୍ୟୁମିଡିଟି ୪୨ ରହିଥିଲା। ଗତକାଲି ସହରର ହ୍ୟୁମିଡିଟି ୬୩ ଥିଲା। ଖରାର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ଆସନ୍ତାକାଲି ମଧ୍ୟ ଏଭଳି ସ୍ଥିତି ଲାଗି ରହିବ। ଦିନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇ ୪୧ ଡିଗ୍ରିକୁ ଖସିପାରେ। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୨ଟା ଯାଏ ଖରାର ପ୍ରକୋପ ଅଧିକ ରହିବ। ଅପରାହ୍‌ଣରେ କାଳବୈଶାଖୀ ପାଇଁ ପାଗ ସୃଷ୍ଟି ହୋଇପାରେ। ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆନ୍ଧ୍ରପ୍ରଦେଶ ଆଡ଼ୁ ଆସୁଥିବା ପବନ ଭୁବନେଶ୍ବର ଆଡ଼କୁ ଆସିପାରୁନି। ଦିନ ସମୟରେ ବାୟୁର ଗତି ବହୁତ କମ୍‌ ରହୁଛି। ଏଥିସହ ବର୍ତମାନ ନିର୍ବାଚନ ପ୍ରକ୍ରିୟା ଚାଲୁଥିବାରୁ ସହରରେ ଯାନବାହନ ଚଳାଚଳ ବଢ଼ିଯାଉଛି। ସେଥିରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍‌ର ମାତ୍ରା ବାୟୁ ମଣ୍ଡଳରେ ବୃଦ୍ଧି ପାଉଛି। ତାହା ଉପରକୁ ଯାଇପାରୁନି। ପବନ ହୋଇଥିଲେ ଗ୍ୟାସ୍‌ ଚାଲି ଯାଇଥାନ୍ତା। ତେଣୁ ଭୁବନେଶ୍ବର ଏକ ହଟ୍‌ ଆଇଲ୍ୟାଣ୍ଡ(ଉତ୍ତପ୍ତ ଦୀପ)‌‌‌‌‌ରେ ପରିଣତ ହୋଇଛି। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି, ପଶ୍ଚିମା ବାୟୁ ପ୍ରବାହରେ ଏଭଳି ସ୍ଥିତି ହୋଇଥିଲା। ମଧ୍ୟପ୍ରଦେଶରେ କୁଆପଥର ବର୍ଷା ହେଉଥିବାରୁ ଭୁବନେଶ୍ବର ଉପରକୁ ବାଦଲ ଆସିଲା ନାହିଁ। ଆକାଶ ସଫା ରହିଲା। ପବନ ବି ହେଲାନି। ଯେଉଁଥିପାଇଁ ଆଜି ତାପମାତ୍ରା ବଢ଼ିଛି। ‌ତେବେ ୧୮ତାରିଖ ବେଳକୁ ଭୁବନେଶ୍ବରରେ କାଳବୈଶାଖୀ ହେବା ପରେ ତାପମାତ୍ରା କମିବ।

୨୦୧୬ରେ ୪୫.୮ ଡିଗ୍ରି ଥିଲା
ଆଜି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରିରେ ପହଞ୍ଚିଛି। କିନ୍ତୁ ୨୦୧୬ ମସିହା ରେକର୍ଡକୁ ଭାଙ୍ଗିପାରିନି। ୨୦୧୬ ଏପ୍ରିଲ ୧୧ରେ ସହରର ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରିରେ ପହଞ୍ଚିଥିଲା। ଗତବର୍ଷ ଆଜି ଦିନରେ ଏପ୍ରିଲ ମାସର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର