ଭୁବନେଶ୍ୱର: ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ୟୁନିଟ୍‌-୪ ଭୌମନଗର ଦୁର୍ଗାପୂଜା ଚଳିତ ବର୍ଷ ୩୭ ବର୍ଷରେ ପଦାର୍ପଣ କରୁଛି। ମା’ଙ୍କ ସୁନ୍ଦର ତଥା ଆକର୍ଷଣୀୟ ରୁପାମୁକୁଟ ପାଇଁ ପ୍ରସିଦ୍ଧ ଏହି ପୂଜାରେ ଚଳିତ ବର୍ଷ ରାଜପ୍ରାସାଦ ତୋରଣ କରାଯାଉଛି। ପ୍ରାସାଦ ଭିତରେ ରୁପା ମୁକୁଟ ପିନ୍ଧି ମା’ ଦୁର୍ଗା ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହି ତୋରଣର ଉଚ୍ଚତା ୬୦ ଫୁଟ୍‌ ଓ ଚଉଡ଼ା ୬୫ଫୁଟ୍‌ ରହିବ। ସେହିପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୨ ଫୁଟ ରହିବ। ରେଡ୍‌କ୍ରସ ଭବନଠାରୁ ମସଜିଦ୍‌ ପର୍ଯ୍ୟନ୍ତ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯିବ। ପ୍ରସାଦ ଭୋଗ ଲାଗି ଚର୍ଚ୍ଚାରେ ରହୁଥିବା ଏହି ମଣ୍ଡପରେ ଏଥର ସପ୍ତମୀ ପୂଜାଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।  ଏଥିରେ ମଧ୍ୟାହ୍ନ ଧୂପରେ ପ୍ରସାଦ ଲାଗି ହେବାକୁ ଥିବା ବେଳେ ସଂଧ୍ୟାରେ ଖେଚୁଡ଼ି ଭୋଗ ଲାଗି କରାଯିବ। ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ  କୁନି ପିଲାମାନଙ୍କ ମଧ୍ୟରେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ସହିତ ମେଲୋଡି ଓ ଭଜନ ସନ୍ଧ୍ୟା ମଧ୍ୟ ଅନୁଷ୍ଠିତ ହେବ। ହାଉସିଂବୋର୍ଡ ଟ୍ରାଫିକ୍‌ ପୋଷ୍ଟ ଆଗରେ ଏହି ମଣ୍ଡପ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି। କମିଟି ପକ୍ଷରୁ ୩୦ ଜଣ ସ୍ୱେଚ୍ଛାସେବୀଙ୍କ ସମେତ ସିସିଟିଭି ମଧ୍ୟ ଲଗାଯିବ। ସେହିପରି ସମିତି କୌଣସି ଭସାଣି କମିଟି ସହିତ ଜଡ଼ିତ ହୋଇନାହିଁ। ତେଣୁ କମିଟି  ପକ୍ଷରୁ  ପାରମ୍ପରିକ ବାଦ୍ୟରେ ମା’ର ମେଢ଼ ଅଞ୍ଚଳ ପରିକ୍ରମା କରାଯିବା ପରେ ମେଲାଣି ଦିଆଯିବ। 

Advertisment

ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ରହିଛି
ସଚିବାଳୟ ମାର୍ଗରେ ଏହି ମଣ୍ଡପ ରହିଥିବାରୁ ସବୁ ବର୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ। ଫଳରେ ରାସ୍ତା ଜାମ୍‌ ସମସ୍ୟା ରହିଥାଏ। ତେଣୁ ଗହଳିକୁ ନିୟନ୍ତ୍ରଣ କରିବା ନେଇ କମିଟି ପକ୍ଷରୁ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ବିଶେଷକରି ମହିଳା ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। କମିଟିର ସ୍ବେଚ୍ଛାସେବୀମାନେ ଶାନ୍ତି ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସକୁ ସହଯୋଗ କରିବେ। 
-ପ୍ରମୋଦ କୁମାର ରାଜ, ସଭାପତି

ପ୍ରସାଦ ସେବନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ପ୍ରସାଦ ସେବନକୁ ଆମେ ସବୁବେଳେ ଗୁରୁତ୍ବ ଦେଇ ଆସୁଛୁ। ଏବର୍ଷ ଦୈନିକ ହଜାରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ସଂଧ୍ୟାରେ ପ୍ରତିବର୍ଷ ପରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। 
-ଶିବ ସୁଆର, ସଂପାଦକ