‘ମୋ ବସ୍‌’ ବିମାନବନ୍ଦରରୁ ସିଡିଏ ଚାଲିଲା

ଭୁବନେଶ୍ବର: କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ବର-କଟକ-ପୁରୀ ସହର ପାଇଁ ‘ମୋ ବସ୍‌’ ସେବା ଆରମ୍ଭ ହୋଇଥିବାବେଳେ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଡିଏକୁ ମୋ ବସ୍ ଚଳାଚଳ ଆରମ୍ଭ କରିଛି। ରୁଟ୍‌ ନଂ ୧୦ରେ ଏହି ବସ୍‌ ସେବା ଆରମ୍ଭ ହୋଇଛି। ୩୭କିମିର ଏହି ରୁଟ୍‌ରେ ‘ମୋ ବସ୍‌’ ପ୍ରତ୍ୟେକ ଦିନ ସକାଳ ୭ଟାରୁ ଆରମ୍ଭ ହେବ। ବିମାନବନ୍ଦରରୁ ରାତି ୮ଟାରେ ଶେଷ ବସ୍‌ ଏବଂ ସିଡିଏରୁ ରାତି ୮ଟା ୨୦ରେ ଶେଷ ବସ୍‌ ଛାଡ଼ିବ। ବିମାନବନ୍ଦରରୁ ସିଡିଏସ୍ଥିତ ବିଜୁ ପଟ୍ଟନାୟକ ପାର୍କକୁ ଦୈନିକ ୨୮ଟି ବସ୍ ଚାଲିବ। ଏଥିରେ ୧୯ଟି ଏସି ବସ୍ ଓ ୯ଟି ନନ୍‌ଏସି ବସ୍‌ ରହିଛି। ଏହି ରୁଟ୍‌ରେ ବିମାନବନ୍ଦରରୁ ବସ୍‌ ବାହାରି କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ଭୁବନେଶ୍ବର କ୍ଲବ, ନ’ତାଲା, ପାୱାର ହାଉସ୍‌ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ଜୟଦେବ ବିହାର ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକ, ଇନଫୋସିଟି ଛକ, ଶିଖରଚଣ୍ଡୀ, କିଟ୍‌, ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ, ଜୁଡିସିଆଲ ଏକାଡେମି, ସିଡିଏ-୬ ପାର୍କ, ସିଡିଏ-୯ ମାର୍କେଟ୍ ଛକ, ଜଷ୍ଟିସ୍‌ ଛକ ଓ ବିଜୁ ପଟ୍ଟନାୟକ ଛକରେ ବସ୍‌ ରହିବ। କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ, ଖୁବ୍ ଶୀଘ୍ର ଜାତୀୟ ରାଜପଥ -୧୬ ଦେଇ ଭୁବନେଶ୍ବରରୁ କଟକକୁ ‘ମୋ ବସ୍‌’ ଚାଲିବ। ଏଥିରେ ରୁଟ୍‌-୧୬ରେ ମାଷ୍ଟରକ୍ୟାଣ୍ଟିନ୍ ଟର୍ମିନାଲରୁ ସିଡିଏର ବିଜୁ ପଟ୍ଟନାୟକ ପାର୍କ, ରୁଟ୍‌ ୧୬-ଏରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାରବାଟୀ ଷ୍ଟାଡିୟମକୁ ବସ୍‌ ଚାଲିବ। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ, ଏବେ ୧୨ଟି ରୁଟ୍‌ରେ ୧୬୩ଟି ନୂଆ ‘ମୋ ବସ୍‌’ ଚାଲୁଥିବାବେଳେ ‌େଦୖନିକ ପ୍ରାୟ ୬୦ହଜାର ଲୋକ ଯାତାୟାତ କରୁଛନ୍ତି।

ସମ୍ବନ୍ଧିତ ଖବର