ଜମିବାଡ଼ି ବିବାଦ : ୪ଜଣଙ୍କୁ ଭୁଜାଲିରେ ଆକ୍ରମଣ, ଜଣେ ଗୁରୁତର

ବାଲିପାଟଣା : ବାଲିପାଟଣା ଥାନା ଅଧୀନ ଝିଣ୍ଟି ମଲ୍ଲିକ ସାହିରେ ଜମିବାଡ଼ି ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଜଣକ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ମୁତାବକ, ଝିଣ୍ଟି ମଲ୍ଲିକ ସାହିର ଶଙ୍କର ମୁଦୁଲିଙ୍କ ମୃତ୍ୟୁ ପରେ ତାଙ୍କ ‌ସମ୍ପତ୍ତିକୁ ନେଇ ୪ ପୁଅ କୈଳାସ, ପ୍ରଭାକର, କପିଳ, କୃଷ୍ଣ ଓ ସତ୍ୟବାଦୀ ମୁଦୁଲିଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏ ସମ୍ପର୍କରେ ସତ୍ୟବାଦୀଙ୍କ ପୁଅ ମହାଦେବ ମୁଦୁଲି ଗତକାଲି ବାଲିପାଟଣା ଥାନାରେ ଜଣାଇଥିଲେ। ଏହାକୁ ନେଇ ବିବାଦ ଆଜି ଉଗ୍ରରୂପ ନେଇଥିଲା। ଥାନାରେ କାହିଁକି ଜଣାଇଲେ ବୋଲି ପ୍ରଭାକରଙ୍କ ପୁଅ ରାଜା ଓ ତାଙ୍କ ଜ୍ବାଇଁ ମହାଦେବଙ୍କୁ ପଚାରିଥିଲେ। ଏଥିସହ ରାଜା ଓ ପ୍ରଭାକରଙ୍କ ଜ୍ବାଇଁଙ୍କ ପ୍ରରୋଚନାରେ ବାହାରୁ ଆସିଥିବା ୩ଜଣ ବ୍ୟକ୍ତି ମହାଦେବଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏହା ଦେଖି ମହଦେବଙ୍କ ତିନି ଭଉଣୀ ବୀଣାପାଣି, ମୀନାକ୍ଷୀ ଓ ଶାନ୍ତିଲତା ସେମାନଙ୍କୁ ଅଟକାଇବାକୁ ଆସି ଆକ୍ରମଣର ଶିକାର ହୋଇଥିଲେ। ଆହତ ୪ଜଣଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ମହାଦେବଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ୭/୮ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ସମ୍ବନ୍ଧିତ ଖବର